ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): କବିତୀର୍ଥ ଶାନ୍ତିକାନନ ଠାରେ ଫକୀର ମୋହନ ସାହିତ୍ୟ ପରିଷଦ ଓ ରେମୁଣା ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କର ସଭାପତିତ୍ୱରେ ଦୁଇଟି ପୁସ୍ତକର ଉନ୍ମୋଚନ ଆସର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାକ୍ତନ ନୀଳଗିରି ବିଧାୟକ କମ୍ରେଡ଼ ପ୍ରଦୀପ୍ତ ପଣ୍ଡା ଯୋଗ ଦେଇ ପୁସ୍ତକ ଦୁଇଟିକୁ ଉନ୍ମୋଚନ କରିଥିଲେ। ସେ ଏହି ଅବସରରେ ତାଙ୍କର ଅଭିଭାଷଣରେ ଫକୀର ମୋହନ ସାହିତ୍ୟ ପରିଷଦ ଓ ରେମୁଣା ସାହିତ୍ୟ ସଂସଦକୁ ଓଡ଼ିଶାର ଦୁଇ ସମର୍ପିତ ସାହିତ୍ୟ ଅନୁଷ୍ଠାନ ବୋଲି କହିବା ସହ ଫକୀରମୋହନ ସାହିତ୍ୟ ପରିଷଦ ସାହିତ୍ୟର ବୈକୁଣ୍ଠ ବୋଲି ଅଭିହିତ କରିଥିଲେ।ଉପନ୍ୟାସ ସୃଷ୍ଟି ସମ୍ପର୍କରେ ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ଏହି ସାହିତ୍ୟିକ ଉପ ବିଭାଗ ଅର୍ବାଚୀନ ଉପନ୍ୟାସ ସାହିତ୍ୟକୁ କେତେକ ସମାଲୋଚକ ଜାରଜ ସନ୍ତାନ ରୂପେ ଅଭିହିତ କରୁଥିଲେ।ମାତ୍ର ଆଜିର କଥା ସାହିତ୍ୟ କ୍ଷେତ୍ରରେ ଉପନ୍ୟାସ ଏକ ସର୍ଵଜନାଦୃତ ପୁସ୍ତକ ହିସାବରେ ପାଠକୀୟ ସ୍ୱୀକୃତି ଲାଭ କରିପାରିଛି ବୋଲି ସେ କହିଥିଲେ। ଯଶସ୍ୱୀ ସମାଲୋଚକ ପଣ୍ଡିତ ନିରଞ୍ଜନ ସାହୁ କବିତା ସଙ୍କଳନ ‘ମାଟିର ସ୍ୱର’କୁ ମାଟି ମାଆ ସହିତ ତୁଳନା କରି ଉଭୟ ପୋଷକ ତତ୍ୱ ପ୍ରଦାନ କରି ସମ ଭାବରେ ଯେପରି ଲାଳନ ପାଳନ କରନ୍ତି କବୀ ବାସନ୍ତୀ ଦାସ ଅନୁରୂପ ଭାବରେ ପ୍ରତ୍ୟେକ କବିତାକୁ ମର୍ଯ୍ୟାଦାବନ୍ତ କରି ପରିବେଷଣ କରିଛନ୍ତି ବୋଲି ତାଙ୍କ ସମୀକ୍ଷାରେ ଉଲ୍ଲେଖ କରିଥିଲେ। ସମ୍ପାଦକ ଡକ୍ଟର ରତ୍ନାକର ସିଂହ ପ୍ରାକ୍ କଥନ ରଖିବା ସଙ୍ଗେସଙ୍ଗେ ‘ଘାସଫୁଲ’ ଉପନ୍ୟାସଟିକୁ ସମୀକ୍ଷା କରିଥିଲେ। ନିଷ୍ଠାପର କର୍ମର ଫଳ ବିଳମ୍ବ ହୋଇପାରେ, ଏଥିରେ ଧୈର୍ଯ୍ୟ ଧରି ପାରିଲେ ଅପେକ୍ଷାର ଫଳ ମିଠା ଓ ସୁଖକର ହୋଇଥାଏ ବୋଲି ‘ଘାସ ଫୁଲ’ର ଅନ୍ତଃସ୍ୱରକୁ ପ୍ରକାଶ କରି କହିଥିଲେ। ଦୁଇଟି ପୁସ୍ତକର ପ୍ରକାଶକ ‘ସ୍ୱାତୀ’ ପ୍ରକାଶନ ପ୍ରକାଶକୀୟ ଅନୁଭୂତି ବାଣ୍ଟିଥିବା ବେଳେ ଲେଖିକା ବାସନ୍ତୀ ଦାସ ଲେଖକୀୟ ଅନୁଭୂତି ବଖାଣି ଥିଲେ। ଯୁଗ୍ମ ସମ୍ପାଦକ ରାଜେଶ ଗିରି ଅତିଥି ମାନଙ୍କୁ ମଞ୍ଚ ଆହ୍ବାନ କରିଥିବା ବେଳେ ଯୁଗ୍ମ ସମ୍ପାଦିକା କଲ୍ୟାଣୀ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏଥିରେ ବାସନ୍ତୀ ଦାସଙ୍କ ସ୍ୱାମୀ ଗୋବିନ୍ଦ ଦାସ ସମେତ ପରିବାରର ସଦସ୍ୟସଦସ୍ୟା ମାନଙ୍କ ସମେତ ପ୍ରଶାନ୍ତ ବରାଳ, ନରୋତ୍ତମ ପରିଡା, ବିଜୟ ମହାକୁଡ଼, ପ୍ରଦୀପ ମିଶ୍ର, ଚକ୍ରଧର ଦାସ, ପ୍ରଭାକର ସାହୁ, ଅରୁଣା ରାୟ, ଅଞ୍ଜଳି ପଣ୍ଡା, ବାସନ୍ତୀ ଦେ, ଜ୍ୟୋତ୍ସ୍ନା ରାୟ, ଜୟଶ୍ରୀ ମିଶ୍ର, ଦୀନବନ୍ଧୁ ଲେଙ୍କା, ତପନ ରାୟ, ଶରତ ଚନ୍ଦ୍ର ମହାପାତ୍ର, ଶିରୀଶ ଚନ୍ଦ୍ର ଜେନା, କାଳିକିଙ୍କର ଦାସ, ବିଦ୍ୟାଧର ସାହୁ, ପଦ୍ମଲୋଚନ ପ୍ରଧାନ, ମଧୁସୂଦନ ମାଝୀ, ହରେକୃଷ୍ଣ ପଲେଇ ଆଦି ଅନେକ ବୁଦ୍ଧିଜୀବୀ, ସାହିତ୍ୟିକ ଉପସ୍ଥିତ ଥିଲେ।





