୬୯ତମ ରାଜ୍ୟସ୍ତରୀୟ ବାଳିକା ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ

ନବରଙ୍ଗପୁର ହେଲା ବିଜେତା

ଯମୁନାବତୀ ଗଣ୍ଡ ଶ୍ରେଷ୍ଠ ଖେଳାଳି ଭାବେ ହେଲେ ପୁରସ୍କୃତ

ମ୍ୟାନ ଅଫ ଦି ମ୍ୟାଚ୍ ହେଲେ ଗଙ୍ଗାବତୀ ଗଣ୍ଡ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ୬୯ତମ ରାଜ୍ୟସ୍ତରୀୟ ୧୭ବର୍ଷରୁ କମ୍ ବାଳିକା ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ରାଜ୍ୟ ବିଦ୍ୟାଳୟ କ୍ରୀଡା ସମୂହ ଦ୍ଵାରା ପ୍ରସ୍ତୁତ ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆୟୋଜନ କରିଥିଲେ। ଦ୍ଵିତୀୟ ଦିବସରେ ୨୪ ଟି ମ୍ୟାଚ୍, ତୃତୀୟ ଦିନରେ ୧୨ ଟି ମ୍ୟାଚ୍ ଖେଳାଯାଇଥିଲା। ରିଜର୍ଭ ପୋଲିସ ପଡ଼ିଆ, ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍, ସ୍ପୋର୍ଟସ ହଷ୍ଟେଲ ପଡ଼ିଆ ଓ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଖେଳ ପଡିଆ ଠାରେ ମ୍ୟାଚ୍ ଗୁଡ଼ିକ ଅନୁଷ୍ଠିତ ହୋଇଥିଲା । ଆଜି ନବରଙ୍ଗପୁର ଓ ସମ୍ବଲପୁର ମଧ୍ୟରେ ସ୍ପୋର୍ଟସ ହଷ୍ଟେଲ ଏବଂ ବାଲେଶ୍ବର ଓ ସୁନ୍ଦରଗଡ଼ ମଧ୍ୟରେ ରିଜର୍ଭ ପଡ଼ିଆ ଠାରେ ଦୁଇଟି ସେମିଫାଇନାଲ ଅନୁଷ୍ଠିତ ହୋଇଥିଲା। ଉଭୟ ମ୍ୟାଚରୁ ବିଜେତା ନବରଙ୍ଗପୁର ଏବଂ ବାଲେଶ୍ବର ମଧ୍ୟରେ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଫାଇନାଲ ଅନୁଷ୍ଠିତ ହୋଇଥିଲା। ଫାଇନାଲରେ ନବରଙ୍ଗପୁର ଦଳ ବାଲେଶ୍ବରକୁ ୧-୦ ଗୋଲରେ ପରାସ୍ତ କରି ବିଜୟୀ ହୋଇଥିଲା। ଯମୁନାବତୀ ଗଣ୍ଡ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ସେହିପରି ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଗଙ୍ଗାବତୀ ଗଣ୍ଡ ସମ୍ବର୍ଦ୍ଧିତ ହୋଇଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ମୁଖ୍ୟବକ୍ତା ବିଶିଷ୍ଟ ବାଗ୍ମୀ ଶିବପ୍ରସାଦ ବେହେରା, ସମ୍ମାନୀତ ଅତିଥି ଭାବେ ଧର୍ମଗଡ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ବ୍ରହ୍ମପୁରର ଯୁଗ୍ମ ନିର୍ଦ୍ଦେଶକ ପବିତ୍ରମୋହନ ସାହୁ, ଶାରୀରିକ ଶିକ୍ଷା ସହ ନିର୍ଦ୍ଦେଶକ ଜ୍ୟୋତିପ୍ରସାଦ ପରିଡ଼ା, ଭାରତୀୟ ମହିଳା ଫୁଟବଲ କୋଚ୍ ମହମ୍ମଦ ସାହିଦ ଜବ୍ବର୍, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହେମସାଗର ମହାନନ୍ଦ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂହ ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ସ୍ଵାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହେମସାଗର ମହାନନ୍ଦ ଧନ୍ୟବାଦ ଦେଇଥିଲେ। ତଳବେଲଗାଁ ହାଇସ୍କୁଲର ଛାତ୍ରଛାତ୍ରୀ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ। ରାଜ୍ୟ ଅଧିକାରୀ ନିରଞ୍ଜନ ଶତପଥୀ ଓ ସିଆରସିସି ଡିଲେଶ୍ୱର ରଣା ମଂଚ ପରିଚାଳନା କରିଥିଲେ। ଏହି ମ୍ୟାଚ୍ ସବୁକୁ ରାଜ୍ୟସ୍ତରୀୟ ଫିଲ୍ଡ କମିଶନର, ରେଫରିମାନେ ପରିଚାଳନା କରିଥିଲେ। ଏଥିରେ ଜିଲ୍ଲାର ସମସ୍ତ ବିଇଓ, ଏବିଇଓ, ଆୟୋଜନ କମିଟିର ସଦସ୍ୟ ସଦସ୍ୟା, ଡିଇଓ ଏବଂ ଡିପିସି କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ସୂଚନଯୋଗ୍ୟ ଯେ, ଚାରିଦିନ ଧରି ଏହା ୦୨ ଡ଼ିସେମ୍ବରରୁ ୦୫ ତାରିଖ ଯାଏଁ ଆୟୋଜିତ ହୋଇଥିଲା । ସମସ୍ତ ବାଳିକା ପ୍ରତିଯୋଗୀମାନଙ୍କ ମଧ୍ୟରେ ଫୁଟବଲ୍ ପ୍ରତିଯୋଗିତା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍, ସ୍ପୋର୍ଟସ ହଷ୍ଟେଲ ପଡିଆ ଓ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା। ଚାରିଦିନ ଧରି ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନବଭାରତ ସାକ୍ଷର କାର୍ଯ୍ୟକ୍ରମ ସଂଯୋଜକ ହରିଶ୍ଚନ୍ଦ୍ର ମୁଣ୍ଡ ପରିଚାଳନା କରିଥିଲେ। ବିଶେଷ ଆକର୍ଷଣ ଭାବେ ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ, ବିଶିଷ୍ଟ କଳାକାର ସର୍ବେଶ୍ଵର ଭୋଇ, କଳାହାଣ୍ଡି କଟପ୍ପା, ନୀଳାଞ୍ଚଳ ପାନ, ସଂଗୀତା ରାଉତ, ପ୍ରତାପ ସାହୁ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.