ମାର୍ଚ୍ଚ ୨୮ରୁ ଅପ୍ରେଲ ୧ ଯାଏଁ ମାଁ ଡ଼ୋକରୀ ଲୋକ ମହୋତ୍ସବ; ଦୁଲୁକିବ ଟାପରାଙ୍ଗ ଗଡ଼

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବ୍ଲକ ମାଣିକେରା ପଂଚାୟତରେ ଥିବା ଟାପରେଙ୍ଗ ଗଡ଼ ମାର୍ଚ୍ଚ ୨୮ରୁ ଅପ୍ରେଲ ୧ ତାରିଖ ଯାଏଁ ଦୁଲୁକିବ । ପ୍ରଥମ ବର୍ଷର ମାଁ ଡ଼ୋକରୀ ଲୋକ ମହୋତ୍ସବ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଥିବା ଜଣାଯାଇଛି । ଏ ନେଇ ମହୋତ୍ସବ କମିଟୀର ସଭାପତି ଯୋଗେନ୍ଦ୍ର ଧରୁଆ ସଂପାଦକ ହିମାଂଶୁ କୁମରା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ମାର୍ଚ୍ଚ ୨୮ ତାରିଖରେ ପୂଜାର୍ଚ୍ଚନା ସହିତ ଶୋଭାଯାତ୍ରା ସକାଳ ୮ ଘଂଟା ସମୟରେ ଆରମ୍ଭ ହେବାକୁ ଥିବାବେଳେ ଅପରାହ୍ଣ ୫ ଘଂଟା ସମୟରେ ମଂଚ ଉଦଘାଟନୀ, ମଂଚ ପୂଜନ, ସାଂସ୍କୃତିକ ସଭା କାର୍ଯ୍ୟ ଓ ସଭା କାର୍ଯ୍ୟ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି । ୩୧ ତାରିଖ ଯାଏଁ ବିଭିନ୍ନ ଦିବସରେ ଭିନ୍ନ ଭିନ୍ନ ଅତିଥି,ବକ୍ତାଙ୍କ ଦ୍ୱାରା ଏହି ଅଂଚଳର ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ନେଇ ଆଲୋଚନା କରାଯିବ ଏବଂ ପ୍ରତିିଦିନ ରାତିରେ ସ୍ଥାନୀୟ ଓ ଅତିଥି କଳାକାରଙ୍କ ଦ୍ୱାରା ଲୋକନାଚ, ଲୋକଗୀତର ଆୟୋଜନ ହେବ । ଅପ୍ରେଲ ୧ ତାରିଖ ସକାଳେ ମାଁ ଡ଼ୋକରୀଙ୍କ ଚଇତ୍ରା ଯାତ୍ରା ସହିତ ଏହି ଲୋକ ମହୋତ୍ସବ ଉଦଯାପିତ ହେବ । ତେବେ ପ୍ରଥମ ଥର ପାଇଁ ଟାପରେଙ୍ଗ ଗଡ଼ରେ ଏହି ଅଂଚଳବାସୀଙ୍କ ତରଫରୁ ଏକ ସୁନ୍ଦର କାର୍ଯ୍ୟକ୍ରମର ଆୟୋଜନ ହେଉଥିବାରୁ ସମେସ୍ତ କାର୍ଯ୍ୟକ୍ରମ ସଫଳ କରିବା ଦିଗରେ ଅହରହ ଚେଷ୍ଟା ଜାରୀ ରଖିଛନ୍ତି ବୋଲି ମହୋତ୍ସବ କମିଟୀର ବରିଷ୍ଠ ସଦସ୍ୟ ଟଙ୍କଧର ପନ୍ଦର, ମୀନକେତନ ପାତ୍ର, ଅନନ୍ତ ଗୋପାଳ ସାହୁ, ଗୋପାଳ ପାତ୍ର ପ୍ରମୁଖ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.