ଦାଦନ ଶ୍ରମିକ ପରିବାରର ଜଣେ କିଶୋରୀଙ୍କ ସଂଘର୍ଷ କାହାଣୀ: ଶିକ୍ଷା ପ୍ରତି ଆଗ୍ରହ ଓ ଆତ୍ମନିର୍ଭରତାର ସ୍ୱପ୍ନ ପାଇଁ ରାଜ୍ୟସ୍ତରରେ ସମ୍ମାନିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ନୂଆପଡ଼ା ଜିଲ୍ଲାର ଜେଞ୍ଜରା ଗ୍ରାମର ୧୭ ବର୍ଷୀୟା ଭୂମିକା ପଟେଲଙ୍କୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ସମ୍ମାନିତ କରିଛନ୍ତି। ଭୂମିକା ଏକ ଦାଦନ ଶ୍ରମିକ ପରିବାରର ଝିଅ। ପରିବାରର ଆର୍ଥିକ ଅନଟନ ଯୋଗୁଁ ତାଙ୍କ ପରିବାର ଗତ ତିନି ବର୍ଷ ଧରି ଉତ୍ତରପ୍ରଦେଶର ଇଟାଭାଟିକୁ ଦାଦନ ଶ୍ରମ ପାଇଁ ଯାଉଥିଲେ। ଏହି ପରିସ୍ଥିତି ତାଙ୍କ ଶିକ୍ଷାକୁ ବାଧାପ୍ରାପ୍ତ କରିଥିଲା। ତଥାପି ଭୂମିକା ୨୦୨୩ ମସିହାରେ ମାଟ୍ରିକ୍ ପରୀକ୍ଷାରେ ୮୨.୧୭ ପ୍ରତିଶତ ନମ୍ବର ରଖି “ଏ” ଗ୍ରେଡ୍ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ନୂଆପଡ଼ା ନେସନାଲ କଲେଜରେ ବିଜ୍ଞାନ ବିଭାଗରେ ନାମ ଲେଖାଇଥିଲେ ମଧ୍ୟ ଦାଦନ ଓ ପାରିବାରିକ ଦାୟିତ୍ୱ ଯୋଗୁଁ ତାଙ୍କ ପାଠପଢ଼ା ଅଧାରେ ରହିଯାଇଥିଲା। ଏଭଳି ସମୟରେ ତାଙ୍କ ଜୀବନରେ ନୂଆ ଆଶାର ସଞ୍ଚାର ସୃଷ୍ଟି କରିଥିଲା ଏଡ୍‌-ଏଟ୍‌-ଆକ୍ସନ୍‌ ର ହସ୍ତକ୍ଷେପ।  ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ସାହୁଙ୍କ ପରାମର୍ଶ ଓ ମାର୍ଗଦର୍ଶନ ଦେଇ ଉଚ୍ଚଶିକ୍ଷା ଏବଂ ଦକ୍ଷତା ବିକାଶର ଗୁରୁତ୍ୱ ବୁଝାଇଥିଲେ। ଗ୍ରାମରେ ଆୟୋଜିତ ଅଦ୍ଵିକା ଅଧିବେଶନରେ ଯୋଗଦେବା ପରେ ଭୂମିକା ଆଇଟିଆଇ ଓ ଝିଅମାନଙ୍କ ପାଇଁ ହଷ୍ଟେଲ ସୁବିଧା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହା ତାଙ୍କ ଜୀବନରେ ଏକ ନୂତନ ଆଶାର ସଞ୍ଚାର କରିଥିଲା। ଫଳସ୍ୱରୂପ ସେ ଆଇଟିଆଇ, ଖରିଆର ରୋଡ୍‌ରେ ଇଲେକ୍ଟ୍ରିସିଆନ୍ ଟ୍ରେଡ୍‌ରେ ନାମ ଲେଖାଇ ବୈଷୟିକ ଶିକ୍ଷା ଆରମ୍ଭ କରିଛନ୍ତି। ଭୂମିକାଙ୍କ ଏହି ସଫଳତା କାର୍ଯ୍ୟକ୍ରମର କିଶୋରୀ ସଶକ୍ତିକରଣ, ଶିକ୍ଷା ସଚେତନତା ଓ ବିକଳ୍ପ ଶିକ୍ଷା ସୁଯୋଗ ସୃଷ୍ଟିର ଏକ ଉଲ୍ଲେଖନୀୟ ଉଦାହରଣ। ତାଙ୍କର ସଂଘର୍ଷ ଓ ସଫଳତା ଆଜି ଅନ୍ୟ କିଶୋରୀମାନଙ୍କ ପାଇଁ ପ୍ରେରଣା ହୋଇଛି। ଭୂମିକାଙ୍କ ସ୍ୱପ୍ନ ହେଉଛି ଭବିଷ୍ୟତରେ ଜଣେ ସରକାରୀ କର୍ମଚାରୀ ହୋଇ ନିଜ ପରିବାରକୁ ଆର୍ଥିକ ସହଯୋଗ କରିବା ଏବଂ ଦାଦନ ରୁ ପରିବାରକୁ ମୁକ୍ତ କରିବା। ଆଜି ତାଙ୍କୁ ମିଳିଥିବା ରାଜ୍ୟସ୍ତରୀୟ ସମ୍ମାନ ତାଙ୍କର ଏହି ସଂଘର୍ଷ ଓ ସ୍ୱପ୍ନକୁ ନୂତନ ପରିଚୟ ଦେଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.