ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଏବେ ଏନଏସି ଭାବରେ ଘୋଷିତ ହୋଇ ସାରିଛି। ନର୍ଲା ଓ ସର୍ଗିଗୁଡା ଏହି ଦୁଇଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଘୋଷିତ ହୋଇଛି ଏନଏସି। ନର୍ଲା ବ୍ଲକ ର ୨୬ ଗୋଟି ଗ୍ରାମ ପଞ୍ଚାୟତରୁ ଏହି ଦୁଇ ଗୋଟି ଗ୍ରାମ ପଞ୍ଚାୟତ କଟିଯିବା ପରେ ନର୍ଲା ବ୍ଲକ ରେ ରହିଛି ୨୪ ଗୋଟି ଗ୍ରାମ ପଞ୍ଚାୟତ। ନର୍ଲା ଏନଏସି ରାସ୍ତା ଘାଟ ନିର୍ମାଣ ପାଇଁ ଟଙ୍କା ମଧ୍ୟ ଆସି ସାରିଛି । ଓଡିଶା ଅଧିନିୟମ ୧୯୫୦ ଧାରା ୧୨ ର ଉପଧାରା (୩) ଓ (୩ କ) ତଥା ଓଡିଶା ପୌର ୱାର୍ଡ ଗୁଡିକର ସୀମା ନିର୍ଦ୍ଧାରଣ, ଆସନ ସଂରକ୍ଷଣ ଓ ନିର୍ବାଚନ ସଂଚାଳନ ନିୟମାବଳୀ ଆଧାରରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପତ୍ରାଙ୍କ ୩୭୨ ତା.୧୨/୨/୨୦୨୬ ଅନୁଯାୟୀ ନର୍ଲା ଗ୍ରାମ ପଞ୍ଚାୟତ ଓ ସର୍ଗିଗୁଡା ଗ୍ରାମ ପଞ୍ଚାୟତକୁ ନେଇ ୧୫ ଗୋଟି ୱାର୍ଡ ଗଠନ କରାଯାଇଛି। ହେଲେ ଏନଏସି ପାଇଁ ଅଫିସ ନିର୍ମାଣ ହୋଇନି କି କୌଣସି ସ୍ଥାନ ମଧ୍ୟ ଏଥିପାଇଁ ସ୍ଥିରିକୃତ କରାଯାଇ ନଥିବା ଜଣାପଡିଛି। ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏହାର ପ୍ରମୁଖ ଅଧିକାରୀ ରହିଛନ୍ତି। ଏନଏସି ଅଞ୍ଚଳରେ ବିକାଶ କାମ ରାସ୍ତା ଘାଟ ନିର୍ମାଣ ପାଇଁ ପ୍ରସ୍ତାବ ମଧ୍ୟ ପଠାଇଥିବା ସେ କହିଛନ୍ତି ଲ। ହେଲେ ସର୍ଗିଗୁଡା ଓ ନର୍ଲା ଗ୍ରାମ ପଞ୍ଚାୟତ ଏନଏସି ହୋଇଯିବା ପରେ ସର୍ଗିଗୁଡା ସରପଞ୍ଚ, ନର୍ଲା ସରପଞ୍ଚ ଓ ସମିତି ସଭ୍ୟ ମାନେ କ୍ଷମତାଚ୍ୟୁତ ହୋଇ ପଡିଛନ୍ତି। ତାଙ୍କ ନିଜ ଗ୍ରାମ ପଞ୍ଚାୟତ ଅଞ୍ଚଳ ପାଇଁ କିଛି କାମ କରିବାର ସେମାନଙ୍କ ଆଉ କ୍ଷମତା ନାହିଁ। ସେମାନେ ଆଉ ଗ୍ରାମ ପଞ୍ଚାୟତ ଅଫିସ କୁ ମଧ୍ୟ ଆଗଭଳି ଆଉ ଆସୁ ନାହାନ୍ତି। ଏନଏସି ହେଲା ହେଲେ ଅଧିକାରୀ ନିଯୁକ୍ତି ହୋଇ ନାହାନ୍ତି। ଅନ୍ୟପକ୍ଷେ ସରପଞ୍ଚ ଓ ସମିତି ସଭ୍ୟ କ୍ଷମତାଚ୍ୟୁତ ହୋଇ ପଡିଲେ। ଏହି ଦୁଇ ଗ୍ରାମ ପଞ୍ଚାୟତରେ ବିକାଶ କାର୍ଯ୍ୟ ଠପ ହୋଇ ପଡିଛି। ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ଅନ୍ୟ କର୍ମଚାରୀ ମାନଙ୍କ ମଧ୍ୟ ଗତିବିଧି ଠିକ ରହୁନି। ଯେତେବେଳେ ଗ୍ରାମ ପଞ୍ଚାୟତ ଅଫିସ ଗଲେ ଷ୍ଟାଫ୍ ନାହାନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଚଳିତ ମାସରେ ସର୍ଗିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଗଜୀବନ ସାହୁ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ଭତ୍ତା ହିତାଧିକାରୀଙ୍କ ଭତ୍ତା ଟଙ୍କା ଉଠାଇ ଛୁ ଚମ୍ପଟ ମାରିଲେ। ସୋମବାର ରୁ ଶୁକ୍ରବାର ୫ ଦିନ ଧରି ଭତ୍ତା ପଇସା ପାଇଁ ବୁଢାବୁଢୀ ମାନେ ପ୍ରଚଣ୍ଡ ଖରାରେ ଅନେକ ହଇରାଣ ହରକତ ହେଲେ। ଉପଭୋକ୍ତାଙ୍କୁ ଭତ୍ତା ପ୍ରଦାନ ପାଇଁ ବିଡିଓ ନାକେଦମ ହେଲେ। ମାର୍ଚ୍ଚ ରୁ ଜୁନ ୪ ମାସ ହୋଇଗଲା ଏହି ଦୁଇ ଗ୍ରାମ ପଞ୍ଚାୟତର ବିକାଶ କାର୍ଯ୍ୟ ଠପ ହୋଇ ପଡିଛି। ନଳକୂଅ ମରାମତି ହେଉ କିମ୍ବା ଷ୍ଟ୍ରିଟ ଲାଇଟ ବନ୍ଦ ହୋଇ ପଡିଥିବା ରୁ ମରାମତି ପାଇଁ ହେଉ ଏସବୁ ଅଭିଯୋଗ ନେଇ ଏହି ଦୁଇ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ଲୋକେ ଅଭିଯୋଗ କଲେ ସେମାନଙ୍କ ସିଧା ସଳଖ ଉତ୍ତର ରହୁଛି ଭାଇ ଆମେ ଏବେ ଆଉ ଦାଇତ୍ୱରେ ନାହୁଁ। ଯାହା କରିବେ ଏନଏସି ଅଧିକାରୀ କରିବେ। ଏହାର ମଧ୍ୟ ଜ୍ୱଳନ୍ତ ଉଦାହରଣ ହେଉଛି ସର୍ଗିଗୁଡାକୁ ଗୋଟିଏ ମାସ ହୋଇଗଲା ପାନୀୟ ଜଳ ଯୋଗାଣ ବନ୍ଦ ହୋଇ ପଡିଛି । ଇନଟେକ ୱେଲ ରେ ପାଣି ନାହିଁ। କୂଅ ଭିତରେ ଥିବା କଂକ୍ରିଟ ଭାଙ୍ଗିଲେ କୂଅରେ ପାଣି ହେବ। ଲୋକେ ପାଣି ପାଇ ପାରିବେ। ଏସବୁ ପରିଚାଳନା ଦାଇତ୍ୱ ଗ୍ରାମ ପଞ୍ଚାୟତ ଉପରେ ନ୍ୟସ୍ତ ରହିଥିଲା। ଗ୍ରାମ ପଞ୍ଚାୟତ ଏଥିପାଇଁ ଅର୍ଥ ବିନିଯୋଗ କରୁଥିଲା। ସର୍ଗିଗୁଡା ଏନଏସି ଅଧିନକୁ ଚାଲିଗଲା। ଏଣୁ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଆଉ ଏଥିରେ ମୁଣ୍ଡ ଖେଳାଉ ନାହି। ଏବେ ଦୋ-ଛକିରେ ନର୍ଲା ଓ ସର୍ଗିଗୁଡା ଗ୍ରାମ ପଞ୍ଚାୟତ। ଲୋକେ ଭାବି ପାରୁ ନାହାନ୍ତି ଗ୍ରାମ ପଞ୍ଚାୟତ ସ୍ତରୀୟ ନିଜ ନିଜ ସମସ୍ୟା ନେଇ କାହାକୁ ଗୁହାରୀ କରିବେ। ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପଲବ୍ଧ ଥିଲେ ମଧ୍ୟ ସେମାନେ କ୍ଷମତା ଚ୍ୟୁତ। ଏବଂ ଅନ୍ୟପକ୍ଷେ ଏନଏସି ଅଧିକାରୀ ଦୃଶ୍ୟମାନ ହେଉ ନାହାନ୍ତି କିମ୍ବା ଅଫିସ ମଧ୍ୟ ନାହିଁ। କେବେ ପୂର୍ଣ୍ଣ ମାତ୍ରାରେ ଚାଲିବ ଏନଏସି ଏବଂ ଲୋକେ ଉପକୃତ ହେବେ ଏ ନେଇ ଲୋକଙ୍କ ମଧ୍ୟରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।





