କଳାହାଣ୍ଡି ପେନସନଭୋଗୀ କଳାକାର ମହାସଂଘର ବ୍ଲକସ୍ତରୀୟ ବାର୍ଷିକ ସାଧାରଣ ସଭା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ପେନସନ ଭୋଗୀ କଳାକାର ମହାସଂଘ ତରଫରୁ ମ. ରାମପୁର ବ୍ଲକସ୍ତରୀୟ ସାଧାରଣ ସଭା ମ. ରାମପୁର ମହାଦେବ ମନ୍ଦିର ପରିସରରେ ଅସ୍ଥାୟୀ ସଭାପତି ରୁଦ୍ର ପ୍ରତାପ ସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ଧଙ୍ଗଡ଼ାମାଝୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମହାସଂଘର ସମ୍ପାଦକ କାହ୍ନୁ ଚରଣ ଗୌଡ଼ ଓ ମହାସଂଘର ଉପ ସଭାପତି ଶ୍ରୀପତି ପଟ୍ଟନାୟକ ଯୋଗଦେଇଥିବା ବେଳେ ପ୍ରକାଶ ଚନ୍ଦ୍ର ସାହୁ ମଞ୍ଚ ପରିଚାଳନା ଓ ସଂଯୋଜନା କରିଥିଲେ। ସଭା ପ୍ରାରମ୍ଭରେ ସୁନାମଧନ୍ୟ କଣ୍ଠ ଶିଳ୍ପୀ ସନ୍ତୋଷ କୁମାର ଦୁବେ ସରସ୍ଵତୀ ବନ୍ଦନା ଗାନ କରିଥିଲେ। ମଞ୍ଚାସୀନ ଅତିଥିମାନେ ପେନସନଭୋଗୀ କଳାକାର ମହାସଂଘର ଆବଶ୍ୟକତା, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେବା ସହିତ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିଥିଲେ। ସର୍ବ ସମ୍ମତି କ୍ରମେ ବ୍ଲକ ସ୍ତରୀୟ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା। ନୂତନ ଭାବେ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ ସଭାପତି ଓ ଶ୍ରୀ ସନ୍ତୋଷ କୁମାର ଦୁବେ ଉପସଭାପତି ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ ଏବଂ ପ୍ରତ୍ୟେକ ପଞ୍ଚାୟତରୁ ଜଣେ ଲେଖାଏଁ ସଦସ୍ୟ କମିଟିରେ ରହିଥିଲେ। ସଭାର ସଭାପତି ରୁଦ୍ର ପ୍ରତାପ ସିଂହଙ୍କ ଅଭିଭାଷଣ ପରେ ନୂତନ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ସହଯୋଗ କାମନା କରିଥିଲେ। ସଂପଦ ବିଶି, ପ୍ରଦୀପ ବାଣୁଆ, ଲଳିତ ସ୍ୱାଇଁ, ଗୁରୁ ସ୍ୱାଇଁ, ନରେନ୍ଦ୍ର ମହାଖୁଡ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.