କୋକସରାରେ ଯୁଗ୍ମ ଅଭିଯୋଗ ଶୁଣାଣି: ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ଉଠିଲା ପ୍ରଶ୍ନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ କାର୍ଯ୍ୟାଳୟଠାରେ ୬ମାସ ପରେ ସୋମବାର ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ତାରା ଜସ୍ମିନ ଗୁଡ଼ିଆଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଉପ ନିର୍ଦ୍ଦେଶକ ଯୋଜନା ଏବଂ ସ୍ଵମନ୍ନୟ ଶ୍ରୀକାନ୍ତ ଦଳେଇ, ସିଡିଏମଓ ଡ଼ ହରେକୃଷ୍ଣ ଶତପଥୀ, ଗୋଷ୍ଠୀ ଉନ୍ନୟନ ଅଧିକାରି ଡ଼ଃ ହିମାଞ୍ଚଳ ମାଝୀ, ତହସିଲଦାର ଚୌଡଗଙ୍ଗ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ। ତେବେ ଗତ ୧୩ ଅକ୍ଟୋବର ୨୦୨୫ ମସିହାରେ ଶେଷ ଥର ପାଇଁ ଜିଲ୍ଲାପାଳ କୋକସରାଠାରେ ଅନୁଷ୍ଠିତ ହୋଇଥିବା ଅଭିଯୋଗ ଶୁଣାଣୀ ଶିବିରରେ ଉପସ୍ଥିତ ରହିଥିଲେ। ତା’ପର ଠାରୁ ଦୁଇଟି ବ୍ଳକସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ହୋଇଥିବାବେଳେ ମଝିରେ କୌଣସି ଅନିବାର୍ଯ କାରଣରୁ ଗୋଟିଏ ଅଭିଯୋଗ ଶୁଣାଣି ଶିବିର ବାତିଲ ହୋଇ ଜିଳ୍ଲାପାଳ କାର୍ଯ୍ୟାଳୟଠାରେ ହୋଇଥିଲା। ତେବେ ପ୍ରାୟ ୬ମାସ ପରେ କୋକସରା ବ୍ଳକରେ ଅଭିଯୋଗ ଶୁଣାଣି ଶିବର ଅନୁଷ୍ଠିତ ହୋଇଥିବା ବେଳେ ବ୍ଳକ ଓ ତହସିଲ ସ୍ତରରେ ଅଭିଯୋଗ ଗୁଡିକ ଅନେକ ସମୟରେ ସମାଧାନ ଠିକ୍ ହିସାବରେ ହୋଇ ପାରୁ ନଥିବାରୁ ମାସ ମାସ ଧରି ଲୋକେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର କୁ ଅନାଇଁ ରହିଥିଲେ। ଏଣେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଲଗାତାର ଭାବେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅନୁସ୍ଥିତିରେ ଜନ ଶୁଣାଣୀ ଶିବିର ହେଉଥିବାରୁ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ପ୍ରଚାର ପ୍ରସାରର ଅଭାବ କାରଣରୁ ଲୋକେ ଅଭିଯୋଗ ଶୁଣାଣି ଶିବିର ବିଷୟରେ ଅବଗତ ରହୁ ନ ଥିବାରୁ ଶିବିରର ପ୍ରକୃତ ଉଦ୍ଦେଶ୍ୟ ଅସଫଳ ଆଡଗୁ ଗତି କରୁଥିବା ଅନେକ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମାନେ ମତପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୩୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୨୪ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୨ଟି ସାମୂହିକ ଅଭିଯୋଗ ରହିଥିଲା। ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୪ଟି ଅଭିଯୋଗର ତତ୍କାଳ ସମାଧାନ ଘଟଣାସ୍ତଳରେ କରାଯାଇଥିଲା। ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ଚିକିତ୍ସା ବାବଦ ସହାୟତା ପ୍ରଦାନ କରାଯାଇଥିଲା। ସାମାଜିକ ସୁରକ୍ଷା ବିଭାଗ ତରଫରୁ ୨ ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ ଚେୟାର ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.