ଓଡ଼ିଆ ବାର୍ତ୍ତା/ ବଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଗେଙ୍ଗୁଟି ଗ୍ରାମ ପଞ୍ଚାୟତ ଅଧିନସ୍ଥ ଜମ୍ବେଶ୍ୱରପୁର ଗ୍ରାମର ପୂର୍ବପଟ ଜନ ଉପଜାତି ବସ୍ତିରେ ଏକ ବର୍ଷରୁ ଅଧିକ ସମୟ ପୂର୍ବେ ସରକାରଙ୍କ ଜନହିତ ଯୋଜନାରେ ସୁଧାକର ସେଠୀଙ୍କ ଘର ପାଖରେ ଖୋଳା ଯାଇଥିବା ନଳକୂପର ପକ୍କା ପ୍ଲାଟଫର୍ମ ନିର୍ମାଣ ନକରିବାରୁ ଜନ ଅସନ୍ତୋଷ ଦେଖାଯାଇଛି। ଠିକାଦାର ଓ ସରକାରୀ କର୍ମଚାରୀଙ୍କ ଅସହଯୋଗ ପାଇଁ ଗ୍ରାମବାସୀଙ୍କୁ ଦୂଷିତ ପାନୀୟ ଜଳ ପିଇବାକୁ ପଡୁଛି ବୋଲି ସ୍ଥାନୀୟ ଗ୍ରାମବାସୀ ହରେନ୍ଦ୍ର ପ୍ରଧାନ କହିଛନ୍ତି। ନଳକୂଅ ତିଆରି ବେଳେ ଗ୍ରାଭେଲସ ଦେଲେ ନାହିଁ କି ଦୀର୍ଘ ଏକ ବର୍ଷରୁ ଅଧିକ ଧରି ପକ୍କା ପ୍ଲାଟଫର୍ମ ତିଆରି କରୁନାହାନ୍ତି। ଏହା ସରକାରଙ୍କ ଜନହିତ ଯୋଜନା ପ୍ରତି ଉପହାସ ବୋଲି ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି।
ଉକ୍ତ ଗ୍ରାମରେ ପାନୀୟ ଜଳ ସ୍ତରରେ ନିର୍ମାଣ ହୋଇଥିବା ଉତ୍ସକୂପ ଗୁଡିକ କୃଷିକାର୍ଯ୍ୟରେ ବହୁଳ ବ୍ୟବହାର ହେତୁ, ଘରୋଇ ନଳକୂପ ସବୁ ଅଚଳ ହୋଇ ଯିବା ଫଳରେ, ଏକମାତ୍ର ଭରସା ସେହି ସରକାରୀ ନଳକୂଅଟି ପକ୍କା ପ୍ଲାଟଫର୍ମ ଅଭାବରୁ ବାହାରୁଥିବା ପାନୀୟ ଜଳ ଅନୁପଯୁକ୍ତ କର୍ଦ୍ଦମାକ୍ତ ହେତୁ ଚିନ୍ତାର କାରଣ ଦେଖା ଦେଇଛି। ନଳକୂପ ନିର୍ମାଣ ଓ ମରାମତି ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରିଲା ପରେ ମଧ୍ୟ, ପକ୍କା ପ୍ଲାଟଫର୍ମ ନିର୍ମାଣ ନ କରିବା ଅସନ୍ତୋଷର କାରଣ ସୃଷ୍ଟି କରିଛି। ସରକାରୀ ଜନହିତକର ଯୋଜନାରେ ନିର୍ମିତ ପ୍ରକଳ୍ପ ଗୁଡିକ ଅଧିକାରୀଙ୍କ ଏଭଳି ଖାମଖିଆଲି ମନଭାବ ଶୁଭଙ୍କର ନୁହେଁ ବୋଲି ସାମାଜିକ କର୍ମୀ ମୋନାଲିସା ସେଠୀ ଜଣାଇବା ସହ ତୁରନ୍ତ ନିର୍ମାଣ ପାଇଁ ଦାବି ରଖିଛନ୍ତି।





