‘ସେବା ସଂକଳ୍ପ ଅଭିଯାନ’ରେ ବାଲେଶ୍ୱରରେ ନଗର ବିଜେପି ପକ୍ଷରୁ ଅନୁଷ୍ଠିତ ହେଲା ରକ୍ତଦାନ ଓ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱ (କୃଷ୍ଣ କୁମାର ମହାନ୍ତି): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୨୫ ବର୍ଷର ଦୀର୍ଘ ସେବା, ସମର୍ପଣ, ସୁଶାସନ ଓ ରାଷ୍ଟ୍ର ନିର୍ମାଣର ଗୌରବମୟ ଯାତ୍ରାକୁ ସ୍ମରଣ କରି ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ବିଭିନ୍ନ ଜନସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ସେବା, ସମର୍ପଣ ଓ ମାନବିକତାର ଭାବନାକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା। ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ୱର ସହରରେ ବିଜେପି ନଗରର ବାଣେଶ୍ୱର ଓ ଝାଡ଼େଶ୍ୱର ମଣ୍ଡଳ ପକ୍ଷରୁ ସହରର ରବୀନ୍ଦ୍ର କଲ୍ୟାଣ ମଣ୍ଡପରେ ଏକ ବିଶାଳ ରକ୍ତଦାନ ଶିବିର ଓ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା। ଜନସେବା ଓ ସାମାଜିକ ଦାୟିତ୍ୱବୋଧକୁ ପ୍ରାଧାନ୍ୟ ଦେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା, ଯୁବବର୍ଗ ଓ ସାଧାରଣ ଲୋକ ସ୍ୱତଃସ୍ଫୂର୍ତ୍ତ ଭାବେ ଯୋଗଦେଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱରର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ୱର ସଦରର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ ଏବଂ ବିଜେପି ବାଲେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଈଶ୍ୱର ଚନ୍ଦ୍ର ବେହେରା ଯୋଗଦେଇ ଶିବିରରେ ଉପସ୍ଥିତ ରକ୍ତଦାତା, ଚିକିତ୍ସକ, ସ୍ୱାସ୍ଥ୍ୟକର୍ମୀ ଓ ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନ ଶିବିରରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ଯୁବକ-ଯୁବତୀ ଓ ସମସ୍ତ ରକ୍ତଦାତାଙ୍କୁ ଅତିଥିମାନେ ପ୍ରଶଂସା କରିବା ସହ ରକ୍ତଦାନ ଭଳି ମହତ୍ କାର୍ଯ୍ୟ ଅନ୍ୟ ଲୋକଙ୍କ ଜୀବନ ରକ୍ଷାରେ ଅମୂଲ୍ୟ ଭୂମିକା ନେଇଥାଏ ବୋଲି କହିଥିଲେ। ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାନ କରାଯାଇଥିବା ରକ୍ତ ଅନ୍ୟ ଜଣଙ୍କ ପାଇଁ ଜୀବନର ଆଶା ହୋଇପାରେ। ତେଣୁ ନିୟମିତ ଓ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ସମାଜର ସଚେତନ ନାଗରିକମାନେ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଥିଲା।

ଅନ୍ୟପକ୍ଷରେ, ନିଶୁଳ୍କ ସ୍ୱାସ୍ଥ୍ୟ ଶିବିରରେ ସାଧାରଣ ଲୋକଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଆବଶ୍ୟକୀୟ ଚିକିତ୍ସା ପରାମର୍ଶ ଓ ସ୍ୱାସ୍ଥ୍ୟ ସଚେତନତା ପ୍ରଦାନ କରାଯାଇଥିଲା। ଦୈନନ୍ଦିନ ଜୀବନରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବା, ରୋଗର ପ୍ରାରମ୍ଭିକ ଲକ୍ଷଣକୁ ଅଣଦେଖା ନକରିବା ଏବଂ ସମୟୋପଯୋଗୀ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ଏହି ଅବସରରେ ଉପସ୍ଥିତ ଅତିଥିମାନେ କହିଥିଲେ ଯେ, ‘ସେବା ହିଁ ସଂଗଠନର ଶକ୍ତି ଏବଂ ଜନସେବା ହିଁ ରାଜନୀତିର ମୂଳ ଲକ୍ଷ୍ୟ’। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୀର୍ଘ ସେବା ଯାତ୍ରା ଦେଶବାସୀଙ୍କୁ ସମାଜ ପାଇଁ କିଛି କରିବାର ପ୍ରେରଣା ଦେଇଆସିଛି। ତାଙ୍କର ‘ସେବା, ସୁଶାସନ ଓ ଗରିବ କଲ୍ୟାଣ’ର ମନ୍ତ୍ରକୁ ଆଧାର କରି ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସୁଖଦୁଃଖରେ ସାମିଲ ହେବା ହିଁ ଏହି ଅଭିଯାନର ପ୍ରକୃତ ଉଦ୍ଦେଶ୍ୟ ବୋଲି ସେମାନେ ପ୍ରକାଶ କରିଥିଲେ।

ବାଲେଶ୍ୱରରେ ଆୟୋଜିତ ଏହି ରକ୍ତଦାନ ଓ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ‘ସେବା ସଂକଳ୍ପ’କୁ ଜନସାଧାରଣଙ୍କ ମଧ୍ୟରେ ଏକ ଜନଆନ୍ଦୋଳନରେ ପରିଣତ କରିବାର ଏକ ସାର୍ଥକ ପ୍ରୟାସ। କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତୃବୃନ୍ଦ, ମଣ୍ଡଳର ପଦାଧିକାରୀ, ଯୁବ କାର୍ଯ୍ୟକର୍ତ୍ତା, ମହିଳା କାର୍ଯ୍ୟକର୍ତ୍ତା, ସ୍ୱେଚ୍ଛାସେବୀ, ଚିକିତ୍ସକ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଏହି ସେବା କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରବିନାରାୟଣ ମହାପାତ୍ର, ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ମଣ୍ଡଳ ସଭାପତି ଧୀରଜ ମହାନ୍ତି ଓ ସୁଧାଂଶୁ ଶେଖର ପଣ୍ଡା, ଚନ୍ଦ୍ରଶେଖର ନନ୍ଦ, ଉପେନ୍ଦ୍ର ଶତପଥୀ, ସୀତାକାନ୍ତ ସ୍ୱାଇଁ, ଚିତ୍ତରଞ୍ଜନ ପଣ୍ଡା, ଭାଗବତ ସାହୁ, ଗୌରୀ ଦାଶ, ସସ୍ମିତା ନାଥ, ଶମ୍ଭୁ ସିଂହ, ପୂର୍ଣଚନ୍ଦ୍ର ନାୟକ, ଭାରତୀ ପାତ୍ର, ଆଶିଷ ଘୋଷ, ବିକାଶ ପାଢ଼ୀ, ମୁନା ମହନ୍ତ, ସୌଭାଗ୍ୟ ମାନସ ନାୟକ, ସୌମ୍ୟ ଶଙ୍କର ଦାଶ, ସସ୍ମିତା ଦାଶ, ରାଜେନ୍ଦ୍ର ଚାଟାର୍ଜୀ, ଉମେଶ ବେହେରା, ପ୍ରତାପ ପ୍ରଧାନ, ଯୋଗେନ ରଣା, ଜିତେନ୍ଦ୍ର ପରମାଣିକ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.