ବାଧକ ସାଜିଛି ଜଙ୍ଗଲୀ ରାସ୍ତା, ପଞ୍ଚମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଅନ୍ତ ଘଟୁଛି
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେଡାଗାଁ ପଞ୍ଚାୟତର ବଣପାହାଡ଼ ଘେରା ମଧ୍ୟରେ ରହିଛି ଦୁର୍ଗମ ଇସନଲା ଗାଁ। ଗାଁଟି ଲାଞ୍ଜିଗଡ଼ ବ୍ଲକ ସଦର ମହକୁମାରୁ ୧୭ କି.ମି. ଦୂର ହୋଇଥିବା ବେଳେ ନିଜ ବେଡାଗାଁ ପଞ୍ଚାୟତ କାର୍ଯ୍ୟାଳୟରୁ ୭ କି.ମି. ଦୂରରେ ରହିଛି। ଗାଁରେ ଦଶନ୍ଧି ଧରି ୫୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି। ସମସ୍ତେ ଗରିବ ଶ୍ରେଣୀର ହୋଇଥିବା ବେଳେ ବହୁ ଦୁଃଖରେ ଜୀବନ ବିତାଉଛନ୍ତି।ଗାଁରେ ଅନେକ ଗୁଡ଼ିଏ ସମସ୍ୟା ରହିଛି। ଶିକ୍ଷା, ଗମନାଗମନ ଓ ବିଜୁଳି ଗାଁର ମୁଖ୍ୟ ସମସ୍ୟା ହୋଇ ରହିଥିବା ବେଳେ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ପାଇଁ ବାରମ୍ବାର ଆସିଥିବା ଲକ୍ଷ ଲକ୍ଷ ଟଙ୍କା କାମ ନହୋଇ ମିଥ୍ୟା କାଗଜପତ୍ର କରି ବାଟମାରଣା ହୋଇଥିବା ନେଇ ଗ୍ରାମବାସୀ ବ୍ଲକ ପ୍ରଶାସନ ନିକଟରେ ବହୁଥର ଅଭିଯୋଗ କରି ଭିଜିଲାନ୍ସ ତଦନ୍ତ ପାଇଁ ମଧ୍ୟ ଦାବି କରୁଛନ୍ତି। ହେଲେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି।ଭଲ ରାସ୍ତା ନଥିବା ଯୋଗୁଁ ବିଭିନ୍ନ ଦାୟିତ୍ୱରେ ଥିବା କର୍ମଚାରୀ ଗାଁକୁ ଆସୁ ନାହାନ୍ତି। ହିତାଧିକାରୀମାନେ ଭତ୍ତା କିମ୍ବା ପିଡିଏସ୍ ସାମଗ୍ରୀ ପଞ୍ଚାୟତରୁ ବହୁ କଷ୍ଟରେ ଆଣୁଥିବା ବେଳେ ଗୁରୁତର ରୋଗୀ ତଥା ଗର୍ଭବତୀଙ୍କୁ ଖଟିଆରେ ବୋହି ୭ କି.ମି. ଦୂର ପାଦରେ ଚାଲି ଚାଲି ବେଡାଗାଁ ମୁଖ୍ୟ ରାସ୍ତାକୁ ଅଣାଯିବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଇଥାଏ। ଗାଁ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଥିଲେ ମଧ୍ୟ ନିର୍ମାଣ ସାମଗ୍ରୀ ଆଣିବାରେ ସମସ୍ୟା ହେଉଛି। ଅନ୍ୟପଟେ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ପଞ୍ଚାୟତର ଝାରପଟ୍ଟା ଗାଁ ଠାରୁ ଇସନଲା ଗାଁକୁ ମାତ୍ର ୪ କି.ମି. ଦୂର ପାହାଡ଼ ଆରପଟରେ ରହିଛି। ଏହି ରାସ୍ତା ପାଇଁ ଗ୍ରାମବାସୀ ୨୦୨୩ ମାର୍ଚ୍ଚ ମାସରେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ତତ୍କାଳୀନ ବିଡିଓ ମାର୍ଚ୍ଚ ୨୫ ତାରିଖରେ ଗାଁରେ ପହଞ୍ଚି ତଦାରଖ କରିବା ସହିତ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହା ପରେ କିଛି ମାସ ବ୍ୟବଧାନ ପରେ ବିଶ୍ୱନାଥପୁର ପଞ୍ଚାୟତ ଝାରପଟ୍ଟା ଗାଁ ଠାରୁ ଇସନଲା ଗାଁକୁ ରାସ୍ତା ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। କିନ୍ତୁ ରାସ୍ତା ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ପଡ଼ିଛି। ଗାଁରେ ୧୫ ବର୍ଷ ହେଲା ପ୍ରାଥମିକ ବିଦ୍ୟାଳୟ ରହିଛି। ଉଚ୍ଚ ଶିକ୍ଷା ବ୍ୟବସ୍ଥା ନଥିବା ଯୋଗୁଁ ଗାଁ ଆରପଟ ପାହାଡ଼ ଓ ଜଙ୍ଗଲ ଦେଇ ପାଦଚଲା ରାସ୍ତାରେ ୬ କି.ମି. ଦୂର ଯାଇ ତୁମେରମୁଣ୍ଡା ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯିବା ସମ୍ଭବ ହେଉନାହିଁ। କିଛି ଆଦିବାସୀ ଛାତ୍ରଛାତ୍ରୀଙ୍କୁ ବାହାରେ ହଷ୍ଟେଲ ସୁବିଧା ମିଳୁଥିବା ବେଳେ ୮୦ ପ୍ରତିଶତ ପଛୁଆ ବର୍ଗ ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହୋଇ ଅର୍ଦ୍ଧ ଶିକ୍ଷିତ ହୋଇ ଗାଁରେ ରହୁଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ଜଙ୍ଗଲ ରାସ୍ତା ଦେଇ ଗାଁ ଠାରୁ ୮ କି.ମି. ଦୂର କକର୍ଲା ଗାଁରେ ରହିଛି। ଶିଶୁମାନେ କେନ୍ଦ୍ରକୁ ଯାଇ ନପାରି ଶିକ୍ଷାରୁ ବଞ୍ଚିତ ରହୁଥିବା ବେଳେ କେନ୍ଦ୍ରକୁ ଶିଶୁଙ୍କ ଖାଦ୍ୟ ସାମଗ୍ରୀ ଆଣିବା ପାଇଁ ପରିବାର ଲୋକେ ଯାଇଥାନ୍ତି। ଖାଦ୍ୟକୁ ଠିକ୍ ଭାବରେ ଦେଉ ନଥିବା ଅଭିଯୋଗ ମଧ୍ୟ କରିଛନ୍ତି। ପ୍ରଶାସନ ପକ୍ଷରୁ ଠିକ୍ ଭାବେ କାମ ଧନ୍ଦା ମିଳୁନାହିଁ। ଫଳରେ ଗାଁର ଅଧିକାଂଶ ଲୋକ ପୋଡ଼ ଚାଷ ଉପରେ ନିର୍ଭର କରୁଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଲୋକ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଗାଁ ଲୋକେ କହିଛନ୍ତି। ଗାଁରେ ପିଇବା ପାଣି ସମସ୍ୟା ରହିଛି। ବିଭିନ୍ନ ଦାବି ସତ୍ତ୍ୱେ ଗତ ଜାନୁଆରୀ ମାସରେ ଗଭୀର ନଳକୂପ ଖୋଳା ଯାଇଛି, କିନ୍ତୁ ସେଠାରେ ସୋଲାର ସଂଯୋଗ ହୋଇନାହିଁ। ବିଜୁଳି ଆଲୁଅ ଗାଁ ପାଇଁ ସାତ ସପନ ପାଲଟିଛି। ସନ୍ଧ୍ୟା ହେଲେ ହିଂସ୍ର ଜନ୍ତୁଙ୍କ ଭୟ ରହୁଥିବା ବେଳେ ତିବିରି ଆଲୁଅ ହିଁ ସେମାନଙ୍କ ସାହା ଭରସା ପାଲଟିଛି। ତେଣୁ ଗାଁରେ ସଦା ସର୍ବଦା ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ଜିଲ୍ଲାପାଳ ନିଜେ ଗାଁକୁ ଆସି ଗାଁ ଲୋକଙ୍କ ଦୁଃଖ ଦେଖିବାକୁ ଗାଁର ପୂର୍ଣ୍ଣଚନ୍ଦ୍ର ଗଉଡ଼, ନନ୍ଦ ମାଝୀ, ମୋହନଚନ୍ଦ୍ର ଗଉଡ଼, ହାମରାଜ ଗଉଡ଼, ଲକ୍ଷ୍ମଣ ଗଉଡ଼, ଗିରିଧାରୀ ଗଉଡ଼, ବଟି ମାଝୀ, ରତ୍ନ ମାଝୀ, ଚିତ୍ର ଗଉଡ଼ ସମେତ ଗ୍ରାମବାସୀ ଅନୁରୋଧ କରିଛନ୍ତି।





