ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ କାର୍ଯ୍ୟାଳୟ ସଭାଗୃହଠାରେ ଗୁରୁବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଛି। ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡ଼ିଓ ହିମାଞ୍ଚଳ ମାଝୀ, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ତତ୍ତ୍ବଦର୍ଶି ଦାସ, ତହସିଲଦାର ଚୌଡଗଙ୍ଗ ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି, ଧର୍ମଗଡ଼ ବିଧାୟକଙ୍କ ପ୍ରତିନିଧି ଭାବରେ ତ୍ରିନାଥ ଶବର, ବ୍ଳକ ସହକାରୀ ଯନ୍ତ୍ରୀ ଏହମ୍ମଦ ସରିଫ, ଯୋଗାଣ ନିରିକ୍ଷକ ଜଗାରାମ ମୁର୍ମୁ, କୋକସରା ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ ଓ ମୋଟେର ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରୀ ପ୍ରମୁଖ ବୈଠକରେ ଯୋଗଦେଇଥିଲେ। ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମିଲୁ ପ୍ରଧାନୀ ସଭା ସଂଯୋଜନା କରିବା ସହ ପୂର୍ବ ବୈଠକର ବିବରଣୀ ପଠନ ସହ ସମସ୍ତଙ୍କ ମତାମତ ଲୋଡ଼ିଥିଲେ। ବୈଠକରେ ବିଭିନ୍ନ ଧାନ ମଣ୍ଡିରେ ଦେଖାଦେଇଥିବା ଅବ୍ୟବସ୍ଥା, କଟନି ଛଟନି ଓ ମିଲର୍ସ ଠିକ୍ ଭାବେ ଆସୁ ନଥିବା ସହ ମଣ୍ଡି ସମସ୍ୟା ଉପରେ ଅଧିକାରୀଙ୍କୁ ଘେରିଥିଲେ ସମିତି ସଭ୍ୟ ଓ ସରପଞ୍ଚ। ସେହିପରି ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତା ଓ ଲିପ୍ଟିଂ ର ଯାଞ୍ଚ କରିବା ପାଇଁ ଯୋଗାଣ ବିଭାଗ କୁ ଅଭିଯୋଗ କରାଯାଇଥିଲା। ଆମପାଣି ପଞ୍ଚାୟତରେ ମା’ଗୃହ କରିବା ନେଇ ଆଲୋଚନା ହୋଇଥିବା ବେଳେ ଉପାନ୍ତ ଅଞ୍ଚଳରେ ଶିକ୍ଷକ ମାନେ ଠିକ୍ ଭାବେ ସ୍କୁଲ ଯାଉନଥିବା ଓ ନିର୍ଦ୍ଧାରିତ ସମୟ ପୂର୍ବରୁ ଛୁଟି କରୁଥିବା ଅଭିଯୋଗ ହୋଇଥିଲା। ସେହିପରି ଚିକିଲି ସ୍କୁଲରେ ବିନା ବିଜ୍ଞାପନରେ କାହାକୁ ନଜଣାଇ କେମେତି ୱାଚ ମେନ୍ ନିଯୁକ୍ତି ଦିଆଗାଲା ତାକୁ ନେଇ ସ୍ଥାନୀୟ ସରପଞ୍ଚ ପ୍ରଶ୍ନ ଉଠାଇଥିଲେ। କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଏକ୍ସସ୍ରେ ମେସିନ୍ କାର୍ଯ୍ୟକାରୀ କରିବା, ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପାନୀୟ ଜଳ, ଗମନା ଗମନ, ଆଦି ଉନ୍ନୟନ ମୂଳକ ପଦକ୍ଷେପ, ସରକାରୀ ଯୋଜନାର ସୁଫଳ ରୂପାୟନ ଓ ବିଭିନ୍ନ ସମସ୍ୟାର ସମସ୍ୟା ଦିଗରେ ସମସ୍ତ ଜନପ୍ରତିନିଧି ଓ ବ୍ଲକ ପ୍ରଶାସନ ସହଯୋଗୀତା ରହିବା ପାଇଁ ଆଲୋଚନା ହୋଇଥିଲା। ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ବିଭାଗ, ଉଦ୍ୟାନ ବିଭାଗ, ପ୍ରାଣି ସମ୍ପଦ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ବିଦ୍ୟୁତ୍ ବିଭାଗ ଭଲି ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ସେହିପରି ବ୍ଳକର ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଉପସ୍ଥିତ ରହିଥିଲେ।





