ଅଗଷ୍ଟ ୨ରେ ଗୀତଗୋବିନ୍ଦ ସଦନରେ ଆୟୋଜିତ ହେବ ‘ଚତୁର୍ଥ ବର୍ଷା ଉତ୍ସବ’

୩ ସାହିତ୍ୟିକ ପାଇବେ ଚତୁର୍ଥ ବର୍ଷା ସମ୍ମାନ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ଅଗ୍ରଣୀ ପୁସ୍ତକ ପ୍ରକାଶନୀ ସଂସ୍ଥା ବର୍ଷା ପବ୍ଲିକେସନ୍ ପକ୍ଷରୁ ଚଳିତ ବର୍ଷ ‘ଚତୁର୍ଥ ବର୍ଷା ସମ୍ମାନ-୨୦୨୬’ ଘୋଷଣା କରାଯାଇଛି। ଆସନ୍ତା ଅଗଷ୍ଟ ୨ ତାରିଖ, ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହେବାକୁ ଥିବା ‘ଚତୁର୍ଥ ବର୍ଷା ଉତ୍ସବ’ରେ ଏହି ସମ୍ମାନ ପ୍ରଦାନ କରାଯିବ। ଏ ଉପଲକ୍ଷେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷା ପବ୍ଲିକେସନ୍ ପକ୍ଷରୁ କୁହାଯାଇଛି ଯେ, ସଂସ୍ଥା ସବୁବେଳେ ଗୁଣାତ୍ମକ ବହିର ସମ୍ମାନ ସହିତ ତାର ପ୍ରକାଶ ଓ ପ୍ରଚାରରେ ଗୁରୁତ୍ୱ ଦେଇ ଆସିଛି। ଲେଖକ ଅପେକ୍ଷା ଲେଖା ଏବଂ କଳାତ୍ମକ କୃତିକୁ ପ୍ରାଧାନ୍ୟ ଦେବା ହେଉଛି ‘ବର୍ଷା’ର ମୂଳ ଆଦର୍ଶ। ଏହି ଧାରାରେ ଚଳିତ ବର୍ଷ ତିନୋଟି ବିଭାଗରେ ପୁସ୍ତକ ଚୟନ କରାଯାଇଛି। ‘ବର୍ଷା ନାଟକ ସମ୍ମାନ-୨୦୨୬’ ପାଇଁ ବିଖ୍ୟାତ ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ‘କବିଙ୍କ ନାମ ବେଦବ୍ୟାସ’ ପୁସ୍ତକ ଚୟନ କରାଯାଇଥିବା ବେଳେ ‘ବର୍ଷା କବିତା ସମ୍ମାନ’ ପାଇଁ ବିଶିଷ୍ଟ କବି ରମାକାନ୍ତ ସାମନ୍ତରାୟଙ୍କ ‘ଅସରନ୍ତି ରେଖାଚିତ୍ର’ ଏବଂ ‘ବର୍ଷା ଉନ୍ମେଷ ସମ୍ମାନ’ ପାଇଁ ଯୁବ ପ୍ରାବନ୍ଧିକ ଦିପୁନ୍ ପୁହାଣଙ୍କ ‘ଦେହ ଦେହଳୀର ପଦ୍ୟ’ ପୁସ୍ତକକୁ ମନୋନୀତ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ହେବାକୁ ଥିବା ଉତ୍ସବରେ ସମ୍ମାନ ପ୍ରଦାନ ସହିତ ବର୍ଷା ପବ୍ଲିକେସନ୍ ପ୍ରକାଶିତ ଦଶରୁ ଅଧିକ ନୂଆ ପୁସ୍ତକର ଉନ୍ମୋଚନ ମଧ୍ୟ କରାଯିବ। ‘ପିଲାଦିନ’ ଶୀର୍ଷକରେ ଏକ ଆଲୋଚନା ଚକ୍ର, କବି ବାଦଲ ମହାନ୍ତିଙ୍କ ଦୀର୍ଘ କବିତା ‘ଆଖି’ର ଆଭାଷୀ ନାଟକ, ଏହି ବିଷୟ ଉପରେ ଆଧାରିତ ୧୨ଟି ନିର୍ବାଚିତ କବିତା ପାଠ ଏବଂ ୫ଟି ଗଳ୍ପର ମୁଖ୍ୟାଂଶ ପାଠ କରାହେବ। ଦ୍ୱିତୀୟ ଅଧିବେଶନ ‘ସଙ୍ଗୀତରେ ପିଲାଦିନ’ରେ ବିଶିଷ୍ଟ କବି ଓ ଗୀତିକାର ବିଜୟ ମଲ୍ଲ, ଶରତ ନାୟକ, ଅରୁଣ ମନ୍ତ୍ରୀ ଏବଂ ଛନ୍ଦା ମିଶ୍ର ନିଜ ପିଲାଦିନର ଅନୁଭୂତି ବାଣ୍ଟିବେ। କାର୍ଯ୍ୟକ୍ରମର ଶେଷରେ ଯୁବ ସିନେ ନିର୍ଦ୍ଦେଶକ ବିଶ୍ୱନାଥ ନାୟକଙ୍କ ନିର୍ଦ୍ଦେଶିତ ‘ପିଲାଦିନ’ ବିଷୟବସ୍ତୁ ଆଧାରିତ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଉତ୍ସବରେ ଯୋଗ ଦେଇଥିବା ପ୍ରିଣ୍ଟ୍, ଇଲେକ୍ଟ୍ରୋନିକ୍ସ ଏବଂ ସାମାଜିକ ଗଣମାଧ୍ୟମର ସମସ୍ତ ସମ୍ପାଦକ ଓ ସମ୍ବାଦାତାଙ୍କୁ ବର୍ଷା ପବ୍ଲିକେସନ୍ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯିବା ସହିତ ସାହିତ୍ୟାନୁରାଗୀ ବ୍ୟକ୍ତିବିଶେଷଙ୍କୁ ବିପୁଳ ସଂଖ୍ୟାରେ ଯୋଗ ଦେବାକୁ ବର୍ଷା ପବ୍ଲିକେସନର ସଂସ୍ଥାପକ ବାଦଲ ମହାନ୍ତି, ବିଶିଷ୍ଟ କଥାଶିଳ୍ପୀ ଅଜୟ ସ୍ଵାଇଁ, ଯୁବକବି ବିଶ୍ଵନାଥ ନାୟକ ଏବଂ ଗାଳ୍ପିକା ରଶ୍ମିତା ବେହେରା ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.