ପଟିଦିଅଁ ଅଙ୍କନ ଉତ୍ସବରେ ଜମୁଛି ଶାସ୍ତ୍ରୀୟ ଆସର : ପଟିଦିଅଁ ଅଙ୍କନ ଉତ୍ସବର ଚତୁର୍ଥ ଦିବସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ବାମପଦାସ୍ଥ ନୋସି ଉତ୍କଳାରେ ୬ ଦିନିଆ ୧୨ତମ ପଟିଦିଅଁ ଅଙ୍କନ ଉତ୍ସବରେ ପ୍ରତି ସନ୍ଧ୍ୟାରେ ଶାସ୍ତ୍ରୀୟ ନୃତ୍ୟଗୀତ ଓ ବାଦ୍ୟର ଆସର ଜମୁଛି। ଉତ୍ତର ଓଡ଼ିଶାର ବିଶିଷ୍ଟ ଓ ଖ୍ୟାତିସମ୍ପନ୍ନ କଣ୍ଠଶିଳ୍ପୀ, ନୃତ୍ୟ ଶିଳ୍ପୀ ଓ ବାଦ୍ୟ ଶିଳ୍ପୀ ଯୋଗ ଦେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରି ସୁଧୀ ଶ୍ରୋତା ଓ ଦର୍ଶକଙ୍କୁ ବିମୋହିତ କରୁଛନ୍ତି।

ଏହାର ଚତୁର୍ଥ ସନ୍ଧ୍ୟାରେ ଜଳେଶ୍ଵରର ଅଗ୍ରଣୀ ଶାସ୍ତ୍ରୀୟ ସଙ୍ଗୀତ ଆସର ‘ଷଡ଼ଜ ସେ ନିଷାଦ’ର ଶିଳ୍ପୀଗଣ ଯଥା ସନ୍ତୁର୍ ବାଦନରେ ତପନ ବିଦ,
ବଂଶୀ ବାଦନ ପିତାପୁତ୍ର ସଂଗ୍ରାମ କେଶରୀ ଗିରି ଏଵଂ ଓମପ୍ରକାଶ ଗିରି, ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ବ୍ରଜେଶ ପଦ ପଣ୍ଡା ଏବଂ ନରୋତ୍ତମ ଦାସ ତଥା ତବଲାରେ ମୁକେଶ ଦାଶ ଏବଂ ଅଜୟ ବାରିକ ପ୍ରମୁଖ ଶାସ୍ତ୍ରୀୟ ରାଗରେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିବା ବେଳେ ଓଡ଼ିଶୀ ନୃତ୍ୟରେ ଯାଜ୍ଞସେନୀ ଦାସ ସୁନ୍ଦର ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

ସନ୍ଧ୍ୟାର ସଭାକାର୍ଯ୍ୟରେ ମୁଖ୍ୟଅତିଥି ଭାବରେ ବିସିସିଆଇର ସଭାପତି ସଞ୍ଜୟ ଦାସ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥି ଭାବରେ ସୁବ୍ରତ ନାୟକ, ହରିଶ ପଟେଲ, ଦେବାଶିଷ ଦାସ, ପ୍ରଶାନ୍ତ ମହାନ୍ତି, ପ୍ରଶାନ୍ତ କୁମାର ପଣ୍ଡା, କମଲେଶ ପାଲା, ସୁନୀଲ ମୋଦି, ରାଜକିଶୋର ଗୁପ୍ତା, ଦେବରାଜ ପାଢ଼ୀ ଓ ଶିଳ୍ପୀ ବ୍ରଜ ଷଡ଼ଙ୍ଗୀ ଯୋଗ ଦେଇ ଓଡ଼ିଶାର ଶାସ୍ତ୍ରୀୟ କଳା ଓ କଳାକାରଙ୍କ ପ୍ରତିଭାକୁ ପ୍ରଶଂସା କରିଥିଲେ। ନୋସି କଲଚରାଲ୍ ଏକାଡ଼େମୀର ମୁଖ୍ୟ ଶିଳ୍ପୀ କେଶୁ ଦାସ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଅରୁଣ ବାରିକ ପ୍ରାକ୍ ସୂଚନା ଓ ଦେବାଶିଷ ପତି ଧନ୍ଯବାଦ ପ୍ରଦାନ କରିଥିଲେ। ସନ୍ଧ୍ୟାର ପ୍ରାରମ୍ଭରେ ଏକାଦଶୀ ବର୍ମନ, ନନ୍ଦିନୀ ନାୟକ, ରଶ୍ମିରେଖା ମହାପାତ୍ର, ଦେବାନନ୍ଦ ସିଂ ପ୍ରମୁଖ ଜଗନ୍ନାଥ ଜଣାଣ ଗାୟନ କରୁଥିଲେ। ଦିନ ତମାମ ଚିତ୍ରକର ମାନେ ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଓ ମା ଭୁବନେଶ୍ଵରୀ ପଟିଦିଅଁ ଅଙ୍କନରେ ସୁକ୍ଷ୍ମ ରେଖା ଦ୍ୱାରା କାରୁକାର୍ଯ୍ୟ କରି ଆକର୍ଷଣୀୟ ଓ ସୁନ୍ଦର କରୁଛନ୍ତି । ପବିତ୍ର ସ୍ନାନପୂର୍ଣ୍ଣିମା ସନ୍ଧ୍ୟାରେ ସବୁ ମନ୍ଦିରକୁ ପଟିଦିଅଁ ବିଜେ କରିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.