ବିରଳ ପ୍ରଜାତି ନୀଳରକ୍ତ କଙ୍କଡ଼ାର ସୁରକ୍ଷା ଦିଗରେ ଅଣ୍ଟା ଭିଡ଼ିଲେ ବୁଦ୍ଧିଜୀବୀ

● ବାଲେଶ୍ବରରେ ‘ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ର’ ପ୍ରତିଷ୍ଠା ପାଇଁ ଉଠିଲା ଦାବି

ବାଲେଶ୍ବର,୨୧/୭ (କୃଷ୍ଣ କୁମାର ମହାନ୍ତି ଙ୍କ ଠାରୁ) : ବିରଳ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷ ଧ୍ୟାନଦେବାକୁ ବାଲେଶ୍ବରର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ଏକ ବୈଠକରେ ଏହି ଦାବି କରାଯାଇଛି।

ନୀଳରକ୍ତ କଙ୍କଡ଼ା ଉପରେ ବିଦେଶରେ ବହୁ ଗବେଷଣା ଓ ଗବେଷଣାଲବ୍ଧ ଜ୍ଞାନକୁ ଉପଯୋଗ କରି ସ୍ବାସ୍ଥ୍ୟସେବା ଦିଗରେ ବିନିଯୋଗ କରା ଯାଉଥିବା ବେଳେ ଆମ ରାଜ୍ୟ ଓ ଆମ ଦେଶରେ ସରକାରୀ ପ୍ରୋତ୍ସାହନ ଅଭାବରୁ ଅଧିକ କିଛି କରାଯାଇ ପାରିନାହିଁ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଗତ କିଛିବର୍ଷ ପୂର୍ବରୁ ଏହି ବିରଳ ପ୍ରଜାତି କଙ୍କଡ଼ାର ବଂଶବୃଦ୍ଧି ପାଇଁ ଫକୀରମୋହନ ବିଶ୍ବବିଦ୍ୟାଳୟରେ ଏକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ମାତ୍ର ତାହା ସୀମିତ ସମୟ ପରେ ବନ୍ଦ ହୋଇ ଯାଇଛି। ବାଲେଶ୍ବର ଜିଲ୍ଲାର ଚାନ୍ଦିପୁର ଠାରୁ ତାଳସାରି ପର୍ଯ୍ୟନ୍ତ ସମୁଦ୍ର ଉପକୂଳରେ ଏହି କଙ୍କଡ଼ା ପ୍ରାୟ ପ୍ରତିମାସର ଅମାବାସ୍ୟା ଓ ପୂର୍ଣ୍ଣିମା ସମୟରେ ଦେଖା ଯାଆନ୍ତି। ଏମାନଙ୍କ ସୁରକ୍ଷା ପାଇଁ ଧ୍ୟାନ ଦିଆ ନଯିବାରୁ ସ୍ଥାନୀୟ ପଶୁପକ୍ଷୀ ଓ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ି ମୃତ୍ୟୁବରଣ କରନ୍ତି।

ନୀଳରକ୍ତ କଙ୍କଡ଼ା ଉପରେ ଉପାଧ୍ୟୁତ୍ତର ଗବେଷଣା କରିଥିବା ଡକ୍ଟର ଗୋବିନ୍ଦଚନ୍ଦ୍ର ବିଶ୍ବାଳ ଓ ଡକ୍ଟର ସିଦ୍ଧାର୍ଥ ପତି ବୈଠକରେ ଯୋଗ ଦେଇ ନୀଳରକ୍ତ କଙ୍କଡ଼ାରୁ ପ୍ରସ୍ତୁତ ଔଷଧଗୁଡ଼ିକ ମାନବସମାଜ ପାଇଁ କିପରି ଦୁରାରୋଗ ଚିହ୍ନଟ ଓ ଉପଶମ କରିବାରେ ବୈଜ୍ଞାନିକମାନେ ବିଦେଶରେ ପ୍ରୟୋଗ କରି ସଫଳ ହୋଇଛନ୍ତି ତାହାର ଦୃଷ୍ଟାନ୍ତ ଦେଇଥିଲେ।

ଏହି ବୈଠକରେ ଦୀର୍ଘ ଆଲୋଚନା ପରେ ‘ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କମିଟି’ ନାମରେ ଏକ ସଂଗଠନ ଗଠନ ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ବାଲେଶ୍ବରରେ ଏହି ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହୋଇ ପାରିଲେ ନୀଳରକ୍ତ କଙ୍କଡ଼ା ସମେତ ଅନ୍ୟସବୁ ସାମୁଦ୍ରିକ ଜୀବଙ୍କ ଉପରେ ବୈଜ୍ଞାନିକମାନେ ଗବେଷଣା କରିବାର ସୁଯୋଗ ପାଇବେ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ବାଲେଶ୍ବରର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବାଲେଶ୍ବରର ବିଧାୟକଗଣ ଏଥିପ୍ରତି ଗୁରୁତ୍ବାରୋପ କରିବାକୁ ନିବେଦନ କରାଯାଇଛି। ବାଲେଶ୍ବରର ବୁଦ୍ଧିଜୀବୀ ଓ ଚିନ୍ତାଶୀଳ ବ୍ୟକ୍ତିମାନେ ଏଥିପାଇଁ ସହଯୋଗ କରିବାକୁ ବୈଠକରେ ଅନୁରୋଧ କରାଯାଇଛି। ଏ ସଂପର୍କରେ ଏକ ପରିବଦ୍ଧିର୍ତ ବୈଠକ ଆହ୍ବାନ କରିବାକୁ ଆବାହକ ଭାବେ ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀ, ଶିଳ୍ପୀ କେଶୁ ଦାସ ଓ ସାମାଜିକ କର୍ମୀ ଗୋବିନ୍ଦ ବଲ୍ଲଭ ଦଳାଇଙ୍କୁ ମନୋନୀତ କରାଯାଇଛି।

ଏହି ବୈଠକରେ ବାଲେଶ୍ବର ସରକାରୀ ମେଡିକାଲ୍ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟିର ସାଧାରଣ ସଂପାଦକ ନିରଞ୍ଜନ ପରିଡ଼ା, ବରିଷ୍ଠ ଆଇନଜୀବୀ ମନୋଜ ନାୟକ ଓ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନର ଜିଲ୍ଲା ସଂପାଦକ ଇଂ. କୁମାର କାତ୍ତିର୍କ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.