ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ତପସ୍ୱିନୀ ପ୍ରେଖ୍ୟାଳୟ ଠାରେ ଅନଲାଇନ ସୁରକ୍ଷା ଓ ସାଇବର ଅପରାଧ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସୁନୀତା ତ୍ରିପାଠୀ ଜିଲ୍ଲା ସଂଯୋଜିକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସଂଯୁକ୍ତା ସାହୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସାଇବର ସୁରକ୍ଷା କିପରି ଭାବରେ ସମସ୍ତଙ୍କ ପାଇଁ ଦରକାରସେ ସମ୍ପର୍କରେ ମତ ରଖିଥିଲେ। ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପ୍ରଶାନ୍ତ ପାଢ଼ୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଶିଶୁ ମାନେ କିପରି ଭାବରେ ଅନଲାଇନ ବିପଦରୁ ସୁରକ୍ଷିତ ରହି ପାରିବେ ସେ ସମ୍ପର୍କରେ ମତ ରଖିଥିଲେ।
ଈଶ୍ୱର ତାଣ୍ଡି ଡି.ଏସ.ପି ସାଇବର ବିଭାଗ ତାଲିମ ଦାତା ଭାବରେ ଯୋଗଦେଇ ବିଭିନ୍ନ ପ୍ରକାରର ସାଇବର ଅପରାଧ ଓ କିପରି ଭାବରେ ତାକୁ ପ୍ରତିରୋଧ କରାଯାଇ ପାରିବ ସେ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ବ୍ରଜେନ୍ଦ୍ର କିଶୋର ପଣ୍ଡା ପୂର୍ବତନ ଅଧ୍ୟକ୍ଷ ଶିଶୁ ମଙ୍ଗଳ ସମିତି ତାଲିମ ଦାତା ଭାବରେ ଯୋଗଦେଇ ଶିଶୁ ମାନଙ୍କର ଉପରେ ହେଉଥିବା ସାଇବର ଅପରାଧ ଓ ତାର ପ୍ରଭାବ ସମ୍ପର୍କରେ ମତ ରଖିଥିଲେ।
ଆଇନଜୀବୀ ସୁବଳ ଗଡତିଆ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ଅନ୍ୟତମ ତାଲିମ ଦାତା ଭାବରେ ଯୋଗ ଦେଇ ସାଇବର ସୁରକ୍ଷା ପାଇଁ ଥିବା ବିଭିନ୍ନ ନିୟମାବଳି ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଶିକ୍ଷକ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କର୍ମକର୍ତ୍ତା, କିଶୋରୀ ବାଳିକା, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ପାରା ଲିଗାଲ କର୍ମକର୍ତ୍ତା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଆଦି ଯୋଗଦାନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ୪ ଜଣ କିଶୋରୀ ବାଳିକାଙ୍କୁ ଡିଜିଟାଲ ଚାମ୍ପିଅନ ଭାବରେ ପୁରସ୍କୃତ କରାଯାଇଥିଲା। ସରିତା ଦାସ ପ୍ରୋଗ୍ରାମ ଅଫିସର କମ ପ୍ରୋଟେକ୍ସନ ଅଫିସର କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଛୋଟଲାଲ ସାହୁ ଜିଲ୍ଲା ସଂଯୋଜକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ବିଭାଗର କର୍ମକର୍ତ୍ତା ଉକ୍ତ କାର୍ଯ୍ୟକ୍ରମର ଆୟୋଜନରେ ସହୋଯୋଗ କରିଥିଲେ।






