ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କୃଷିଭିତ୍ତିକ ମହାନ ଗଣପର୍ବ ନୂଆଖାଇକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ପଶ୍ଚିମଓଡ଼ିଶା। ଶନିବାର କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ବୁଢ଼ୀପଦର ସ୍ଥିତ ସାପ୍ତାହିକ ଭାଲୁଡୁଙ୍ଗୁରି ହାଟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଆସନ୍ତା ମଙ୍ଗଳବାର ଦିନ ନୂଆଖାଇ ଥିବାରୁ ଲୋକେ ହାଟରୁ ସଉଦା ପତ୍ର, କପଡ଼ା, ନୂଆ ହାଣ୍ଡି, ନୂଆ ଚୁଡ଼ା, କୁଲା, କୁକୁଡ଼ା ଆଦି କିଣିଥିଲେ। ନୂଆଖାଇ ବାସୀ ମନାଇବା ପାଇଁ ଛେଳି ଦରକାର। ତେଣୁ ଏହି ହାଟରେ ଛେଳି ମେଣ୍ଢା ବିକ୍ରୀ ମଧ୍ୟ ଜୋରଦାର ହୋଇଥିଲା। ତେବେ ଭାଦ୍ରବ ମାସ ସାରା କଳାହାଣ୍ଡି ଜିଲ୍ଲାର ବିଭିନ୍ନ ହାଟ ମୁଖରିତ ହୋଇ ଉଠିଥାଏ। କାରଣ ଏଠାରେ ଶ୍ରାବଣ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଲୋକେ ପରମ୍ପରା, ଲୋକାଚାର ଓ କୂଳାଚାର ଅନୁସାରେ ଭାଦ୍ର ଶୁକ୍ଳ ପ୍ରତିପଦା, ଗଣେଶ ଚତୁର୍ଥୀ ସନ୍ଧ୍ୟା, ପଞ୍ଚମୀ, ସପ୍ତମୀ ଓ ଦଶମୀ ତିଥିରେ ନୂଆ ଖାଇଥାନ୍ତି। ଏବେ ଜିଲ୍ଲାର ୧୩ଗୋଟି ବ୍ଲକର ଶତାଧିକ ହାଟରେ ମହକି ଯାଉଛି ନୂଆଖାଇର ବାସ୍ନା।





