ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସର୍କିଟ ହାଉସ୍ ଠାରେ ଓଡିଶା ବିଧାନସଭାର ବିଭାଗୀୟ ସମ୍ପର୍କିତ ସ୍ଥାୟୀ କମିଟି-୨ ବାଲେଶ୍ଵର ଗସ୍ତ କରି ବିଭାଗ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହା କମିଟିର ୨୦୨୬-୨୭ ବର୍ଷର ୪ର୍ଥ ସମୀକ୍ଷା ବୈଠକ ଯାହା ଜିଲ୍ଲା ପ୍ରଶାସନ ସହଯୋଗରେ ଅନୁଷ୍ଠିତ ହୋଇଥିଲା। କମିଟିର ଅଧ୍ୟକ୍ଷ ତଥା ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜଳସମ୍ପଦ ଓ ଶିଳ୍ପାଞ୍ଚଳ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।ବୈଠକରେ କମିଟି ସଦସ୍ୟ ତଥା ସାରସକଣା ବିଧାୟକ ଭାଦବ ହାଁସଦା, ବାସୁଦେବପୁର ବିଧାୟକ ଅଶୋକ ଦାସ ଓ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାଏକ ଯୋଗ ଦେଇଥିଲେ। ଏଥିସହ ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ, ବସ୍ତା ବିଧାୟିକା ସୁବାସିନୀ ଜେନା, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ହେମନ୍ତ କୁମାର ସିଂହଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଏହି ସମୀକ୍ଷା ବୈଠକରେ ଜିଲ୍ଲାର ଭୂତଳ ଓ ଭୂପୃଷ୍ଠ ଜଳର ବ୍ୟବହାର, ଭୂତଳ ଜଳସ୍ତରର ସ୍ଥିତି ଏବଂ ଶିଳ୍ପାଞ୍ଚଳଗୁଡ଼ିକରେ ଜଳ ସଂରକ୍ଷଣ ଓ ସତର୍କତାମୂଳକ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଏ ସମ୍ପର୍କରେ କମିଟିକୁ ବିସ୍ତୃତ ତଥ୍ୟ ଓ ବିବରଣୀ ପ୍ରଦାନ କରିଥିଲେ। ବୈଠକରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବେସରକାରୀ ଶିଳ୍ପ ପ୍ରତିଷ୍ଠାନର ଅଧିକାରୀମାନେ ମଧ୍ୟ ଯୋଗଦେଇ ଜଳ ବ୍ୟବହାର, ଶିଳ୍ପ କାର୍ଯ୍ୟକଳାପ ଓ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ନିଜ ମତ ରଖିଥିଲେ। ବୈଠକ ପରେ କମିଟି ଅଧ୍ୟକ୍ଷ ସନ୍ତୋଷ କୁମାର ଖଟୁଆଙ୍କ ସହ ସମସ୍ତ ସଦସ୍ୟ, ସ୍ଥାନୀୟ ବିଧାୟକ ଓ ବିଧାୟିକା, ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଇମାମି ପେପର ମିଲ୍ ଓ ଏଲୟଜ୍ ଶିଳ୍ପାଞ୍ଚଳ ପରିଦର୍ଶନ କରି ସେଠାକାର ସ୍ଥିତି ଓ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ।





