ସୀମାପାର ହେଲା ମେଘାଲିଫ୍ଟ ଚାଷୀ ଆନ୍ଦୋଳନ: ଆସନ୍ତା କାଲି ଜିଲ୍ଲାପାଳ ଅଫିସ ଘେରାଉ, ୨୦ରେ ଆମରଣ ଅନଶନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରାଠାରେ ଚାଲିଥିବା ଚାଷୀ ଆନ୍ଦୋଳନ ସୋମବାର ୧୧ ଦିନରେ ପହଞ୍ଚିଛି। ଇନ୍ଦ୍ରାବତୀର ପାଣି ମିଳିଲା, ରକ୍ତକୁ ପାଣି କରି ଚାଷୀ ସୁନା ଫସଲ ଫଳାଇଲା। ହେଲେ ସରକାରୀ ବ୍ୟବସ୍ଥାର ‘ପି-ପାସ’ ପୋର୍ଟାଲରେ ମେଗା ଲିଫ୍ଟର ବିକଳ୍ପ ରହିଲା ନାହିଁ। ପରିଣାମ କୋକସରା, ଜୟପାଟଣା ଓ ଧର୍ମଗଡ଼ର ପ୍ରାୟ ୧୫ ହଜାର ଚାଷୀଙ୍କ ରବି ଧାନ ଆଜି ବିଲରେ କିମ୍ବା ଖଳାରେ ପଡ଼ି ସଢୁଛି। ଏହା କେବଳ ବାଦ୍ ପଡ଼ିବା ନୁହେଁ, ଏହା ହେଉଛି ୧୫ ହଜାର ଚାଷୀ ପରିବାର ପ୍ରତି ସରକାରଙ୍କ ସବୁଠାରୁ ବଡ଼ ବିଶ୍ୱାସଘାତକତା ବୋଲି ଚାଷୀମାନେ କ୍ଷେଭର ସହ ପ୍ରକାଶ କରିଛନ୍ତି। ଏହି ଅପମାନ ଆଉ ସହିବେନି ଚାଷୀ। ପ୍ରଶାସନର ନିରବତା ଚାଷୀଙ୍କ ଧୈର୍ଯ୍ୟର ବାନ୍ଧ ଭାଙ୍ଗି ଦେଇଛି। ଚାଷୀ ଚେତାଇ ଦେଇଛନ୍ତି ଧାନ ଯଦି ସରକାର ନକିଣିବେ, ତେବେ ଆଗାମୀ ଦିନରେ ଶାସକ ଦଳକୁ ଏହାର କଡ଼ା ଜବାବ ମିଳିବ। ଆସନ୍ତାକାଲି (୧୯ ତାରିଖ) ସୀମା ପାର୍ ହେବ ଅସନ୍ତୋଷ, ହଜାର ହଜାର ଚାଷୀ ଘେରିବେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। ଏନେଇ ଇନ୍ଦ୍ରାବତୀ ଉଠା ଜଳସେଚନ ଚାଷୀ ସଂଘ ସ୍ପଷ୍ଟ ସୂଚାଇ ଦେଉଛି। ଏହାସତ୍ତ୍ୱେ ମଧ୍ୟ ସରକାର ଦାବି ପୂରଣ ନ କରନ୍ତି ତେବେ ୨୦ ମେ’ ରୁ ନିଜ ଜୀବନକୁ ବାଜି ଲଗାଇ ‘ଆମରଣ ଅନଶନ’ରେ ଚାଷୀ ବସିବେ ବୋଲି ପ୍ରସ୍ତୁତି କରିଥିବା ସୂଚନା ମିଳିଛି। ଆଜି ଗଣଧାରଣାରେ ସଂଘର ସଭାପତି ପୁରୁଷୋତ୍ତମ ଦାସ ଗୁପ୍ତା, ଉପସଭାପତି ରାଜୀବ କୁମାର ଅଗ୍ରୱାଲ, ଦୁର୍ଗା ପ୍ରସାଦ ନାଏକ, ତ୍ରିଭୁବନ ନାଏକ, ବରିଷ୍ଠ କଂଗ୍ରେସ ନେତା ତଥା କଳାହାଣ୍ଡି ସ୍ବାଭିମାନ ମଞ୍ଚର ଆବାହକ ସୁରେଶ ଚନ୍ଦ୍ର ରାଉତ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ବେଣୁପାଣି ଦୁର୍ଗା, ଯୁବ ନେତା ମାନସ ରଞ୍ଜନ ବାଗ, ଅରୁଣ ମାଝୀ, ନବୀନ ନାଏକ, ପଞ୍ଚକ ପୋଡ଼, ଦିଗାମ୍ବର ବେମାଲ, ଅମୋଜ ଧାରୁଆ, ଧବଲେଶ୍ୱର ନାଗ, ଗୋବର୍ଦ୍ଧନ ବାଗ, ପବିତ୍ର ମୋହନ ନିଆଲ, ରବି ନାରାୟଣ ଦାସ, ମାର୍କଣ୍ଡ ବେମାଲା, ନିମାଇଁ ଚରଣ ଧଙ୍ଗଡ଼ାମାଝୀ, ତ୍ରିମୋହନ ନାଏକ, ନିଲାମ୍ବର ବାରିକ, ଚିନ୍ତାମଣି ପଟ୍ଟନାୟକ, ସୁଶାନ୍ତ ବେହେରା ସମେତ ବିଭିନ୍ନ ଗାଁ ରୁ ଚାଷୀମାନେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.