ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କଲେ ୮୦୦ ତୀର୍ଥଯାତ୍ରୀ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବରିଷ୍ଠ ନାଗରିକଙ୍କୁ ଦେଶର ପ୍ରମୁଖ ଧାର୍ମିକ ଓ ଆଧ୍ୟାତ୍ମିକ ସ୍ଥଳ ପରିଦର୍ଶନର ସୁଯୋଗ ପ୍ରଦାନ ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭’ ଅନ୍ତର୍ଗତ ପଞ୍ଚମ ତୀର୍ଥଯାତ୍ରା ସୋମବାର ମଧ୍ୟାହ୍ନରେ ବାଲେଶ୍ୱର ରେଳଷ୍ଟେସନରୁ ଆରମ୍ଭ ହୋଇଛି। ରାଜ୍ୟର ଗୃହ, ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସବୁଜ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ।ଏହି ତୀର୍ଥଯାତ୍ରାରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରୁ ମୋଟ ୮୦୦ ଜଣ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୭୭୫ ଜଣ ବରିଷ୍ଠ ନାଗରିକ ଓ ୨୫ ଜଣ ସହାୟକ ରହିଛନ୍ତି। ଯାତ୍ରୀମାନଙ୍କ ବୟସ ୬୦ରୁ ୭୫ ବର୍ଷ ମଧ୍ୟରେ। ସେମାନେ ଉତ୍ତରପ୍ରଦେଶର ଦୁଇ ପ୍ରମୁଖ ତୀର୍ଥକ୍ଷେତ୍ର ଅଯୋଧ୍ୟା ଓ ବାରାଣସୀ ପରିଦର୍ଶନ କରିବେ। ଯାତ୍ରା ଶେଷ କରି ଆସନ୍ତା ୧୭ ଅକ୍ଟୋବରରେ ବାଲେଶ୍ୱର ଫେରିବେ।
ଏହି ଅବସରରେ ସରକାରୀ ଦଳର ଉପମୁଖ୍ୟ ସଚେତକ ତଥା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ ମାନସ କୁମାର ଦତ୍ତ, ବାଲେଶ୍ୱର ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ବାଲେଶ୍ୱର ପୌରପାଳିକା ଅଧ୍ୟକ୍ଷା ସବିତା ସାହୁ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଉପଜିଲ୍ଲାପାଳ ଶିବ ମାଲବ୍ୟ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡ. ମଧୁସ୍ମିତା ସାମନ୍ତରାୟ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବିଶ୍ୱଜିତ ବେହେରା ଏବଂ ଆଇଆରସିଟିସିର ପର୍ଯ୍ୟଟନ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘମିତ୍ରା ରାଉଳଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ଯାତ୍ରୀମାନଙ୍କ ରହଣି ପାଇଁ ଅକ୍ଟୋବର ୧୧ ତାରିଖରେ ବାଲେଶ୍ୱରର ପଦ୍ମାବତୀ ପାର୍କଠାରେ ବ୍ୟବସ୍ଥା କରାଯାଇଥିଲା। ସୋମବାର ଯାତ୍ରା ଆରମ୍ଭ ପୂର୍ବରୁ ରେଳଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରେ ଆୟୋଜିତ ସଭାରେ ଯାତ୍ରୀମାନଙ୍କୁ ରେଳ ଟିକେଟ୍ ଓ ଯାତ୍ରା କିଟ୍ ପ୍ରଦାନ କରାଯାଇଥିଲା। ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରିବା ସହ ଉପଲବ୍ଧ ସୁବିଧାର ସଦୁପଯୋଗ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ପାଇଁ ରେଳ ଟିକେଟ୍, ଖାଦ୍ୟପେୟ, ରହଣି ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜମ୍ କର୍ପୋରେସନ୍ (ଆଇଆରସିଟିସି) ପକ୍ଷରୁ ଯୋଗାଇ ଦିଆଯାଉଛି। ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ଯୋଜନା ବରିଷ୍ଠ ନାଗରିକଙ୍କୁ ସୁରକ୍ଷିତ ଓ ସୁବିଧାଜନକ ଭାବେ ତୀର୍ଥଦର୍ଶନର ସୁଯୋଗ ଦେବା ସହ ସେମାନଙ୍କ ଜୀବନରେ ଆଧ୍ୟାତ୍ମିକ ଆନନ୍ଦ ଓ ସନ୍ତୋଷ ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।





