ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଉପଲକ୍ଷେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମର ଗାୟତ୍ରୀ ନଗରଠାରେ ଏକ ଭବ୍ୟ ‘ନୂଆଁଖାଇ ଭେଟଘାଟ’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗାଁର କୁନି କୁନି ପ୍ରତିଭାମାନଙ୍କୁ ନେଇ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଶିଶୁମାନଙ୍କ ଚିତ୍ତାକର୍ଷକ ପରିବେଷଣ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ସମସ୍ତ ଅଂଶଗ୍ରହଣକାରୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇଥିଲା। ଏହା ସହିତ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଗ୍ରାମ ପାଇଁ ଗୌରବ ଆଣିଦେଇଥିବା ଗ୍ରାମର ବୟୋଜ୍ୟେଷ୍ଠ ତଥା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମାରୋହରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ନୁଆଁଖାଇ ଦିନ ସନ୍ଧ୍ୟାରେ ଅନୁଷ୍ଠିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ‘ଭକ୍ତି ଆରାଧନା ଭଜନ ମେଲୋଡ଼ି ଟିମ୍’ ସଫଳତାର ସହ ପରିଚାଳନା କରିଥିଲେ। ମଞ୍ଚ ସଂଯୋଜନା ଦାୟିତ୍ୱ ଚିତ୍ତରଞ୍ଜନ ମହାନ୍ତି ତୁଲାଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଐରାବତ ଶବର, ରଞ୍ଜନ ନାଏକ, ନରେଶ ବେମାଲ, ସୁଶୀଲ ନାଏକ,ସଦାଶିବ ଖରସେଲ, ପରମାନନ୍ଦ ଶବର, ଲବଣୀ ରଞ୍ଜନ ଶବର ଏବଂ ସମଗ୍ର କମିଟି ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ହୁକୁମୀ ଶବର ଉପସ୍ଥିତ ସମସ୍ତ ଅତିଥି, ଗ୍ରାମବାସୀ ଓ କଳାକାରମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବ ସମଗ୍ର ଅଞ୍ଚଳରେ ଭାଇଚାରା ଓ ଆନନ୍ଦର ବାତାବରଣ ସୃଷ୍ଟି କରିଥିଲା।





