ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ଜାନୁୟାରୀ ମାସରୁ କଳାହାଣ୍ଡି ଜିଲ୍ଲା ସାରା ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍କୁଲ, କଲେଜ, ଅନେକ ଅନୁଷ୍ଠାନ ଗୁଡିକରେ ବନ ମହୋତ୍ସବ କାର୍ଯ୍ୟକ୍ରମ କରାଯାଇ ବୃକ୍ଷ ରୋପଣ କରାଯାଉଛି। ଏଥିରେ ବିଭିନ୍ନ ଯୁବକ ସଂଘ, ସ୍କୁଲ, କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା ମାନେ ସାମିଲ ହୋଇ ପରିବେଶ ସୁରକ୍ଷା ଭଳି ମହତ କାର୍ଯ୍ୟକ୍ରମ କରୁଥିବା ଦେଖିବାକୁ ମିଳୁଛି। ହେଲେ ନର୍ଲାରୋଡ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଶିବ ମନ୍ଦିରରେ ନର୍ଲାରୋଡ ସେବାକାରୀ କିନ୍ନର ସଂଘର ସଦସ୍ୟ ଏବଂ ସ୍ୱେଚ୍ଛାସେବୀ ଯୁବ ପିଢୀ ସ୍ୱତଃ ପ୍ରବୃତ ଭାବରେ ୩୫୦ ରୁ ଉର୍ଦ୍ଧ୍ୱ ବୃକ୍ଷ ରୋପଣ କରିଥିବା ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲା ନର୍ଲା ଏନଏସି ଅଧିନସ୍ଥ ନର୍ଲାରୋଡ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ପରିସରରେ ସ୍ୱେଚ୍ଛାସେବୀ ପ୍ରକୃତି ପ୍ରେମୀ ନନ୍ଦ କିଶୋର ଜେନାଙ୍କ ନେତୃତ୍ୱରେ ନର୍ଲାରୋଡ କିନ୍ନର ସଂଘର ସଭାପତି କାମିନୀ କିନ୍ନର, ସଦସ୍ୟା ବର୍ଷା, ପାୟଲ, ବିନୁ, ଗୌରୀ, ସଙ୍ଗୀତା, ବାସନ୍ତୀ ପ୍ରମୁଖ ଏବଂ ନର୍ଲାରୋଡ ଯୁବପିଢୀଙ୍କ ନେତୃତ୍ୱ ଓମ ପ୍ରକାଶ ପୁଝାରୀ, କୈଳାସ ବୁଦ୍ଧିଆ, ବୁଲୁ ମିଶ୍ର, ଅନନ୍ତ ରଣା, ଆଶିଷ ରାଉତ, ବିଜୟ ସାମଲ, ଆକାଶ, ସୋନୁ, ବୃନ୍ଦାବନ ପ୍ରମୁଖଙ୍କ ସହିତ ତାଙ୍କର ୧୦ ରୁ ଉର୍ଦ୍ଧ୍ୱ ସହଯୋଗୀ ବୃକ୍ଷ ରୋପଣ କାର୍ଯ୍ୟରେ ସାମିଲ ହୋଇଥିଲେ। ମନ୍ଦିର ପରିସରରେ ରହିଥିବା ଜଙ୍ଗଲି କଣ୍ଟା ଗଛ ଓ ଘାସ ବୁଦା ସଫା କରିବା ପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୃକ୍ଷ ରୋପଣ ପରେ ସଂଘର ସଦସ୍ୟ ମାନଙ୍କ ଆଗ୍ରହରେ ଏହି ଭବ୍ୟ କାର୍ଯ୍ୟକ୍ରମ କୁ ଦୀପ ଦେଇ ବନ୍ଦାପନା କରି ନାରୀକେଳ ଭାଙ୍ଗି ଫିତାକାଟି ଉଦ୍ଘାଟନ କରିଥିଲେ ଶ୍ରୀ ଜେନା। ଏଭଳି ମହତ କାର୍ଯ୍ୟ ଜାରି ରଖିବା ପାଇଁ ଯୁବ ବର୍ଗଙ୍କୁ ଉତ୍ସାହିତ କରିଥିଲେ।
