ଓଡ଼ିଆ ବାର୍ତ୍ତା/ ଯାଜପୁର (ବିରଞ୍ଚିନାରାୟଣ ପତ୍ରୀ): କୋରାଇ ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମ ଗୁଡିକରେ ପିଇବାପାଣି ସଂକଟ ଦେଖାଦେଇଛି ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ବୈତରଣୀ ନଦୀ କୂଳକୁ ଲାଗିଥିବା ପଂଚାୟତ ଯଥା ମୂଳାପାଳ, ଅମ୍ବତିଆ, ମକୁନ୍ଦପୁର, ଗୌରପୁର, ରଣପୁର ଓ ଅସଂଝର ଗ୍ରାମପଂଚାୟତ ରେ ଥିବା ଟ୍ୟୁବୱାଲ ଗୁଡିକ ଅଚଳ ହୋଇ ପଡିବା ଯୋଗୁ ପିଇବା ପାଣିର ଘୋର ସଂକଟ ଦେଖାଦେବା ଦ୍ୱାରା ଜନ ଅସନ୍ତୋଷ ପରିଲକ୍ଷିତ ହୋଇଛି। ବୈତରଣୀ ନଦୀରୁ ବେଆଇନ ବାଲି ଉଠାଣ ଓ ରବି ଫସଲ (ଟାଇଚିନ) ଚାଷ କରିବା ଦ୍ୱାରା ଜଳ ସ୍ତର ନିମ୍ନଗାମୀ ହେଉଛି। ଜିଲ୍ଲା ପ୍ରଶାସନ ଜାଣି ଅଜଣା ରହୁଥିବା ମଧ୍ୟ ଅଭିଯୋଗ ହେଉଛି। ସରକାରଙ୍କ ଏହି ମେଗା ପ୍ରୋଜେକ୍ଟ ଓ ଆରଡବଲୁଏସଏସ ଅଧିକାରୀଙ୍କ ଦୁର୍ନୀତିଖୋର ମନୋବୃତି, ସମ୍ପୂର୍ଣ ଏହାର ବିଫଳତା ଯୋଗୁଁ ଏହାର ପ୍ରତିବାଦରେ କୋରାଇ ବ୍ଲକ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତର ବିଜେପି ସଭାପତି ନିରାକାର ସାହୁ (ସନା)ଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ କୋରାଇ ମଣ୍ଡଳ ଅଧିକାରୀ ଅବନୀକାନ୍ତ ସାହୁଙ୍କ ଜରିଆରେ ଯାଜପୁର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି ତୁରନ୍ତ ଏହାର ସମାଧାନ କରାନଯାଏ ବାଧ୍ୟ ହୋଇ ବ୍ଲକ ସମ୍ମୁଖରେ ଏହାର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଗଣଧାରଣା ଚାଲୁରହିବ ବୋଲି ଚିଠିରେ ଉଲ୍ଲେଖ ରହିଛି।





