ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ପ୍ରାକ୍ତନ ଶିକ୍ଷକ ତଥା ଅରଡ଼ବଜାର ଟିଚର୍ସ କଲୋନୀର ସଭାପତି ଦାଶରଥି ବେହେରାଙ୍କର ୮୮ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଟିଚର୍ସ କଲୋନୀ ସମେତ ତାଙ୍କ ଜନ୍ମଗ୍ରାମ ବରଡିହାରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ସ୍ମୃତିରେ ଟିଚର୍ସ କଲୋନୀ ପକ୍ଷରୁ ଏକ ଶୋକସଭା ଆୟୋଜିତ ହୋଇଥିଲା। ଏଥିରେ ଶିକ୍ଷାବିତ୍, ବୁଦ୍ଧିଜୀବୀ ଓ କଲୋନୀର ବହୁ ଅଧିବାସୀ ଯୋଗଦେଇ ସ୍ୱର୍ଗତ ବେହେରାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସ୍ମୃତିଚାରଣ କରିଥିଲେ। ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଶୈଳେନ୍ଦ୍ର କୁମାର ରାଉଳ, ଅଚ୍ୟୁତ ବେହେରା, ଯୁବନେତା ସେକ୍ ଅନସର ଅଲ୍ଲୀ, ପ୍ରଦୀପ ପଣ୍ଡା, ପରୀକ୍ଷିତ ଜେନା, ବିଦ୍ୟାଧର ମହାଳିକ, ଗଙ୍ଗାଧର ଜେନା, ଯୋଗେନ୍ଦ୍ର ଧଳ, ପର୍ଶୁରାମ ପ୍ରଧାନ, ରମାକାନ୍ତ ଜେନା ଓ ନିରଞ୍ଜନ ପରିଡ଼ା ପ୍ରମୁଖ ରହିଥିଲେ। ବକ୍ତାମାନେ ସ୍ୱର୍ଗତ ବେହେରାଙ୍କୁ ଜଣେ ନିର୍ଭୀକ, ମିଷ୍ଟଭାଷୀ, ପରୋପକାରୀ, ସମାଜସେବୀ ଓ କର୍ମଯୋଗୀ ବ୍ୟକ୍ତିତ୍ୱ ଭାବେ ସ୍ମରଣ କରିଥିଲେ। ଆଜୀବନ ମହିମା ଧର୍ମର ଅନୁଗାମୀ ଥିବା ସେ ସରଳ ଜୀବନଯାପନ ଓ ସେବାଭାବ ପାଇଁ ସମସ୍ତଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ୧୯୩୯ ମସିହାରେ ବାଲେଶ୍ୱର ସଦର ବ୍ଲକର ବରଡିହା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଦାଶରଥି ବେହେରା ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପରେ ଜିଲ୍ଲାର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ୧୯୯୮ ମସିହାରେ ଅବସର ଗ୍ରହଣ ପରେ ସେ ବାଲେଶ୍ୱର ଟିଚର୍ସ କଲୋନୀରେ ବସବାସ କରୁଥିଲେ ଏବଂ ସାମାଜିକ କାର୍ଯ୍ୟକଳାପ ସହ ସକ୍ରିୟ ଭାବେ ଜଡ଼ିତ ରହିଥିଲେ।





