ରାଷ୍ଟ୍ରୀୟ ନାଟ୍ ସମ୍ମାନ ପାଇବେ ପ୍ରସନ୍ନ ଦାଶ
ଓଡ଼ିଶାର ୧୯ ଜଣ ବିଶିଷ୍ଟ ମଞ୍ଚସଜ୍ଜା ଶିଳ୍ପୀ ପାଇବେ ନାଟ୍ ବିଶ୍ୱକର୍ମା ସମ୍ମାନ
ଆଲୋଚନାଚକ୍ର ସହ ଉନ୍ନୋଚ଼ିତ ହେବ ସ୍ମରଣିକା ନେପଥ୍ୟ
ଓଡ଼ିଆ ବାର୍ତ୍ତା/ ସୋନପୁର: ନାଟକ, ସାହିତ୍ୟ ଏବଂ ସମାଜସେବା ପାଇଁ ସମର୍ପିତ ସୁବର୍ଣ୍ଣପୁରର ଅନୁଷ୍ଠାନ ନୋଡାଲ ଆସୋସିଏସନ୍ ଫର୍ ଅନେଚ୍ୟୋର୍ ଥିଏଟର (ନାଟ୍) ୨୬ ଏପ୍ରିଲରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଆୟୋଜନ କରୁଛି ରାଷ୍ଟ୍ରୀୟ ନାଟ୍ ମେଲା ୨୦୨୬ । ଏହି ଏକ ଦିବସୀୟ ଉତ୍ସବରେ ‘ନାଟକ ପରିବେଷଣରେ ମଞ୍ଚସଜ୍ଜା : ଐତିହ୍ୟ ଓ ସମୃଦ୍ଧି’ ଶୀର୍ଷକ ଆଲୋଚ଼ନାଚକ୍ର ଅନୁଷ୍ଠିତ ହେବା ସହ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହେବ ।
ବିଶିଷ୍ଟ ନାଟ୍ୟକର୍ମୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଦାଶଙ୍କୁ ଚ଼ଳିତ ବର୍ଷ ସମ୍ମାନ ଜନକ ରାଷ୍ଟ୍ରୀୟ ନାଟ୍ ସମ୍ମାନ ପ୍ରଦାନ କରାଯିବ ଏବଂ ତାଙ୍କୁ ଏକ ବର୍ଷ ପାଇଁ ନାଟ୍ ଅନୁଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଅଭିଷିକ୍ତ କରାଯିବ । ଏହା ସହିତ ବିଶିଷ୍ଟ ମଞ୍ଚସଜ୍ଜା ଶିଳ୍ପୀ କୁନୁ ବେଜ, ପ୍ରବୀଣ କୁମାର ଅଗ୍ରୱାଲ, ଭିନ୍ନେନ୍ଦୁ ଶେଖର ଦାଶ, ପ୍ରଳୟ କୁମାର ଶତପଥୀ, ଉମାକାନ୍ତ ବିଷୋୟୀ, ଅଶୋକ କୁମାର ମିଶ୍ର, ଚିତ୍ରସେନ ମିଶ୍ର, ସଞ୍ଜୟ ସାହୁ, ଦେବେନ୍ଦ୍ର କୁମାର ଅମାତ, ପ୍ରଭାସ ଚ଼ନ୍ଦ୍ର ମିଶ୍ର, ନାଟ୍ୟଶ୍ରୀ ବିପିନ ବିହାରୀ ଦାସ, ଲଡୁ କିଶୋର ମଲ୍ଲିକ, ରମେଶ ଗୁର୍ଲା, ଆଶିଷ କୁମାର ବାଇକର, ଅଶୋକ ବାରିକ, ଜନ୍ମେଜୟ ନାୟକ, କୌଶିକ ଜାଲ, ତ୍ରିମୋହନ ସାହୁ ଏବଂ ଡ଼ଃ ଶ୍ୟାମ ସୁନ୍ଦର ପାଣ୍ଡେଙ୍କୁ ନାଟ୍ ବିଶ୍ୱକର୍ମା ସମ୍ମାନରେ ସମ୍ମାନିତ କରାଯିବ ।

ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ନେପଥ୍ୟ ଉନ୍ମୋଚ଼ନ ହେବାର କାର୍ଯ୍ୟକ୍ରମ ରହିଛି । ଇଣ୍ଟେକ୍ ସୋନପୁର ଶାଖାର ସହଯୋଗରେ ଆୟୋଜିତ ହେବାକୁ ଥିବା ଆଲୋଚ଼ନାଚକ୍ରରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀର ପୂର୍ବତନ ସଚିବ ପ୍ରବୋଧ ରଥଙ୍କ ସମେତ ଅଶୋକ ବହିଦାର, ଚିତ୍ତ ରଂଜନ ଦାଶ, ପ୍ରଦୀପ ପଣ୍ଡା, ପ୍ରଦୀପ ଡ଼ି. ମାଝି, ଶ୍ୟାମା ଓଁ ପ୍ରସାଦ ମିଶ୍ର, ସତ୍ୟ ରଞ୍ଜନ ବେହେରା, ତୁଷାରକାନ୍ତ ସାହୁ, ନାଟ୍ୟଶ୍ରୀ ମାନସ ରଞ୍ଜନ ମିଶ୍ର, ଅତିଶ କୁମାର ଶତପଥି , ସୁବାସ ପ୍ରଧାନ ଏବଂ ଡଃ. ଦ୍ଵାରିକାନାଥ ନାୟକଙ୍କ ପରି ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ନାଟ୍ୟକର୍ମୀମାନେ ଅତିଥି ଆଲୋଚ଼କ ଭାବେ ଯୋଗ ଦେବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ସକାଳ ୯ ଘଣ୍ଟାରୁ ଆରମ୍ଭ ହେବାକୁ ଥିବା ରାଷ୍ଟ୍ରୀୟ ନାଟ୍ ମେଲା ୨୦୨୬ରେ ନାଟକ, ସାହିତ୍ୟ ଓ ସଂସ୍କୃତିପ୍ରେମୀ ମାନେ ସାମିଲ ହେବାକୁ ନାଟ୍ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି ।





