ଆମ୍ବେଦକର ଜୟନ୍ତୀ ବା ଭୀମ ଜୟନ୍ତୀ ଏକ ବାର୍ଷିକ ଉତ୍ସବ ଯାହା ୧୪ ଅପ୍ରେଲ ତାରିଖ ଦିନ ଭାରତୀୟ ସମ୍ବିଧାନର ପ୍ରଣେତା ଓ ବହୁଗୁଣ ସମ୍ପନ୍ନ ବି.ଆର. ଆମ୍ବେଦକରଙ୍କ ସ୍ମୃତିରେ ପାଳନ କରାଯାଏ। ଅପ୍ରେଲ ୧୪ ତାରିଖ ୧୮୯୧ ମସିହା ଦିନ ଡ. ବାବାସାହେବ ଆମ୍ବେଦକର ଜନ୍ମଗ୍ରହଣ କରିଥିବା ଯୋଗୁ ଏହି ଦିନ ପାଳନ କରାଯାଏ। ଏହି ଦିନଟି ୨୦୧୫ ମସିହାରୁ ଏକ ଜନ ସାଧାରଣ ଛୁଟି ଭାବରେ ପାଳନ କରାଯାଉଛି। ଏହି ଦିବସଟି କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ପାଳିତ ହେଉଛି। ସାରା ଜୀବନ ଆମ୍ବେଦକର ସମତା ନିମନ୍ତେ ଲଢେଇ କରିଥିବାରୁ ତାଙ୍କର ଏହି ଜନ୍ମଦିନକୁ ସମତା ଦିବସ ଭାବରେ ମଧ୍ୟ ପାଳନ କରାଯାଉଛି, ଓ ଏହାକୁ ଏକ ଆନ୍ତର୍ଜାତୀୟ ଦିବସ ରୂପେ ପାଳନ କରିବାକୁ ମିଳିତ ଜାତିସଂଘ ଆଗରେ ଦାବି ହେଉଛି। ଅପ୍ରେଲ ୧୪ ତାରିଖ ୧୯୯୦ ମସିହାରେ ଆମ୍ବେଦକରଙ୍କୁ ଭାରତରତ୍ନ ପୁରସ୍କାର ଦିଆଯାଇଥିଲା। ସେହି ବର୍ଷ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କର ଏକ ପୂର୍ଣ୍ଣାବୟବ ଛବି ସ୍ଥାପନ କରାଯାଇଥିଲା।





