ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ୍ ପ୍ରତିଯୋଗିତାରେ ମୟୂରଭଞ୍ଜ ଦଳ ଚାମ୍ପିୟନ୍ ହୋଇଛି। କୋରାପୁଟ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍ରେ ଯାଜପୁର ଦଳକୁ ୧-୦ ଗୋଲ୍ରେ ପରାସ୍ତ କରି ମୟୂରଭଞ୍ଜ ଏହି ଗୌରବ ହାସଲ କରିଛି। ବିଜୟ ସହ ମୟୂରଭଞ୍ଜ ଦଳ ଚାମ୍ପିୟନ୍ ଟ୍ରଫି ହାତେଇଥିବା ବେଳେ ଯାଜପୁର ଦଳ ରନର୍ସଅପ୍ରେ ସନ୍ତୁଷ୍ଟ ହୋଇଛି।
ଗତ ୯ ତାରିଖରୁ କୋରାପୁଟ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାର ୩୧ଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟରେ ମୟୂରଭଞ୍ଜ ଓ ଯାଜପୁର ଦଳ ଫାଇନାଲ୍ରେ ପହଞ୍ଚିଥିବା ବେଳେ ଶେଷରେ ମୟୂରଭଞ୍ଜ ବିଜୟୀ ହୋଇଥିଲା।

ରବିବାର ଆୟୋଜିତ ଉଦ୍ଯାପନୀ ଉତ୍ସବରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଚାମ୍ପିୟନ୍ ମୟୂରଭଞ୍ଜ ଓ ରନର୍ସଅପ୍ ଯାଜପୁର ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୂଏଙ୍କ ଅଧ୍ୟକ୍ଷତାରେ ଉଦ୍ଯାପନୀ ସଭା ଅନୁଷ୍ଠିତ ହୋଇଥିଲା।

ସମ୍ମାନିତ ଅତିଥିଭାବେ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ସହକାରୀ ଶାରୀରିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିପ୍ରସାଦ ପରିଡ଼ା, ସୁନ୍ଦରଗଡ଼ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅଜୟ ପ୍ରଧାନ, ରାଜ୍ୟ ପର୍ଯ୍ୟବେକ୍ଷକ କୃଷ୍ଣଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଅର୍ପିତା ପ୍ରଧାନ ଓ ଚମେଲୀ ମଜୁମଦାରଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗଦେଇଥିଲେ।






