ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ବିଳମ୍ବିତ ରାତିରେ ଆଖି ବୁଜିଛନ୍ତି ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହେଉଥିଲା। ସେ ଦୀର୍ଘଦିନ ଧରି ଗୁରୁତର ଅସୁସ୍ଥତାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ପରଲୋକ ଖବର ପ୍ରଚାରିତ ହେବାପରେ ବିଜୁ ଜନତା ଦଳ ସମେତ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି। ଓଡ଼ିଶା ରାଜନୀତିର ଏକ ଦିପ୍ତିମନ୍ତ ତାରକା ସୁଶାନ୍ତ ସିଂ ଜଣେ ଲୋକପ୍ରିୟ ନେତା ଭାବେ ରାଜ୍ୟବାସୀଙ୍କ ପ୍ରିୟପାତ୍ର ଥିଲେ। ବରଗଡ଼ ଜିଲ୍ଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିବା ସ୍ବର୍ଗତ ସିଂ ବିକାଶମୂଳକ କାର୍ଯ୍ୟ ପାଇଁ ଓଡ଼ିଶାବାସୀଙ୍କ ନିକଟରେ ସୁପରିଚିତ ଥିଲେ।





