ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ଦେଖାଯାଇଛି ଜଣ୍ଡିସ ଆତଙ୍କ । ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ରବାଡିରେ ଥିବା ଆବାସିକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣ୍ଡିସରେ ଆକ୍ରାନ୍ତ ହୋଇ ଅସୁସ୍ଥ ହେଉଛନ୍ତି ଛାତ୍ରୀ । ମଙ୍ଗଳ ବିଭାଗ ଛାତ୍ରୀ ନିବାସରେ ପର୍ଯ୍ୟାୟକ୍ରମେ ପ୍ରାୟ ଶହେ ଜଣ ଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ବିଦ୍ୟାଳୟ ପରିସରରେ ଥିବା ନଳକୂପ ପାଣି ପିଇବା ପରେ ଛାତ୍ରୀମାନେ ଅସୁସ୍ଥ ହୋଇଥିବା ନେଇ ଜଣାପଡିଛି । ଘଟଣା ପରେ ନଳକୂପ ପାଣି ବ୍ୟବହାରକୁ ପୁରାପୁରି ଭାବେ ବନ୍ଦ କରାଯାଇଛି । ଏବେ ଟାଙ୍କି ଯୋଗେ ଛାତ୍ରୀମାନଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଘଟଣା ସାମ୍ନାକୁ ଆସିବା ପରେ ତତ୍ପର ହୋଇଛି ପ୍ରଶାସନ ସହ ସ୍ୱାସ୍ଥ୍ୟ ବିଭାଗ ଓ ମଙ୍ଗଳ ବିଭାଗ ପକ୍ଷରୁ ବିଦ୍ୟାଳୟରେ ପହଞ୍ଚି ଘଟଣାର ଅନୁଧ୍ୟାନ ପୂର୍ବକ ଅସୁସ୍ଥ ଛାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ପରୀକ୍ଷା କରାଯାଇଛି । ସୂଚନାରୁ ଜଣାପଡିଛି ରବାଡି ଛାତ୍ରୀ ନିବାସରେ ଜଣେ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା | ସେହିପରି ଅନ୍ୟ ୪ଜଣ ଛାତ୍ରୀଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ବିଭାଗିୟ ଅଧିକାରୀ ସୂଚନା ଦେଇଛନ୍ତି । ଏହାସହ ପ୍ରତିଦିନ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ବିଦ୍ୟାଳୟକୁ ଯାଇ ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା କହିଛନ୍ତି କୋଲନରା ମଙ୍ଗଳ ସମ୍ପ୍ରସାରଣ ଦେବାଶିଷ ମୁଣ୍ଡ | ତେବେ ଘଟଣା ପରେ ଛାତ୍ରୀ ମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେବାରୁ କିଛି ଛାତ୍ରୀ ହଷ୍ଟେଲ ଛାଡ଼ି ଘରକୁ ଯାଇଥିବା ଶୁଣିବାକୁ ମିଳିଛି ।





