ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ଦୁର୍ଗା ମଣ୍ଡପ ଠାରେ ଆଗାମୀ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବକଟପୁର ଗୌନ୍ତିଆ ବିକ୍ରମାଦିତ୍ୟ ବାରିକଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ପୋଖରୀବନ୍ଧ ଦୁର୍ଗାପୂଜା ଚତୁର୍ଥ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବାରୁ ଉପସ୍ଥିତ ସମସ୍ତ ସଦସ୍ୟ ଆୟୋଜକ ତଥା ସଭାପତି ଡଃ ରମେଶ ଚନ୍ଦ୍ର ସାହୁଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଆଗାମୀ ପୂଜା କିଭଳି ଅଧିକ ଆକର୍ଷଣୀୟ ହୋଇପାରିବ ସେ ନେଇ ବିଶେଷ ଆଲୋଚନା ହୋଇଥିଲା। ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ସନାତନ ବିଶି, ସାଧାରଣ ସମ୍ପାଦକ ଭବାନୀ ଶଙ୍କର ବାଣୁଆ, ପୋଖରୀବନ୍ଧ ଗ୍ରାମ ଗୌନ୍ତିଆ କୁଳମଣୀ ବାଣୁଆ, ଉପ-ସଭାପତି କର୍ଣ୍ଣ ମାଝୀ, କୋଷାଧ୍ୟକ୍ଷ ଶଙ୍କର ପ୍ରଧାନୀ, ଉପଦେଷ୍ଟା ପିତାମ୍ବର ବିଶି, ଉଗ୍ରସେନ ବାଗ, ବରିଷ୍ଠ ସଦସ୍ୟ ଭଗବାନ ରାଉତ, ସଦାଶିବ ମାଝୀ, ନିଲୁ ସାହୁ, ସୌମ୍ୟରଞ୍ଜନ ବେହେରା, ମିଲୁ ବାରିକଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ବିଭିନ୍ନ ପରାମର୍ଶ ଦେଇଥିଲେ। ଆୟୋଜକ ଡଃ. ସାହୁ ସମସ୍ତ ପଞ୍ଚାୟତବାସୀଙ୍କ ସହଯୋଗ କାମନା କରିବା ସହ ଚଳିତ ବର୍ଷ ଏକ ହଜାରରୁ ଊର୍ଦ୍ଧ୍ୱ ମହିଳା ଏକ ରଙ୍ଗର ଶାଢ଼ୀ ପରିଧାନ କରିବା ସହ ଅଞ୍ଚଳବାସୀଙ୍କ ମନୋରଞ୍ଜନ ନିମନ୍ତେ ଅପେରା ସହ ସ୍ଥାନୀୟ ପ୍ରତିଭାମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତାର ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ। ପରିଶେଷରେ ଗ୍ରାମ ଗୌନ୍ତିଆ କୁଳମଣୀ ବାଣୁଆ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।





