ବିଶ୍ୱନାଥପୁରରେ ଜଳିଗଲା ତେଜରାତି ଦୋକାନ

ସର୍ଟ ସର୍କିଟ୍ ଯୋଗୁଁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ, ଅଳ୍ପକେ ବଞ୍ଚିଲେ ପାଖ ଦୋକାନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ବିଜେପୁର ଛକଠାରେ ଗୁରୁବାର ଦିନ ଦିପ୍ରହରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ବିଜେପୁର ଛକରେ ଥିବା ଏକ ତେଜରାତି ଦୋକାନରେ ନିଆଁ ଲାଗି ଦୋକାନଟି ସମ୍ପୂର୍ଣ୍ଣ ରୂପେ ଜଳି ଛାରଖାର ହୋଇଯାଇଛି। ସୂଚନା ଅନୁସାରେ, ହଠାତ୍ ଦୋକାନ ଭିତରୁ ଧୂଆଁ ବାହାରିବା ସହ ନିଆଁ ବ୍ୟାପିବାକୁ ଲାଗିଥିଲା। ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ନେଇଥିଲା। ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁ ଅଣାୟତ୍ତ ହେବାରୁ ସ୍ଥାନୀୟ ଲୋକେ ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଗାଡ଼ି ସହ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିଶମ ବାହିନୀ ସମୟ ମଧ୍ୟରେ ପହଞ୍ଚିବାରୁ ନିଆଁ ପାଖ ଦୋକାନଗୁଡ଼ିକୁ ବ୍ୟାପିବାରୁ ରକ୍ଷା ପାଇଛି। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନି ହୋଇନଥିବା ସୂଚନା ମିଳିଛି।ଦୋକାନଟି ଦିନବନ୍ଧୁ ସାହୁଙ୍କର ବୋଲି ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.