ଷ୍ଟାର୍ଟଅପ୍ ଓଡ଼ିଶା ମଞ୍ଚରେ ଏଆଇ ନବସୃଜନ ପାଇଁ ପ୍ରଗତି ଶିକ୍ଷାନୁଷ୍ଠାନର ଦୁଇ ମେଧାବୀ ଛାତ୍ର ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ୍ କୁମାର ନାଗ): ଓଡ଼ିଶା ଷ୍ଟାର୍ଟଅପ୍ ଆଉଟ୍‌ରିଚ୍ କାର୍ଯ୍ୟକ୍ରମ ‘ତେଜସ୍’ ଅବସରରେ ବଲାଙ୍ଗୀରସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଆୟୋଜିତ ଷ୍ଟାର୍ଟଅପ୍ ଓଡ଼ିଶା କନକ୍ଲେଭ୍‌ରେ ପ୍ରଗତି ଶିକ୍ଷାନୁଷ୍ଠାନର ଦୁଇ ଛାତ୍ରଙ୍କୁ ସେମାନଙ୍କ ଅଭିନବ ଏଆଇ ଉଦ୍ଭାବନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ମାନ୍ୟବର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏବଂ ବଲାଙ୍ଗୀରର ସାଂସଦ ସଙ୍ଗୀତା ସିଂଦେଓ ଛାତ୍ରଦ୍ୱୟଙ୍କ ନବସୃଜନମୂଳକ ପ୍ରୟାସକୁ ଅବଲୋକନ କରିବା ସହ ସେମାନଙ୍କ ଉଦ୍ଭାବନର ଉଚ୍ଚ ପ୍ରଶଂସା କରିଥିଲେ। ପ୍ରଗତି କନସେପ୍ଟ ସ୍କୁଲ୍‌ର ନବମ ଶ୍ରେଣୀର ଛାତ୍ର ସ୍ମାରକ ବାଗ୍ ଏଆଇ ଆଧାରିତ ଏକ ସ୍ମାର୍ଟ ଚାଟ୍‌ବଟ୍ ବିକଶିତ କରିଥିବା ବେଳେ ପ୍ରଗତି ଡିଗ୍ରୀ କଲେଜ୍‌ର କମ୍ପ୍ୟୁଟର ସାଇନ୍ସ ବିଭାଗର ଛାତ୍ର ସୋମେଶ କୃଷି କ୍ଷେତ୍ରରେ ଏଆଇ ପ୍ରଯୁକ୍ତିର ଉପଯୋଗ ପାଇଁ ‘ଏଗ୍ରୋଏଆଇ’ ନାମକ ଏକ ଅଭିନବ ଏପ୍ଲିକେସନ୍ ବିକଶିତ କରିଛନ୍ତି। ଉଭୟ ଛାତ୍ରଙ୍କ ଏହି ଉଦ୍ଭାବନ ଯୁବପିଢ଼ିଙ୍କ ବୈଷୟିକ ଜ୍ଞାନ, ସୃଜନଶୀଳତା ଓ ନବସୃଜନ କ୍ଷମତାର ଏକ ଉଜ୍ଜ୍ୱଳ ଉଦାହରଣ ପାଲଟିଛି। ଏହି ସଫଳତାରେ ଆନନ୍ଦ ପ୍ରକାଶ କରି ପ୍ରଗତି ଶିକ୍ଷାନୁଷ୍ଠାନର ଚେୟାରପର୍ସନ ଶ୍ରୀମତୀ ସଙ୍ଗୀତା ପଣ୍ଡା ଏବଂ ସମ୍ପାଦକ ଇଂ ଅଜୟ କୁମାର ପଣ୍ଡା ଉଭୟ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ସେମାନଙ୍କ ନୂତନ ଚିନ୍ତାଧାରାକୁ ଆଗକୁ ନେବା, ଅଧିକ ବିକଶିତ କରିବା ଏବଂ ଭବିଷ୍ୟତରେ ଏହି ଉଦ୍ଭାବନଗୁଡ଼ିକୁ ସଫଳ ରୂପ ଦେବା ପାଇଁ ଅନୁଷ୍ଠାନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ସହଯୋଗ ଓ ସହାୟତା ଯୋଗାଇ ଦିଆଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଗତି ଶିକ୍ଷାନୁଷ୍ଠାନ ଏହି ସଫଳତା ଶିକ୍ଷା ସହିତ ଗବେଷଣା, ପ୍ରଯୁକ୍ତିବିଦ୍ୟା ଓ ନବସୃଜନକୁ ପ୍ରୋତ୍ସାହନ ଦେବା ଦିଗରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ କରିଛି। ବିଶେଷକରି କୃତ୍ରିମ ବୁଦ୍ଧିମତ୍ତା, ରୋବୋଟିକ୍ସ ଓ ଆଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ଓ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ପ୍ରେରଣାଦାୟକ ପଦକ୍ଷେପ ଭାବେ ବିବେଚିତ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.