ସାମ୍ପ୍ରତିକ ବିଶ୍ଵ ପ୍ରରିପ୍ରେକ୍ଷୀରେ ରାଜନୀତି ବିଜ୍ଞାନର ଆଭିମୁଖ୍ୟ ଓ ପ୍ରାସଙ୍ଗିକତା 

ମାନବ ସଭ୍ୟତାର ଇତିହାସ ହେଉଛି ଶାସନ ଓ ସଂଘର୍ଷର ଇତିହାସ। ଆଦିମ ସମାଜରୁ ଆରମ୍ଭ କରି ଆଧୁନିକ ଗଣତାନ୍ତ୍ରିକ ରାଷ୍ଟ୍ର ଯାଏ ମଣିଷ ନିଜକୁ ସୁସଙ୍ଗଠିତ କରିବା ପାଇଁ ଯେଉଁ ନୀତି ପ୍ରଣୟନ କରିଛି, ତାହାକୁ ରାଜନୀତି କୁହାଯାଏ। ବିଶିଷ୍ଟ ଗ୍ରୀକ ଦାର୍ଶନିକ ଆରିଷ୍ଟୋଟଲଙ୍କ ମତରେ “ମଣିଷ ପ୍ରକୃତିଗତ ଭାବେ ଏକ ରାଜନୈତିକ ପ୍ରାଣୀ“। ରାଜନୀତି ବିଜ୍ଞାନ କେବଳ କ୍ଷମତାର ଖେଳ ନୁହେଁ, ବରଂ ଏହା ସମାଜକୁ ଏକ ବ୍ୟବସ୍ଥିତ ରୂପ ଦେବାର ଏକ ବୈଜ୍ଞାନିକ ପଦ୍ଧତି। ଆଜିର ଜଟିଳ ଭୂ – ରାଜନୈତିକ ପରିସ୍ଥିତିରେ ଏହି ବିଷୟର ଅଧ୍ୟୟନ ଓ ପ୍ରାସଙ୍ଗିକତା ସର୍ବାପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇ ପଡିଛି। ରାଜନୀତି ବିଜ୍ଞାନ କେବଳ ସରକାର କିମ୍ବା ନିର୍ବାଚନ ମଧ୍ୟରେ ସୀମିତ ନୁହେଁ। ଏହା ରାଷ୍ଟ୍ର ଉତ୍ପତ୍ତି, ପ୍ରକୃତି, କ୍ଷମତା, ସଂରଚନା, ଆଇନର ଶାସନ ଏବଂ ବ୍ୟକ୍ତି ଓ ସମାଜ ମଧ୍ୟରେ ଥିବା ସମ୍ପର୍କକୁ ଅଧ୍ୟୟନ କରିଥାଏ। ପ୍ରାଚୀନ କାଳରେ ପ୍ଲାଟୋ ଓ ଆରିଷ୍ଟୋଟଲଙ୍କ ଦର୍ଶନ ଠାରୁ ଆରମ୍ଭ ହେଇଥିବା ଏହି ବିଷୟ, ପରବର୍ତ୍ତୀ ସମୟରେ ମାକିଆଭେଲି, ହବ୍ସ, ଲକ ଏବଂ ରୁଷୋଙ୍କ ଭଳି ଚିନ୍ତାଶୀଳ ବ୍ୟକ୍ତିଙ୍କ ଦ୍ବାରା ନୂତନ ରୂପ ପାଇଥିଲା। ଭାରତୀୟ ପରିପ୍ରେକ୍ଷୀରେ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ଏବଂ ମନୋବିଜ୍ଞାନ ସହ ସମନ୍ବୟ ରକ୍ଷା କରି ଏକ ଅନ୍ତଃ – ବୈଷୟିକ ବିଷୟ ଭାବେ ଉଭା ହୋଇଛି। ଭାରତ ଭଳି ଏକ ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ରରେ ରାଜନୀତି ବିଜ୍ଞାନର ସବୁଠାରୁ ବଡ ଅବଦାନ ହେଉଛି ସଚେତନ ନାଗରିକ ସୃଷ୍ଟି କରିବା। ଗଣତନ୍ତ୍ରର ସଫଳତା କେବଳ ନିର୍ବାଚନରେ ଭୋଟ୍ ଦେବା ଉପରେ ନିର୍ଭର କରେ ନାହି ବରଂ ସରକାରଙ୍କ ନୀତି ଓ ନିଷ୍ପତ୍ତିକୁ ତର୍କ ସଙ୍ଗତ ଭାବେ ବିଶ୍ଳେଷଣ କରିବା ଉପରେ ନିର୍ଭର କରେ। ରାଜନୀତି ବିଜ୍ଞାନ ଆମକୁ ସମାନତା, ସ୍ବାଧୀନତା, ସାମାଜିକ ନ୍ୟାୟ ଏବଂ ଧର୍ମ ନିରପେକ୍ଷତା ଭଳି ସାମାଜିକ ମୂଲ୍ୟବୋଧର ପ୍ରକୃତ ଅର୍ଥ ବୁଝାଏ। ଯେତେବେଳେ ଜଣେ ସାଧାରଣ ନାଗରିକ ନିଜର ମୌଳିକ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଜାଣେ, ସେତେବେଳେ ସେ ଶାସନ ବ୍ୟବସ୍ଥାକୁ ଉତ୍ତରଦାୟୀ କରିପାରେ। 

