ଠିକାଦାରଙ୍କ ଖାମ୍ ଖିଆଲ କାର୍ଯ୍ୟ ପାଇଁ ନଷ୍ଟ ହେଲା ଜଣକ ଜୀବନ
କର୍ଲାମୁଣ୍ଡା,୧୪/୧:
ରାସ୍ତା ନିର୍ମାଣ ସମୟରେ ଠିକାଦାର ମେଟାଲ ପକାଇ ରାସ୍ତା ଅବରୋଧ କରିଥିବାରୁ ମେଟାଲ ଉପରେ ଚଢି ଯାଇ ଆଜି ରାତିରେ ଜଣେ ବାଇକ ଆରୋହିଙ୍କ ମୃତ୍ୟୁ ଘଟିଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତାରିଣୀ ମନ୍ଦିର ଠାରୁ କଲେଜ ଛକ ପର୍ଯ୍ୟନ୍ତ ରାସ୍ତା କାମ ଚାଲିଛି ବରୁଣ ସାହୁ ଓ ଭୁବନ ବିହାରି ସିଂ ଏହି କାର୍ଯ୍ୟ କରୁଛନ୍ତି । ରାସ୍ତା ନିର୍ମାଣ ସମୟର ସବୁ ନିୟମ କାନୁନକୁ ଅଣଦେଖାକରି ଠିକାଦାର ରାସ୍ତା ଉପରେ ମେଟାଲ ପକାଇ ରାସ୍ତା ଅବରୋଧ କରିଥିବା ବେଳେ ଅନେକ ସମୟରେ ଛୋଟ ବଡ ଦୂର୍ଘଟଣା ଘଟି ଆସୁଥିଲା କିନ୍ତୁ ପିଡବ୍ଲୁ କିମ୍ବା ବ୍ଲକ ପ୍ରସାଶନ ଏଥିପ୍ରତି ଉଦାସିନ ରହି ଆସିଥିଲେ ।
ଆଜି ରାତି ୭.୪୫ ସମୟରେ ଟକାରୁମାଲ ଗାଁର ଜଗନ୍ନାଥ ବେହେରା ମାଲପଡାରୁ ନିଜ ଘରକୁ ଫେରୁଥିବା ସମୟରେ ତାରିଣୀ ଛକ ନିକଟରେ ମେଟାଲ ଉପରେ ପଡିଯାଇ ଥିଲେ। ଏହାପରେ ସ୍ଥାନୀୟ ଲୋକ ତାଙ୍କୁ ଆମ୍ବୁଲେନ୍ସ ଯୋଗେ କର୍ଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ତେବେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ଏଏସଆଇ ଅଧିର ଚନ୍ଦ୍ର ବିଶ୍ବାସ ଘଟଣା ସ୍ଥଳକୁ ଆସି ତଦନ୍ତ ଜାରି ରଖିଛନ୍ତି ।
ମୃତ ଜଗନ୍ନାଥଙ୍କ ଦୁଇ ଛୋଟ ପୁଅ ଓ ସ୍ତ୍ରୀ ଥିବାବେଳେ ତାଙ୍କ ମୃତ୍ୟୁ ଖବର ପାଇ ଟକାରୁମାଲ ଗାଁ ଓ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଠିକାଦାରଙ୍କ ଖାମ ଖିଆଲ କାର୍ଯ୍ୟ ଯୋଗୁଁ ଏପରି ଘଟଣା ଘଟି ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
କର୍ଲାମୁଣ୍ଡାରୁ ନବୀନ କିଶୋର ସାହୁଙ୍କ ରିପୋର୍ଟ odiabarta.in





