ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ଓଡ଼ିଶାରେ ଲଘୁଚାପ ସାଙ୍ଗକୁ ଆଗୁଆ ମୌସୁମୀ ବର୍ଷା ରେ ରବି ଧାନ ଫସଲ ନଷ୍ଟ ହୋଇଯାଉଛି। ଠକ୍ ଧାନ ପାଚି ଅମଳ ହେବା ସମୟରେ ଗତ ମଙ୍ଗଳବାର ସନ୍ଧ୍ୟା ରୁ ଲଘୁଚାପ ଜନିତ ଲଗାଣ ଝିପି ଝିପି ବର୍ଷା ନର୍ଲା ଚାଷୀଙ୍କ ନିଦ ହଜେଇ ଦେଇଛି । ଅନେକ କଷ୍ଟରେ ରୋଗପୋକ ଦାଉରୁ, ହାତୀପଲ ଖାଇଯିବାରୁ, ଧୋଇ ମରୁଡିରୁ ଫସଲ ବଞ୍ଚାଇ ଆସି ଠିକ ଧାନ ଅମଳ କରି ମଣ୍ଡିକୁ ବିକିବା ପାଇଁ ନେବା ସମୟରେ ଲଘୁଚାପ ବର୍ଷା ଅନେକ କ୍ଷୟ କ୍ଷତି ରଚିଛି। ଏବେ ତିନିଦିନ ଧରି ଲଗାଣ ଝିପି ଝିପି ବର୍ଷାରେ ଧାନ ବିଲରେ କଟା ନହୋଇ ରହିଥିବା ଧାନ ଏବଂ ଧାନ ମଳି ଘରକୁ ଆଣିଥିବା ଚୁନା ଧାନ ପାଣି ତିନ୍ତି ବତୁରି ଗଲାଣି । ଗୋଟିଏ ପଟେ ନର୍ଲାରେ ମଣ୍ଡି ଗୁଡିକ ଆରମ୍ଭ ହୋଇ ସାରିଥିବା ଲଘୁଚାପ ଜନିତ ବର୍ଷା ଚାଷୀଙ୍କ ନିଦ ହଜେଇ ଦେଇଛି। ଘରେ ଧାନ ରଖିବା ପାଇଁ ପର୍ଯ୍ୟାପ୍ତ ଜାଗା ନାହିଁ। ଏତେ ପରିମାଣ ଧାନ ଗଚ୍ଛିତ ରଖିବେ ବା କୋଉଠି? ବାଧ୍ୟ ହୋଇ ଗାଁ ର କଂକ୍ରୀଟ ରାସ୍ତା ଗୁଡିକରେ ପଲିଥିନ ଢାଙ୍କି ରଖିଛନ୍ତି । ହେଲେ ମଧ୍ୟ ଧାନ ତିନ୍ତି ବୁଡି ସୁଡୁବୁଡୁ ହୋଇଯାଇଥିବା ଦେଖିବାକୁ ମିଳୁଛି । ନର୍ଲା କୃଷି ବିଭାଗ ତରଫରୁ ଗ୍ରାମ୍ୟ କୃଷି କର୍ମଚାରୀ ମାନେ ଗାଁ ଗାଁ ବୁଲି ଚାଷୀଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳୁଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଏକ ଅଣ ଜଳ ସେଚହିତ ଅଞ୍ଚଳ ହୋଇଥିବା ବେଳେ ଏଠାକାର ଚାଷୀ ଇନ୍ଦ୍ର ଦେବତାଙ୍କୁ ଭରଷା କରି ଚାଷକାର୍ଯ୍ୟ କରିଥାନ୍ତି । ଏଣୁ ମରୁଡି ଓ ବନ୍ୟା, ବାତ୍ୟା ଏଠାକାର ଚାଷୀଙ୍କ ଚିର ସହଚର ସାଜିଛନ୍ତି । ନର୍ଲା ଅଞ୍ଚଳର ଚାଷୀ ମହାଜନୀ ଋଣ, ବ୍ୟାଙ୍କ ଋଣ ଓ ଧାର କରଜ କରି ଚାଷକାର୍ଯ୍ୟ କରିଥାନ୍ତି । ଇନ୍ଦ୍ର ଦେବତାଙ୍କ ଦୟାରୁ ସମୟାନୁଯାୟୀ ବର୍ଷା ହେଲାତ ଠିକ । ନହେଲେ ଚାଷୀ ମୁଣ୍ଡରେ ଚଡକ ପଡିଥାଏ । ଇଏ ତ ଗଲା ଖରିଫ ଋତୁ ଧାନ ଚାଷର କଥା। ହେଲେ ଗତ ଦୁଇ ବର୍ଷ ହେଲା ରେତ୍ ଜଳ ସେଚନ ପ୍ରକଳ୍ପ ଯୋଗୁଁ ଶାନ୍ତପୁର, ବଡ ଧାରପୁର ଗ୍ରାମ ପଞ୍ଚାୟତ ଅଞ୍ଚଳ ର ଚାଷୀ ମାନେ ରବି ଫସଲ କରୁଛନ୍ତି। ସେହିଭଳି ତୁଳାପଡ଼ା, ମାଣ୍ଡେଲ ଗ୍ରାମ ପଞ୍ଚାୟତର ଅସୁରଗଡ ର ଏଭଳି ଅନେକ ଚାଷୀ ରବି ଋତୁରେ ଧାନ ଚାଷ କରିଥିଲେ ଯାହା ଲଘୁଚାପ ଜନିତ ବର୍ଷାରେ ଉଜୁଡ଼ି ଯାଇଥିବା ଦେଖିବାକୁ ମିଳୁଛି। ଏମାନଙ୍କୁ ସରକାରୀ ସହାୟତା ମିଳୁ ବୋଲି ଚାଷୀ ମାନେ ଦାବୀ କରିଛନ୍ତି।





