ନର୍ଲା ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ପଞ୍ଚାୟତ ହାଇସ୍କୁଲ, ସରିଆ ଠାରେ ନର୍ଲା ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଓ ଶକ୍ତି ସଂରକ୍ଷଣ ମେଳା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ୮୮ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏହା ଶିଶୁ ବୈଜ୍ଞାନିକମାନଙ୍କ ସୃଜନଶୀଳତା, ବୈଜ୍ଞାନିକ ଚିନ୍ତାଧାରା, ନବସୃଜନ ଓ ପ୍ରୟୋଗ ମୂଳକ ଜ୍ଞାନର ଏକ ସୁନ୍ଦର ପ୍ରତିଫଳନ ଥିଲା।ଉଦ୍‌ଘାଟନୀ ସମାରୋହରେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ମୁଖ୍ୟ ଅତିଥି ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚନ୍ଦ୍ର ଶେଖର ଶବର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀର ଉଦ୍‌ଘାଟନ କରିଥିଲେ। ଉଦ୍‌ଯାପନୀ ସମାରୋହରେ ଏବିଇଓ ଗୋବର୍ଦ୍ଧନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ମନୋଭାବ, ଅନୁସନ୍ଧାନୀ ପ୍ରବୃତ୍ତି ଓ ନବସୃଜନକୁ ପ୍ରଶଂସା କରିଥିଲେ। ବିଜ୍ଞାନ ଶିକ୍ଷକ ସମୀର କୁମାର ବେହେରା, ସୁରେନ୍ଦ୍ର ପଟ୍ଟନାୟକ, ଶ୍ୟାମସୁନ୍ଦର ପଣ୍ଡା, ତରୁଣ କାନ୍ତ ମିଶ୍ର, ଅଭୟ ଦେବତା, ପରମାନନ୍ଦ ଛୁଆଳସିଂହ, ସୁରେଶ ସାହୁ ଓ ସଞ୍ଜୟ ଦାଶ ପ୍ରମୁଖ ପ୍ରଦର୍ଶିତ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିଥିଲେ। ଏହି ଅବସରରେ ଏକ ବିଜ୍ଞାନ କୁଇଜ୍ ମଧ୍ୟ ଆୟୋଜିତ ହୋଇଥିଲା। ପଞ୍ଚାୟତ ହାଇସ୍କୁଲ, ସରିଆର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଶତପଥୀ ଆୟୋଜକ ସଂପାଦକ ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ସାଧୁରାମ ଭୋଇ, ଗଙ୍ଗାନାରାୟଣ ଦାଶ, କୈଳାସ ଭୋଇ ଓ ଫିରୋଜ ପଧାନ ପ୍ରମୁଖ ସହଯୋଗ କରିଥିଲେ। ନର୍ଲା ବ୍ଲକ ବିଜ୍ଞାନ ମଞ୍ଚର ସମ୍ପାଦକ ସନ୍ତୋଷ କୁମାର କର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.