ଏଥିରେ ଆମ୍ବ, ପଣସ, ଡାଲିମ୍ବ, ସପେଟା, ନାସପାତି, ଲିଚୁ, ଲେମ୍ବୁ, କମଳା ସପୁରୀ ପ୍ରଭୃତି ବୃକ୍ଷ ଚାରା ରୋପଣ କରିଥିବା ସୂଚନା ମିଳିଛି। ଏଥିପାଇଁ ନର୍ଲାରୋଡ ର ଅନେକ ଶୁଭେଚ୍ଛୁ ଆର୍ଥିକ ସହଯୋଗ କରିଥିବା ମଧ୍ୟ ସୂଚନା ମିଳିଛି। ଏହାବାଦ କାମିନୀ କିନ୍ନର, ଯୋଗେନ୍ଦ୍ର ଜେନା, ନର୍ଲାରୋଡ ଷ୍ଟେସନ ସୁପରିଟେଣ୍ଡେଣ୍ଟ ରଶ୍ମିକାନ୍ତ ବେହେରା, ପିଣ୍ଟୁ ଅଗ୍ରୱାଲ ପ୍ରମୁଖ ୩୫୦ ମୂଲ୍ୟବାନ ଫଳଗଛ ଚାରା ଯୋଗାଇ ଦେଇଥିବା ସୂଚନା ମିଳିଛି। ଲାଣ୍ଡି ଡୁଙ୍ଗୁରୀ ରେ ଅବସ୍ଥିତ ଶ୍ରୀ ଶ୍ରୀ ନୀଲକଣ୍ଠେଶ୍ୱର ଶିବ ମନ୍ଦିର ପଚାଷ ବର୍ଷ ରୁ ଉର୍ଦ୍ଧ୍ୱ ହୋଇଗଲାଣି ପ୍ରତିଷ୍ଠା ହୋଇ। ଏହାର ପଛପଟେ ଅନେକ ମୂଲ୍ୟବାନ ଜଙ୍ଗଲି ଗଛ ମଧ୍ୟ ରହିଛି।ଏହି ଶିବ ମନ୍ଦିର ପାଦ ଦେଶରେ ମନ୍ଦିରର ସୌନ୍ଦର୍ଯ୍ୟ କରଣ ପାଇଁ ସରକାରଙ୍କ ତରଫରୁ ପାର୍କ ହେବ ବୋଲି ଦୀର୍ଘ ବର୍ଷରୁ ଶୁଣା ଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାର୍କ ହୋଇ ପାରିଲା ନାହିଁ।

ବୃକ୍ଷ ରୋପଣ ପାଇଁ ସରକାରଙ୍କ ତରଫରୁ କୌଣସି ଆର୍ଥିକ ଅନୁଦାନ ମିଳି ନଥିବା ବେଳେ ଏବେ ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ଯୁବ ବର୍ଗଙ୍କ ପ୍ରଚେଷ୍ଟାରେ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଛି। ଏହା ସହ ମନ୍ଦିର ପାଦ ଦେଶରେ ରହିଥିବା ଏକ ଛୋଟ ପୁଷ୍କରିଣୀ ରୁ ମଧ୍ୟ ଏହି ସ୍ୱେଚ୍ଛାସେବୀ ଦଳ ହୁଡା ରେ ମାଟି ପକେଇ ସଫା ସୁତୁରା କରିଥିବା ଜଣାପଡିଛି। ଏହି ଫଳ ବଗିଚା ଓ ପୁଷ୍କରିଣୀର ରକ୍ଷଣା ବେକ୍ଷଣ ପାଇଁ ସପ୍ତାହରେ ସମସ୍ତେ ଦୁଇ ଦିନ ସମୟ ଦେବୁ। ଏହାର ସୁରକ୍ଷା ଆମ ସମସ୍ତଙ୍କ ଦାଇତ୍ୱ ବୋଲି ଯୁବ ନେତୃତ୍ୱ ଓଁ ପୂଝାରୀ ତାଙ୍କ ମତାମତରେ କହିଛନ୍ତି।





