ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଲଡୁଗାଁ ଅଷ୍ଟଲକ୍ଷ୍ମୀ ପୂଜନୋତ୍ସବ ଗୁରୁବାର ବିଳମ୍ବିତ ରାତିରେ ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ ହୋଇଛି। ଚଳିତ ବର୍ଷ ୨୫ ବର୍ଷ ପୂର୍ତ୍ତି ଅବସରରେ ଲଡୁଗାଁ ଲକ୍ଷ୍ମୀପୂଜା କମିଟି ତାର ରୌପ୍ୟ ଜୟନ୍ତୀ ପାଳନ ସହ ଭବ୍ୟ ଆକାରରେ ଅଷ୍ଟଲକ୍ଷ୍ମୀ ପୂଜନୋତ୍ସବ ପାଳନ କରିଥିଲା।
ପୂଜା ମଣ୍ଡପ ପୁରୀ ଶ୍ରୀମନ୍ଦିର ଆକୃତିରେ ତିଆରି ହୋଇଥିବାବେଳେ ଶ୍ରୀଜଗନ୍ନାଥ ସଂସ୍କୃତିର ଅପୂର୍ବ ପରିବେଶ ଦେଖିବାକୁ ମିଳିଥିଲା। ଭକ୍ତ ମାନଙ୍କ ନିମନ୍ତେ କମିଟି ପକ୍ଷରୁ ପୁରୀରୁ ଆସିଥିବା ଭୋଗର ବ୍ୟବସ୍ଥା ରହିଥିଲା। ମୂର୍ତ୍ତି କାରିଗରୀ ମଧ୍ୟରେ ଲକ୍ଷ୍ମୀପୂଜାର ସମ୍ପୂର୍ଣ୍ଣ ବିବରଣୀ ଦେଖିବାକୁ ମିଳିଥିଲା।
ଅଷ୍ଟଲକ୍ଷ୍ମୀ ପୂଜନୋତ୍ସବ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦୁଇ ଦିନ ଧରି ନାଟକ ପରିବେଷଣ ହୋଇଥିବାବେଳେ ଦୁଇ ଦିନ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’ ନୂତନ ଓ ପୁରାତନ ‘ଘୁମୁରା’ ପ୍ରତିଯୋଗିତା ହୋଇଥିଲା। ଏଥି ସହିତ ପ୍ରତ୍ୟେକ ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚରେ ମୁରାସୁର ଦରବାର ମଞ୍ଚସ୍ଥ ହୋଇଥିବାବେଳେ ଦରବାରରେ ଚାଲିଥିଲା ମୁରାସୁରଙ୍କ ରାଜୁତି।
ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ସହିତ ମଣ୍ଡପରେ ତିନି ଠାକୁର ମଧ୍ୟ ପୂଜା ପାଉଥିଲେ। ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ପୂଜା ସ୍ଥଳରେ ମିନା ବଜାର ସହ ଅନେକ ଦେକାନ ବଜାର ଲାଗିରହିଥିଲା। ପ୍ରତ୍ୟେକ ଦିନ ମୁରାସୁର ଦରବାରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଉଥିଲା। ଏବଂ ବିଭିନ୍ନ ସ୍ଥାନରୁ ଅତିଥି ମାନଙ୍କ ଯୋଗଦାନ ହେଉଥିଲା।
ଲକ୍ଷ୍ମୀ ପୂଜାକୁ ପଣ୍ଡିତ ଗୋପାଳ ଠାକୁର ଜୀ ଓ ତାଙ୍କ ସହଯୋଗୀ ମାନେ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ପୂଜାକର୍ତ୍ତା ଭାବେ ଅନୁପ କୁମାର ଅଗ୍ରୱାଲ ସ୍ବପତ୍ନୀକ ଓ ମହାଲକ୍ଷ୍ମୀ ପୂଜାକର୍ତ୍ତା ଭାବେ ବଜରଙ୍ଗ ଅଗ୍ରୱାଲ ସ୍ବପତ୍ନୀକ ଦାୟିତ୍ୱ ନିର୍ବାହ କରିଥିଲେ। ଅଷ୍ଟଲକ୍ଷ୍ମୀ ପାର୍ଶ୍ଵ କର୍ତ୍ତା ଭାବେ ମୋହନ ଚରଣ ଦାସ, ସୁଧୀର କୁମାର ଦାସ, ରତି ରଞ୍ଜନ ଦାଶ, ରୂପସିଂ ଧଙ୍ଗଡାମାଝୀ, ଜିତେନ୍ଦ୍ର ମାଝୀ, ଦୀପକ ଅଗ୍ରୱାଲ, ଗଣେଶ କାଣ୍ଡି ସ୍ବପତ୍ନୀକ ଦାୟିତ୍ୱ ତୁଲାଇଥିଲେ। ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ତତ୍ୱାବଧାନରେ ବିଭିନ୍ନ କାର୍ଯ୍ୟ କରାଯାଇଥିଲା।

କମିଟି ସଭାପତି କିଶୋର ଚନ୍ଦ୍ର ଦାସ, ଉପ ସଭାପତି ମୋହନ ଚରଣ ଦାସ, ପବନ ଅଗ୍ରୱାଲ, ସମ୍ପାଦକ କହ୍ନେଇ ଚରଣ ଦାସ, ସହ ସମ୍ପାଦକ ଶ୍ରୀମନ୍ତ ପାଢ଼ୀ, କିଶନ ଧଙ୍ଗଡା ମାଝୀ, କୋଷାଧ୍ୟକ୍ଷ ଅଖିଳ ଚନ୍ଦ୍ର ଦାସ, ଭୁପେନ୍ଦ୍ର ଦାସ ରହିଥିବା ବେଳେ ମହାଲକ୍ଷ୍ମୀ ପୂଜା ସ୍ଥାୟୀ କମିଟିର ସଭାପତି ଗଗନ ବିହାରୀ ଦାସ, ଉପ ସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ପାଦକ ସୁଦର୍ଶନ ନାଏକ, ସହ ସମ୍ପାଦକ ରୂପସିଂ ଧଙ୍ଗଡା ମାଝୀ, କୋଷାଧ୍ୟକ୍ଷ ଅଖିଳ ଚନ୍ଦ୍ର ଦାସ ପ୍ରମୁଖ ସହିତ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଓ ବିଶେଷ କରି ମହିଳାମାନେ ବିଭିନ୍ନ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ କୋକସରା ଥାନା ପୁଲିସ ପକ୍ଷରୁ ନିୟୋଜିତ ରହିଥିଲେ। ତେବେ ୯ ଦିନ ଧରି ଅନୁଷ୍ଠିତ ହୋଇଥିବା ଅଷ୍ଟଲକ୍ଷ୍ମୀ ପୂଜନୋତ୍ସବ ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ ହୋଇଥିବା ବେଳେ ଲଡୁଗାଁ ଲକ୍ଷ୍ମୀପୂଜା ଜିଲ୍ଲାରେ ବେଶ୍ ଚର୍ଚ୍ଚିତ ହୋଇଛି।