ଆଜିର ଯୁଗରେ ରାଜନୀତି କେବଳ ଦେଶର ସୀମା ମଧ୍ୟରେ ଆବଦ୍ଧ ହେଇ ରହି ନାହିଁ ବରଂ ‘ଜଗତୀକରଣ’ ଯୋଗୁଁ ସମଗ୍ର ବିଶ୍ଵ ଏକ ଗ୍ରାମରେ ପରିଣତ ହୋଇସାରିଛି। ଅନ୍ତର୍ଜାତୀୟ ସମ୍ପର୍କ, ବିଦେଶ ନୀତି, ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଏବଂ ବିଶ୍ଵ ସ୍ଥରୀୟ ଅର୍ଥନୀତି ଭଳି ପ୍ରସଙ୍ଗ ଗୁଡିକ ରାଜନୈତିକ ଘଟଣାବଲୀର ପ୍ରଭାବ ସାରା ବିଶ୍ଵବା ଉପରେ ପଡୁଛି। ୟୁକ୍ରେନ – ରୁଷ ଯୁଦ୍ଧ ହେଉ କିମ୍ବା ମଧ୍ୟପ୍ରାଚ୍ୟର ଅସ୍ଥିରତା ଏହାର ସମାଧାନ କେବଳ କୂଟନୈତିକ ଆଲୋଚନା ଦ୍ୱାରା ହିଁ ସମ୍ଭବ। ରାଜନୀତି ବିଜ୍ଞାନ  ଆମକୁ ଏହି ସଘର୍ଷ ଗୁଡିକୁ ବୁଝିବା ଏବଂ ବିଶ୍ଵ ଶାନ୍ତି ପାଇଁ ରାସ୍ତା ଖୋଲିବା ରେ ସହାୟକ ହୋଇଥାଏ। ଅନେକ ସମୟରେ ଯୁବପିଢି ରାଜନୀତିକୁ ଏକ ଧନ୍ଦାମୂଳକ, ତଥା ଖରାପ ବ୍ୟବସାୟ ଭାବେ ଦେଖି ଏଥିରୁ ଦୂରେଇ ରୁହନ୍ତି। କିନ୍ତୁ ପ୍ଲାଟୋ କହିଥିଲେ ରାଜନୀତିରେ ଭାଗ ନେବାକୁ ମନା  କରିବାର ଶେଷ ପରିଣାମ ହେଉଛି, ଆପଣଙ୍କୁ ଅଯୋଗ୍ୟ ଲୋକଙ୍କ ଦ୍ଵାରା ଶାସିତ ହେବାକୁ ପଡିବ। ତେଣୁ ଶିକ୍ଷିତ ଯୁବପିଢି ରାଜନୈତିକ ଚିନ୍ତାଧାରା ଓ ପ୍ରକ୍ରିୟା ସହ ଜଡ଼ିତ ହେବା  ଜରୁରୀ।  ରାଜନୀତି ବିଜ୍ଞାନର ଶିକ୍ଷା ସେମାନଙ୍କୁ ଦେଶର ସମସ୍ୟା ବୁଝିବା ଏବଂ ସେଗୁଡ଼ିକର ସମସ୍ୟା ବୁଝିବା ଏବଂ ସେଗୁଡିକର ସମାଧାନ ପାଇଁ ନୂତନ ଦିଗ ଦେଖାଇବାରେ ସକ୍ଷମ କରେ। ରାଜିନୀତି ବିଜ୍ଞାନ କେବଳ କେତେକ ତଥ୍ୟ ବା ସିଦ୍ଧାନ୍ତର ସମାହାର ନୁହେଁ, ଏହା ମାନବ ସମାଜର ମଙ୍ଗଳ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ। ଏକ ସୁସ୍ଥ ଗଣତନ୍ତ୍ର ଗଠନ, ଦୁର୍ନୀତିମୁକ୍ତ ଶାସନ ଏବଂ ବିଶ୍ଵ ଶାନ୍ତି ପ୍ରତିଷ୍ଠା ପାଇଁ ରାଜନୈତିକ ଚେତନା ଏକାନ୍ତ ଆବଶ୍ୟକ। ଆଜିର ସମାଜରେ ସମସ୍ତ ପ୍ରକାର ବ୍ୟକ୍ତି ରାଜନୀତିରୁ ପ୍ରଭାବିତ, ତେଣୁ ଏହି ବିଷୟରେ ସମ୍ୟକ ଜ୍ଞାନ ରହିବା ସୁଶାସନ ପାଇଁ ଏକ ନିତାନ୍ତ ସର୍ତ୍ତ। 

ସିଦ୍ଧାର୍ଥ ଶାଶ୍ଵତ ପଣ୍ଡା

ଜୁନାଗଡ, କଳାହାଣ୍ଡି  

ମୋ: ୯୪୩୭୭୦୦୦୨୯

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.