ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ଖେଳ ଶେଷ ହୋଇପାରେ, ହେଲେ ଜଣେ କ୍ରୀଡ଼ାବିତ୍ଙ୍କ ଅବଦାନ ଓ ସ୍ମୃତି କେବେ ଶେଷ ହୁଏନାହିଁ। ଫୁଟବଲ ପ୍ରତି ଦୀର୍ଘବର୍ଷର ନିଷ୍ଠା, ସମର୍ପଣ ଓ ଅବଦାନ ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ସୁପରିଚିତ ବରିଷ୍ଠ ଫୁଟବଲ ଖେଳାଳି ତଥା ପ୍ରଶିକ୍ଷକ ବାପୁଜୀ ପାତ୍ରଙ୍କୁ ରାଜ୍ୟ ପୋଲିସ ଫୁଟବଲ ପକ୍ଷରୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଛି। ଫୁଟବଲ ପଡ଼ିଆରେ ନିଜର ଦକ୍ଷତା ଓ ନିଷ୍ଠାର ପରିଚୟ ଦେଇଥିବା ବାପୁଜୀ ପାତ୍ର ପରବର୍ତ୍ତୀ ସମୟରେ ପ୍ରଶିକ୍ଷକ ଭାବେ ମଧ୍ୟ ଅନେକ ଯୁବ ପ୍ରତିଭାଙ୍କୁ ଗଢ଼ି ତୋଳିବାରେ ଭୂମିକା ନେଇଛନ୍ତି। ତାଙ୍କ ଅଭିଜ୍ଞତା, ଶୃଙ୍ଖଳା ଓ ଫୁଟବଲ ପ୍ରତି ଭଲପାଇବା ନୂଆ ପିଢ଼ିର ଖେଳାଳିଙ୍କ ପାଇଁ ପ୍ରେରଣା ପାଲଟିଛି। ତାଙ୍କର ଦୀର୍ଘ ଖେଳ ଜୀବନ, ନିରନ୍ତର ପରିଶ୍ରମ ଓ ଫୁଟବଲ ପାଇଁ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରଦତ୍ତ ମୋମେଣ୍ଟୋରେ ଲେଖା ରହିଛି— “The Game May End, But Legends Never Fade”। ଅର୍ଥାତ୍ “ଖେଳ ଶେଷ ହୋଇପାରେ, କିନ୍ତୁ କିମ୍ବଦନ୍ତୀ କେବେ ଲିଭନ୍ତି ନାହିଁ।” ଏହି ବାର୍ତ୍ତା ତାଙ୍କର ଦୀର୍ଘ ଫୁଟବଲ ଯାତ୍ରା ଓ ଅବଦାନର ଗଭୀର ପ୍ରତିଛବି ବହନ କରୁଛି। ଏହି ଅବସରରେ ପୋଲିସ ବିଭାଗର ବରିଷ୍ଠ ଫୁଟବଲ ଖେଳାଳି ଓ ଅଧିକାରୀମାନେ ଉପସ୍ଥିତ ରହି ବାପୁଜୀ ପାତ୍ରଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲାର ଫୁଟବଲ ଜଗତରେ ତାଙ୍କର ଅବଦାନକୁ ସ୍ମରଣ କରି ମିଳିଥିବା ଏହି ସମ୍ମାନ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସି ସୃଷ୍ଟି କରିଛି। ବାପୁଜୀ ପାତ୍ରଙ୍କ ପାଇଁ ଏହି ସମ୍ମାନ କେବଳ ଏକ ମୋମେଣ୍ଟୋ ନୁହେଁ; ଏହା ତାଙ୍କର ଦୀର୍ଘ ଫୁଟବଲ ଯାତ୍ରା, ପରିଶ୍ରମ ଓ ଅବଦାନ ପ୍ରତି ଏକ ସମ୍ମାନର ସ୍ମାରକ।





