ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଭବାନୀପାଟଣା ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନ ପରିସରରେ ସିବିଏସଇ ଫାର୍ ଇଷ୍ଟ ଜୋନ୍ ତୀରନ୍ଦାଜ ପ୍ରତିଯୋଗିତା-୨୦୨୬ ଉଦଯାପିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ନିର୍ଦ୍ଦେଶକ ଡି ଶ୍ୟାମ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ନିର୍ଦ୍ଦେଶକ ଡି ରାମ କୁମାର, ମୁଖ୍ୟ ଶିକ୍ଷା ଅଧିକାରୀ ଡି ପଦ୍ମିନୀ, ମୁଖ୍ୟ ପ୍ରଶାସକ ଯୁବରାଜ ନାୟକ, ମୁଖ୍ୟ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ମାଝି, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ଆରତୀ ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ଉପାଧ୍ୟକ୍ଷ ପ୍ରସନ୍ନଜିତ ଦତ୍ତ, ପ୍ରବନ୍ଧକ ଗୁପ୍ତେଶ୍ୱର ଖୁଣ୍ଟିଆ ପ୍ରମୁଖ ମଞ୍ଚାସୀନ ଥିଲେ। କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବିକାଶ ଆବାସିକ ବିଦ୍ୟାଳୟ ଭବାନୀପାଟଣା ପକ୍ଷରୁ ସିବିଏସଇ ଗେମ୍ସ ୨୦୨୬ ଅନ୍ତର୍ଗତ ଫାର୍ ଇଷ୍ଟ ଜୋନ୍ ତୀରନ୍ଦାଜ ପ୍ରତିଯୋଗିତା ୨୪ ଜୁଲାଇରୁ ୨୬ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏହି ଗୌରବମୟ କ୍ରୀଡ଼ା ମହାକୁମ୍ଭରେ ଫାର୍ ଇଷ୍ଟ ଜୋନ୍ର ୧୧ଟି ରାଜ୍ୟର ସିବିଏସଇ ଅନୁବନ୍ଧିତ ବିଦ୍ୟାଳୟରୁ ୩୫୦ ରୁ ଅଧିକ ପ୍ରତିଭାବାନ ବାଳକ ଓ ବାଳିକା ତୀରନ୍ଦାଜ, ଟିମ ମ୍ୟାନେଜର ଓ କୋଚ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ୧୪ ବର୍ଷରୁ ନିମ୍ନ ବର୍ଗ , ୧୭ ବର୍ଷରୁ ନିମ୍ନ ବର୍ଗ ଓ ୧୯ବର୍ଷରୁ ନିମ୍ନ ବର୍ଗରେ ଇଣ୍ଡିଆନ, ରିକର୍ବ ଓ କମ୍ପାଉଣ୍ଡ ସ୍ତରରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଗୌରବମୟ କ୍ରୀଡ଼ା ପ୍ରତିଯୋଗିତା ପ୍ରଥମ ଥର ପାଇଁ କଳାହାଣ୍ଡି ମାଟିରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାର ସୁପରିଚାଳନା ପାଇଁ ଓଡ଼ିଶା ଆର୍ଚେରୀ ଆସୋସିଏସନ୍ର ୮ ଜଣ ଅଭିଜ୍ଞ ଅଧିକାରୀ ଓ ୧୦ ଜଣ ସ୍ୱେଚ୍ଛାସେବକ ସେମାନଙ୍କର ପ୍ରାଜ୍ଞିକ ସହଯୋଗ ପ୍ରଦାନ କରିଥିଲେ। ଏହି ପ୍ରତିଯୋଗିତା କେବଳ କ୍ରୀଡ଼ା ପ୍ରତିଭାର ପ୍ରଦର୍ଶନ ନୁହେଁ, ବରଂ ଶୃଙ୍ଖଳା, ଏକାଗ୍ରତା ଶିକ୍ଷା ଲାଭ କରିବାରେ ସହାୟକ ହୋଇଛି ବୋଲି ଅତିଥିଗଣ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ପ୍ରାରମ୍ଭରରେ ମୁଖ୍ୟ ପ୍ରଶାସକ ଯୁବରାଜ ନାୟକ ସ୍ବାଗତ ଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଉପାଧ୍ୟକ୍ଷ ପ୍ରସନ୍ନଜିତ ଦତ୍ତ ତିନି ଦିନର କ୍ରୀଡା ପ୍ରଦର୍ଶନ ସମ୍ପର୍କରେ ସମ୍ୟକ ବିବରଣୀ ଉପସ୍ଥାପନ କରିଥିଲେ। ଉପାଧ୍ୟକ୍ଷ ନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଅଭିଜ୍ଞ ଅଧିକାରୀ ଓ ସ୍କୋର ସଂଗ୍ରହକାରୀଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା। ପରେ ପରେ ସମସ୍ତ କୃତି ପ୍ରତିଯୋଗୀଙ୍କୁ ମେଡାଲ ପ୍ରଦାନ କରାଯାଇଥିଲା। ଏହି କ୍ରୀଡ଼ା ପ୍ରତିଯୋଗିତାରେ ଦଳଗତ ଭାବେ ସୈନିକ ସ୍କୁଲ ଭୁବନେଶ୍ବର ରନର୍ସଅଫ ହୋଇଥିବା ବେଳେ ଆର୍ମି ପବ୍ଲିକ ସ୍କୁଲ ଆସାମ ଦଳଗତ ଭାବେ ଅଧିକ ସଂଖ୍ୟକ ମେଡାଲ ଜିତି ବିଜେତା ହେବାର ଗୌରବ ଅର୍ଜନ କରିଥିଲା। ବିକାଶ ଶିକ୍ଷାନୁଷ୍ଠାନରେ ମାତ୍ର ଦୁଇବର୍ଷ ହେଲା ତୀରନ୍ଦାଜ ପ୍ରଶିକ୍ଷଣ ଦିଆଯାଉଥିଲେହେଁ ପ୍ରତିଯୋଗୀମାନେ ୯ ଗୋଟି ମେଡାଲ ଜିତିବାର ସୌଭାଗ୍ୟ ଅର୍ଜନ କରିଥିଲେ, ଏହା ବିକାଶ ଶିକ୍ଷାନୁଷ୍ଠାନ ତଥା କଳାହାଣ୍ଡି ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ। କଲାହାଣ୍ଡି ମାଟିରେ ପ୍ରଥମ ଥର ଜୋନ ସ୍ତରୀୟ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଥିବାରୁ ଆଗାମୀ ଦିନରେ ଅନ୍ତର୍ଜାତୀୟ କ୍ରୀଡ଼ାର ଆୟୋଜନ କରାହେବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ଡି ଶ୍ୟାମ ଦୃଢୋକ୍ତି ପ୍ରକାଶ କରିଛନ୍ତି।





