ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହେବ ସୁଭଦ୍ରା ଶକ୍ତି ମେଳା: ଗ୍ରାମୀଣ ଉତ୍ପାଦକ ଓ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ହେବ ବୃହତ୍ ବଜାର ମଞ୍ଚ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ମିଶନ ଶକ୍ତି ବିଭାଗ ଓ ବାଲେଶ୍ୱର ଜିଲ୍ଲା ପ୍ରଶାସନଙ୍କ ଯୁଗ୍ମ ପ୍ରୟାସରେ ସୁଭଦ୍ରା ଶକ୍ତି ମେଳା–୨୦୨୬ ଆୟୋଜିତ ହେଉଥିବା ବିଷୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏହି ମେଳା ଗ୍ରାମୀଣ ଉତ୍ପାଦକ, କାରିଗର, ସ୍ୱୟଂସହାୟକ ଗୋଷ୍ଠୀ ଓ ପ୍ରଯୋଜକ ଗୋଷ୍ଠୀମାନଙ୍କୁ ତାଙ୍କ ଉତ୍ପାଦ ପ୍ରଦର୍ଶନ ଓ ବିକ୍ରୟ ପାଇଁ ବୃହତ୍ ବଜାର ସୁଯୋଗ ଯୋଗାଇବ। ଏହା ମାଧ୍ୟମରେ ଗ୍ରାମୀଣ ଉତ୍ପାଦକମାନେ ସହରୀ ଗ୍ରାହକଙ୍କ ରୁଚି ଓ ପସନ୍ଦ ବିଷୟରେ ଅବଗତ ହୋଇ ଉତ୍ପାଦର ଗୁଣତ୍ୱ, ଡିଜାଇନ୍ ଓ ପ୍ୟାକେଜିଙ୍ଗରେ ଉନ୍ନତି କରିପାରିବେ।

Omkar Vasthu
Omkar Vasthu

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ଏହି ମେଳା ୨୨ ଫେବୃଆରୀରୁ ୨୮ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତ ସରକାରଙ୍କ ବିଭିନ୍ନ ଦାରିଦ୍ର୍ୟ ନିବାରଣ କାର୍ଯ୍ୟକ୍ରମ ଅଧୀନରେ ସହାୟତାପ୍ରାପ୍ତ ଗ୍ରାମୀଣ ଉତ୍ପାଦକ ଓ କାରିଗରମାନଙ୍କୁ ବଜାର ସୁଯୋଗ ପ୍ରଦାନ କରିବା ସହ ‘ଭୋକାଲ୍ ଫର୍ ଲୋକାଲ୍’ ଧାରଣାକୁ ଉତ୍ସାହିତ କରିବା।

Pearl dental clinic
Near Ashish Medical Store, Bhawanipatna

ଏହି ମେଳାରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ୨୦୦ଟି ଷ୍ଟଲ୍ ରହିବ। ହସ୍ତଶିଳ୍ପ ଓ ହସ୍ତତନ୍ତର ଲାଇଭ୍ ପ୍ରଦର୍ଶନ, ବିଭିନ୍ନ ସରକାରୀ ବିଭାଗର ଆଇଇସି ଷ୍ଟଲ୍, ୩୦ଟି ଷ୍ଟଲ୍ ସହିତ ଖାଦ୍ୟ ପ୍ରାଙ୍ଗଣ, ସେଲ୍ଫି ପଏଣ୍ଟ, ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପ ଆଧାରିତ ଫ୍ୟାଶନ୍ ଶୋ, କାର୍ଯ୍ୟଶାଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସାଙ୍ଗକୁ ଓଲିଉଡ୍ ତାରକାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମେଳାକୁ ଆକର୍ଷଣୀୟ କରିବ। ଟେରାକୋଟା, ଟ୍ରାଇବାଲ୍ ଜୁଏଲେରୀ, ଡୋକ୍ରା କାଷ୍ଟିଂ, କପାସ ହସ୍ତତନ୍ତ ଉତ୍ପାଦ, କେନ୍ଦୁଝରୀ ଫୁଲ ବଡ଼ି, ଶୁଖିଲା ମାଛ, ମସଲା ଓ ଓଡ଼ିଶାର ବନଜାତ ଉତ୍ପାଦ ମେଳାରେ ଉପଲବ୍ଧ ହେବ।

Udyog Nursery
Udyogi Nursery

ଜିଲ୍ଲା ସ୍ତରରେ ୬ଟି ବଜେଟ୍ ଓ ୨ଟି ଅଣବଜେଟ୍ ଶ୍ରେଣୀରେ ପ୍ରତ୍ୟେକରେ ୩ଟି କରି ପୁରସ୍କାର ଦିଆଯିବ। ବଜେଟ୍ ଶ୍ରେଣୀରେ ସର୍ବଶ୍ରେଷ୍ଠ କୃଷି ଓ ଅଣକୃଷି ଉତ୍ପାଦ, ସର୍ବଶ୍ରେଷ୍ଠ ପ୍ୟାକେଜିଙ୍ଗ୍ ଓ ପ୍ରଦର୍ଶନ, ସର୍ବଶ୍ରେଷ୍ଠ ଗ୍ରାହକ ବ୍ୟବହାର, ଏସଏଚଜି ଉତ୍ପାଦରେ ନବୀନତା ଓ ସର୍ବଶ୍ରେଷ୍ଠ ଷ୍ଟଲ୍ ପୁରସ୍କୃତ ହେବ। ଅଣବଜେଟ୍ ଶ୍ରେଣୀରେ ଏସଏଚଜି କ୍ରେଡିଟ୍ ଲିଙ୍କେଜରେ ସର୍ବଶ୍ରେଷ୍ଠ ବ୍ୟାଙ୍କ ଓ ବ୍ଲକ୍, ଏବଂ ଲକ୍ଷପତି ଦିଦି, ସ୍ୱଦେଶୀ ସଂକଳ୍ପ ଅଭିଯାନ ଓ ବ୍ୟକ୍ତିଗତ ଉଦ୍ୟମୀ ସୃଷ୍ଟିରେ ସର୍ବଶ୍ରେଷ୍ଠ ବ୍ଲକ୍ ଚୟନ କରାଯାଇ ପୁରସ୍କୃତ କରାଯିବ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରିୟଦର୍ଶୀ ରାଜେଶ, ଡିଏସଡବ୍ଲ୍ୟୁଓ ଜ୍ୟୋତ୍ସ୍ନାରାଣୀ ମହାନ୍ତି, ଡେପୁଟି ସିଇଓ, ଅରମାସ ଶାନ୍ତନୁ ବାନାର୍ଜୀ ଓ ଡିପିସି, ମିଶନ ଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ।

ଜିଲ୍ଲା ପ୍ରଶାସନ ଆଶାପୋଷଣ କରିଛନ୍ତି ଯେ ସୁଭଦ୍ରା ଶକ୍ତି ମେଳା–୨୦୨୬ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହ ମହିଳା ସଶକ୍ତିକରଣ ଓ ସ୍ୱଦେଶୀ ଉତ୍ପାଦ ପ୍ରଚାରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରମାଣିତ ହେବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.