ଅନୁଷ୍ଠିତ ହେଲା ଫକୀର ମୋହନ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ୩୨ତମ ବାର୍ଷିକ ସମାରୋହ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ସଂସଦର ୩୨ତମ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ସଭାଗୃହରେ ଆୟୋଜିତ ଏହି ଉତ୍ସବରେ ସମୟର ସ୍ରୋତରେ ହଜି ଯାଇଥିବା ଅତୀତର ସ୍ମୃତି ପୁଣି ଥରେ ଜୀବନ୍ତ ହୋଇ ଉଠିଥିଲା। ସଂସଦର ସଭାପତି ଡାକ୍ତର ପ୍ରଭାତ ଚନ୍ଦ୍ର ଚୌଧୁରୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଗାରିମାମୟ ସଭାକୁ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ। ସଭା ଆରମ୍ଭରେ ସଭାପତି ଡାକ୍ତର ଚୌଧୁରୀ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ସଂସଦର ଆଦର୍ଶ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ। ଏହା ପରେ ପରେ ସଂସଦର ସଂଗଠକ ସମ୍ପାଦକ ଲକ୍ଷ୍ମୀ ନାରାୟଣ ଘୋଷ ବାର୍ଷିକ ସମ୍ପାଦକୀୟ ବିବରଣୀ ପାଠ କରି ବର୍ଷସାରା ଅନୁଷ୍ଠାନ ପକ୍ଷରୁ ସମ୍ପାଦିତ ବିଭିନ୍ନ ସମାଜସେବାମୂଳକ ଓ ଶୈକ୍ଷିକ କାର୍ଯ୍ୟକ୍ରମର ଏକ ସବିଶେଷ ଚିତ୍ର ଉପସ୍ଥାପନ କରିଥିଲେ।ମୁଖ୍ୟ ଅତିଥି ପ୍ରଫେସର ତ୍ରିପାଠୀ ନିଜ ଅଭିଭାଷଣରେ ଶିକ୍ଷାୟତନର ସର୍ବାଙ୍ଗୀନ ବିକାଶରେ ପୁରାତନ ଛାତ୍ରମାନଙ୍କ ଭୂମିକା ଅତ୍ୟନ୍ତ ଗୌରବଜନକ ବୋଲି ପ୍ରକାଶ କରିଥିଲେ। କେବଳ ସେତିକି ନୁହେଁ, ମହାବିଦ୍ୟାଳୟକୁ ଚତୁର୍ବେଣୀ ବୋଲି କହିବା ସହ ସଭିଙ୍କ ସହଯୋଗରେ ଏହା ସମୃଦ୍ଧ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ଯୋଗ ଦେଇ ପୁରାତନ ଛାତ୍ରମାନଙ୍କୁ ଆଗାମୀ ପିଢ଼ିର ପଥପ୍ରଦର୍ଶକ ଭାବେ ଅଭିହିତ କରିବା ସହ ସମୁଦ୍ର ମନ୍ଥନର ଉଦାହରଣ ଦେଇ ପଜେଟିଭ୍ ଏବଂ ନେଗେଟିଭ୍ ସତ୍ତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟତମ ବରଣ୍ୟ ଅତିଥି ଭାବେ ଫକୀରମୋହନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଦିନେଶ କୁମାର ଦାସ ସଂସଦର ଗଠନାତ୍ମକ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ।
ଏହି ଅବସରରେ ମୁଖ୍ୟ ସମ୍ପାଦକ ଭାବେ ପୁରାତନ ଛାତ୍ର ତଥା ବିଶିଷ୍ଟ ସାହିତ୍ୟିକ ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ ଏବଂ ସମ୍ପାଦନା ମଣ୍ଡଳୀର ସର୍ବଶ୍ରୀ ନାଟ୍ୟକାର ତଥା ଶିଶୁ ସାହିତ୍ୟିକ ପୀତାମ୍ବର ଦାସ, ଅନୀଲ ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ଘୋଷ, ରମାକାନ୍ତ ମହାନ୍ତି, ଦେବାଶିଷ ପାଣି ଓ ବିନୟ ମହାପାତ୍ରଙ୍କ ମିଳିତ ସମ୍ପାଦନାରେ ପ୍ରକାଶ ପାଇଥିବା ସଂସଦର ବାର୍ଷିକ ମୁଖପତ୍ର ‘ପ୍ରାକ୍ତନିକା’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହି ସମାରୋହରେ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପ୍ରଫେସର ଶତ୍ରୁଘ୍ନ ମଲ୍ଲିକଙ୍କୁ ‘ଶିକ୍ଷକ ଗୌରବ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପୁରାତନ ଛାତ୍ର ବୈଜ୍ଞାନିକ ପ୍ରଫେସର ନାରାୟଣ ଚନ୍ଦ୍ର ପ୍ରଧାନ, ପ୍ରଯୋଜକ ବିଷ୍ଣୁ ଦେବ ହାଲଦାର, ହୃଦରୋଗ ବିଶେଷଜ୍ଞ ଡାକ୍ତର ଯଯାତି କେଶରୀ ପାଢ଼ୀ, ବିଧାୟକ ସନ୍ତୋଷ ଖଟୁଆ ଏବଂ ସ୍ତମ୍ଭକାର ତଥା ସାମ୍ବାଦିକ ଡକ୍ଟର କୁଳମଣି ବାରିକଙ୍କୁ ‘ଛାତ୍ର ଗୌରବ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏଥିସହ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ପ୍ରାୟ ୭୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ଉତ୍ସାହିତ କରା ଯାଇଥିଲା। ପ୍ରାରମ୍ଭରେ ଅମୃତାଂଶୁ ପଟ୍ଟନାୟକ ଅତିଥି ମାନଙ୍କୁ ମଂଚ ଆହ୍ୱାନ କରିଥିଲେ।ସଭାକର୍ଯ୍ୟ ପ୍ରାରମ୍ଭରେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ତଥା ପୁରାତନ ଛାତ୍ର ଅମୃତାଂଶୁ ପଟ୍ଟନାୟକଙ୍କ ନିର୍ଦେଶନାରେ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। ଏଇ ଭବ୍ୟ ସଭାରେ ସମ୍ବର୍ଦ୍ଧିତ ହୋଇଥିବା ମହାନୁଭବମାନଙ୍କର ମାନପାତ୍ର କଲ୍ୟାଣୀ ନନ୍ଦ, ଚିତ୍ରା ରାଣୀ ପାତ୍ର ପାଠ କରିଥିବା ବେଳେ ଶ୍ରୀତମ ପାଣିଗ୍ରାହୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ସମ୍ବର୍ଦ୍ଧିତ ପ୍ରତିଭା ମାନେ ମହାବିଦ୍ୟାଳୟର ଛାତ୍ରଥିବା ସମୟର ଅନୁଭୂତି ବାଣ୍ଟିଥିଲେ।
ଉତ୍ସବ ପୂର୍ବରୁ ପ୍ରାତଃକାଳରେ ପତାକା ଉତ୍ତୋଳନ ଓ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ମଧ୍ୟ ଆୟୋଜିତ ହୋଇଥିଲା। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଉପସଭାପତି ଅନସୂୟା ନାୟକ, ଅନୀଲ କୁମାର ପଟ୍ଟନାୟକ, ଡାକ୍ତର ସୁଧାଂଶୁ ପରିଡ଼ାଙ୍କ ସମେତ ଅମୃତାଂଶୁ
ପଟ୍ଟନାୟକ, ପୀତାମ୍ବର ଦାସ, ପ୍ରାର୍ଥ ସାରଥୀ ଆଶ, ଦେବାଶିଷ ପାଣି, ଯଶୋଦା ନନ୍ଦନ ଆଶ, ଶ୍ୟାମ ସୁନ୍ଦର ଜେନା,ପ୍ରଶାନ୍ତ କୁମାର ପାଢୀ,କଲ୍ୟାଣୀ ନନ୍ଦ, ଚିତ୍ରା ରାଣୀ ପାତ୍ର, ଶରତ ଚନ୍ଦ୍ର ମିଶ୍ର ଓ ଅନ୍ୟାନ୍ୟ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଉପସଭାପତି ଅନସୂୟା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଶତାଧିକ ପୁରାତନ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଏହି ଦିବସଟି ଏକ ସ୍ମରଣୀୟ ପୁନର୍ମିଳନ ଉତ୍ସବରେ ପରିଣତ ହୋଇଥିଲା। ଏହି ଦିବସ କେବଳ ଏକ ବାର୍ଷିକ ଉତ୍ସବ ହୋଇ ରହି ନଥିଲା, ବରଂ ବାଲେଶ୍ୱରର ମାଟି ଓ ପାଣିରେ ଗଢ଼ି ଉଠିଥିବା ଏକ ବିଶାଳ ପରିବାରର ସ୍ମରଣୀୟ ପୁନର୍ମିଳନରେ ପରିଣତ ହୋଇଥିଲା। ବିଦାୟ ବେଳେ ପ୍ରତ୍ୟେକ ପୁରାତନ ଛାତ୍ରଙ୍କ ଆଖିରେ ଥିଲା ସୁବର୍ଣ୍ଣ ଅତୀତର ସ୍ମୃତି ଓ ମନରେ ଥିଲା ପ୍ରିୟ ମହାବିଦ୍ୟାଳୟ ପାଇଁ କିଛି କରିବାର ଦୃଢ଼ ସଙ୍କଳ୍ପ। ୩୨ତମ ସ୍ୱ-ନକ୍ଷତ୍ର ଦିବସ ଇତିହାସର ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ଉପସ୍ଥିତ ସମସ୍ତେ ମତ ପ୍ରକାଶ କରିଥିଲେ।





