ଜାତୀୟ ସିନିୟର ଚାମ୍ପିଅନସିପ୍ ପାଇଁ ଓଡ଼ିଶା ଦଳରେ ସ୍ଥାନ ପକ୍କା
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବ୍ୟାଡମିଣ୍ଟନ କ୍ରୀଡ଼ା କ୍ଷେତ୍ରରେ ବାଲେଶ୍ୱର ପାଇଁ ଆଉ ଏକ ଗୌରବ ଆଣିଛନ୍ତି ବରିଷ୍ଠ ବ୍ୟାଡମିଣ୍ଟନ ଖେଳାଳି ଆରିଆ ମାଝୀ। ସଦ୍ୟ ସମାପ୍ତ ୪୦ତମ ଅଲ୍ ଓଡ଼ିଶା ସିନିୟର ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ରେ ସେ ପୁନର୍ବାର ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଏହି ସଫଳତା ସହିତ ଆଗାମୀ ଜାତୀୟ ସିନିୟର ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ର ପୁରୁଷ ସିଙ୍ଗଲ୍ସ ବର୍ଗରେ ତାଙ୍କର ସ୍ଥାନ ନିଶ୍ଚିତ ହୋଇଛି। ନଭେମ୍ବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ପୋଖରୀପୁଟ ଇଣ୍ଡୋର ଷ୍ଟାଡିୟମରେ ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ୍ ପକ୍ଷରୁ ଏହି ଚାମ୍ପିଅନସିପ୍ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାରୁ ୧୫୦ରୁ ଊର୍ଦ୍ଧ୍ୱ ଖେଳାଳି ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଆରିଆ ମାଝୀ ସମ୍ବଲପୁର ଜିଲ୍ଲାର ଖେଳାଳି ତହସିଫ ଖାନଙ୍କୁ ତୃତୀୟ ସେଟ୍ରେ ପରାସ୍ତ କରି ଚାମ୍ପିଅନ୍ ହୋଇଥିଲେ। ତାଙ୍କର ଏହି ବିଜୟ କ୍ରୀଡ଼ା କ୍ଷେତ୍ରରେ ନିରନ୍ତର ପ୍ରଦର୍ଶନ ଓ ଦକ୍ଷତାର ପରିଚୟ ଦେଇଛି। ଆସନ୍ତା ଡିସେମ୍ବର ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଜାତୀୟ ସିନିୟର ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ପକ୍ଷରୁ ପୁରୁଷ ସିଙ୍ଗଲ୍ସ ବର୍ଗରେ ଆରିଆ ଅଂଶଗ୍ରହଣ କରିବେ। ତାଙ୍କର ଏହି ଉଲ୍ଲେଖନୀୟ ସଫଳତାରେ ବାଲେଶ୍ୱରର ବ୍ୟାଡମିଣ୍ଟନ ଖେଳାଳି, ଜିଲ୍ଲା ବ୍ୟାଡମିଣ୍ଟନ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଖୁସି ପ୍ରକାଶ କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ଜାତୀୟ ଚାମ୍ପିଅନସିପ୍ରେ ମଧ୍ୟ ସେ ଉତ୍କୃଷ୍ଟ ପ୍ରଦର୍ଶନ କରି ବାଲେଶ୍ୱର ଓ ଓଡ଼ିଶାର ଗୌରବ ବୃଦ୍ଧି କରିବେ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।





