ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଜାନୁଆରୀ ୨ରୁ ୪ ତାରିଖ ପର୍ଯ୍ୟନ୍ତ କୋଲକତାଠାରେ ଆନ୍ତର୍ଜାତୀୟ ଲିଟେରେଚର ଫର୍ ଆର୍ଟ ଏଣ୍ଡ କଲଚର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହେବ ଅନ୍ତର୍ଜାତୀୟ କବିତା ମହୋତ୍ସବ। ଏଥିରେ ଦେଶ ବିଦେଶରୁ ଅନେକ କବି, ଲେଖକ ଓ ବୁଦ୍ଧିଜୀବୀ ସାମିଲ ହେବେ। ବର୍ଷ ଆରମ୍ଭରେ ହେବାକୁ ଥିବା ଏହି କବିତା ମହୋତ୍ସବକୁ ନେଇ ସାହିତ୍ୟ ଜଗତରେ ବେଶ ଉତ୍ସୁକତା ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ ସ୍ତରର ସମ୍ମାନ ଜନକ ଏହି ମହୋତ୍ସବରେ କଳାହାଣ୍ଡିରୁ ଯୋଗଦେବାକୁ ଆମନ୍ତ୍ରିତ ହୋଇଛନ୍ତି କଳାହାଣ୍ଡିର ସର୍ବ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଯୁବକବି ଜୟଦ୍ରଥ ସୁନା। ଗତ ୨୦୧୮ରେ ନିଜର ଚର୍ଚ୍ଚିତ କବିତା ସଂକଳନ ‘ଶୋଷ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରଦତ୍ତ ଯୁବ ପୁରସ୍କାର ଲାଭ କରି କବି ଶ୍ରୀ ସୁନା ଜିଲ୍ଲା ପାଇଁ ଗୌରବ ଆଣିଦେଇଥିଲେ। ଏହା ପରେ ପରେ ତାଙ୍କର ଆଉ ଦୁଇଟି କବିତା ସଂକଳନ ‘ନିଆଁଧରା’ ଓ ‘ଲିଭି ଆସୁଥିବା ଚୂଲି’ ପ୍ରକାଶିତ ହୋଇ ବେଶ ପାଠକୀୟତା ଲାଭ କରିଛି। ସେହିପରି କବି ଶ୍ରୀ ସୁନା ନିଜର ସାହିତ୍ୟ ସାଧନା ପାଇଁ ରାଜ୍ୟର ବହୁ ଅନୁଷ୍ଠାନରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି। ତେବେ କୋଲକତାରେ ଅନୁଷ୍ଠିତ ହେଉଥିବା ଏହି ଅନ୍ତର୍ଜାତୀୟ କବିତା ମହୋତ୍ସବରେ କଳାହାଣ୍ଡିର ପୁଅ ଭାବେ ସେ ଯୋଗଦେବାକୁ ନେଇ ଜିଲ୍ଲା ବ୍ୟାପି କବି, ଲେଖକ ଓ ସାହିତ୍ୟିକ ମହଲରେ ଶୁଭେଚ୍ଛାର ସୁଅ ଛୁଟୁଛି।





