ଫକୀରମୋହନ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେଲା ପ୍ରବାସୀ ଭାରତୀୟ ଲେଖକମାନଙ୍କ ଅବଦାନ ସଂପର୍କିତ ଜାତୀୟ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ବବିଦ୍ୟାଳୟର ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ‘ପ୍ରବାସୀ ଭାରତୀୟମାନଙ୍କ ଭାରତୀୟ ଇଂରାଜୀ ସାହିତ୍ୟରେ ଅବଦାନର ମୂଲ୍ୟାଙ୍କନ’ ଶୀର୍ଷକ ଏକ ଦିବସୀୟ ଜାତୀୟ ସମ୍ମିଳନୀ ସଂପ୍ରତି ଅନୁଷ୍ଠିତ ହୋଇଯାଇଛି ।

ବିଶ୍ୱବିଦ୍ୟାଳୟର କୁଳପତି ତଥା ସଭାର ମୁଖ୍ୟ ଉପଦେଷ୍ଟା ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ,
ପ୍ରମୁଖ ଓ ପ୍ରଭାବୀ ଭାରତୀୟ ଲେଖକମାନେ ଯଥା ଭି.ଏସ୍. ନୈପଲ୍, ସଲମାନ ରୁଶିଦ ଅମିତାଭ ଘୋଷ୍ ଏବଂ ଝୁମ୍ପା ଲାହିରୀଙ୍କ ଭାରତୀୟ ଇଂରାଜୀ ସାହିତ୍ୟରେ ଅବଦାନ ମୂଲ୍ୟାଙ୍କନ କରିବାକୁ କେନ୍ଦ୍ରକରି ଏହି ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଥିଲା।

ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର, ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଏହି ଅବସରର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ମୂଲ୍ୟବାନ ବକ୍ତବ୍ଯ ପ୍ରଦାନ କରିଥିଲେ। ପ୍ରାରମ୍ଭିକ ଉଦବୋଧନ ଆଲହାବାଦ୍ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ସଂଯୁକ୍ତ ପ୍ରଫେସର, ଡ଼କ୍ଟର ଦେବାଶିଷ ପତିଙ୍କ ଦ୍ୱାରା ପ୍ରଦତ୍ତ ହୋଇଥିଲା। ସମ୍ମିଳନୀର ବିଷୟବସ୍ତୁ ଓ ସମ୍ବନ୍ଧିତ ତଥ୍ଯ ଗୁଡିକ ଇଂରାଜୀ ବିଭାଗର ଏସୋସିଏଟ୍ ପ୍ରଫେସର, ଡ଼କ୍ଟର ସୋନାଲି ଦାସଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା। ଏହି ସମ୍ମିଳନୀରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ ଏବଂ ଭାଷା ଓ ସାହିତ୍ୟ ବିଭାଗର ବିଭାଗାଧ୍ୟକ୍ଷ, ପ୍ରଫେସର ଦେବାଶିଷ ପାତ୍ର, ଭାଷା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ଭାଷା ଓ ସାହିତ୍ଯ ବିଭାଗର ମୁଖ୍ଯ ପ୍ରଫେସର ଦେବାଶିଷ ପାତ୍ର ସ୍ୱାଗତ ଭାଷଣ ରଖିଥିଲେ ଯେଉଁଥିରେ ସେ ଡାୟାସ୍ପୋରିକ ଲେଖକମାନଙ୍କ ଅବଦାନ ସଂପର୍କିତ ଅଧ୍ୟୟନର ଉପଯୋଗିତା ମାନ ଉଲ୍ଲେଖ କରିଥିଲେ। ଡ଼କ୍ଟର ଦେବାଶିଷ ପତିଙ୍କ ଅଭିଭାଷଣରେ, ସେ ସୀମାସମୂହ ଏବଂ ତା’ ସହିତ ସଂଲଗ୍ନ ନାନା ପ୍ରସଙ୍ଗକୁ ଆଲୋକପାତ କରି ବର୍ତ୍ତମାନର ଆବଶ୍ଯକତା ଗୁଡ଼ିକ ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ପ୍ରଫେସର ଯତୀନ୍ଦ୍ର କୁମାର ନାୟକ, ଡାୟାସ୍ପୋରା ଅଧ୍ୟୟନର ନୂତନ ଦୃଷ୍ଟିକୋଣ ଓ ଏହାର ଉନ୍ନତି ବିଷୟଗୁଡ଼ିକ ଅଲୋଚନା କରିଥିଲେ।

ଉଦଘାଟନୀ ଅଧିବେଶନ ପରେ, ପ୍ଲେନାରୀ ଅଧିବେଶନ ହୋଇଥିଲା, ଯେଉଁଥିରେ ଜାମସେଦପୁରର ସ୍ଥିତ କରିମ ସିଟି ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡ଼କ୍ଟର ବସୁନ୍ଧରା ରାୟ, ପ୍ରବାସୀ ନାରୀମାନଙ୍କ ଅବସ୍ଥା ବିଷୟରେ ସବିଶେଷ ଆଲୋଚନା କରିଥିଲେ ଓ ଏହାସହିତ ସମ୍ମିଳନୀରେ ୧୬ ଟି ଗବେଷଣା ପତ୍ର ଉପସ୍ଥାପିତ ହୋଇଥିଲା। ଶେଷ ଅଧିବେଶନରେ ପ୍ରଫେସର ଭାସ୍କର ବେହେରା ଉପସ୍ଥିତ ରହି ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆସିଷ୍ଟାଣ୍ଟ ପ୍ରଫେସର ନନ୍ଦିନୀ ଘୋଷ ସଂଚାଳନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.