ଏ ସମୟ ଚାଲିଯିବ

✍🏾ହେମନ୍ତ ସାହୁ

ଆମେ ଏଇମିତି ଏକ ସମୟର ସାକ୍ଷୀ, ଆମ ଆଖି ଆଗରେ ନିଜ ଲୋକଙ୍କ ଜୀବନ ଚାଲିଯାଉଛି, ଅଥଚ ଶେଷ ଦର୍ଶନ ଟିକେ କରି ପାରୁନୁ । କରୋନାରେ ଯୋଉ ପୁଅ ତାର ବାପାଙ୍କୁ, ଯୋଉ ସ୍ତ୍ରୀ ତାର ସ୍ୱାମୀଙ୍କୁ, ଯୋଉ ବାପା-ମାଁ ପୁତ୍ରସନ୍ତାନଙ୍କୁ, ଯୋଉ ବନ୍ଧୁ ନିଜ ଆତ୍ମୀୟଙ୍କୁ, ସର୍ବୋପରି ଯୋଉମାନେ ନିଜ ନିଜ ଅତି ପ୍ରିୟ ମଣିଷଙ୍କୁ ହରାଇଛନ୍ତି, ସେମାନେ ହିଁ ଅନୁଭବ କରିପାରିବେ ଜୀବନ ଯିବା ପରେ ନିଜ ପ୍ରିୟ ଲୋକଙ୍କ ନିଥର ଦେହ ଉପରେ ଲୋଟିଯାଇ, ଛାତି ଫଟେଇ କାନ୍ଦି ନ ପାରିବାର କଷ୍ଟ । ଯାହା ସାରା ଜୀବନ ପାଇଁ ଗୋଟିଏ ମସ୍ତବଡ଼ ଅବସୋସ, ଯୋଉ ଅପୂରଣୀୟ କ୍ଷତି କେବେ ପୁରା ହେଇପାରିବନି, କେବଳ ଜୀବନ ଯାକ ମନ ଭିତରର ମନଟି ଗୁମୁରି ଗୁମୁରି କାନ୍ଦୁଥିବ । ସତରେ ଏହି ବିଶ୍ୱମହାମାରୀ କେତେ ମୁଣ୍ଡ ନେଲା ପରେ ନିଜକୁ ସନ୍ତୁଷ୍ଟ କରିବ ଆଉ ଆମ ସମସ୍ତଙ୍କୁ ଟିକିଏ ଶାନ୍ତିରେ ନିଶ୍ୱାସ ମାରିବାକୁ ଦେବ, କିଏ ଜାଣେ । କୋଭିଡ଼ ୧୯ କଥା ମନକୁ ଆସିଲେ ହିଁ ଛାତି ଭିତରେ ଏକ ଅଜଣା ଭୟ ଖେଳିଯାଉଛି । ସୋସିଆଲ ମିଡ଼ିଆ ଖୋଲିଲେ, ନିଶ୍ଚିତ ଭାବରେ କେହି ଜଣେ ନିଜ ପରିଚିତ, ବନ୍ଧୁଙ୍କ ଫଟୋ ଆଉ ଫଟୋ ତଳେ ତାଙ୍କ ଆତ୍ମାର ସଦଗତି କାମନା, ମରଣର କାରଣ କରୋନା ।

ଭାବିଦେଲେ ଆଖି ଛଳ ଛଳ ହେଇଯାଏ, ହାତରେ ଆଉ ବ୍ୟାଙ୍କ ବ୍ୟାଲାନ୍ସର ଅଭାବ ନଥିବା ଅନେକ ଲୋକ ହସପିଟାଲରେ ବେଡ଼ ଟିଏ ନ ପାଇ, ଜୀବନ ହାରିଛନ୍ତି । ଜଣେ ଡ଼ାକ୍ତର ବନ୍ଧୁ ପ୍ରଥମ ଲହର କରୋନାରେ ଆକ୍ରାନ୍ତ ହେବା ବେଳର ଅନୁଭୁତି ବାଣ୍ଟିବାକୁ ଯାଇ କୁହନ୍ତି, ପକେଟରେ ହଜାର ହଜାର ଟଙ୍କା ସିନା, କିଛି ଖାଇବାକୁ ଇଚ୍ଛା ନହେବା, ସେତିକିବେଳେ ଜୀବନରେ ଟଙ୍କାର ଗୁରୁତ୍ୱକୁ ଠିକ୍ ଭାବରେ ଊପଲବ୍ଧି କରିଥିଲି ବୋଲି । ତେବେ ପ୍ରଥମ ଲହର ପରେ ଏବେ ଦ୍ୱିତୀୟ ଲହର ଏବଂ ପୁଣି ଏବେ ଟ୍ରିପଲ ଷ୍ଟ୍ରେଣ୍ଟ କଥା ଉଠିଲାଣି, ଯାହାକି ଅତି ଶିଘ୍ର ସଂକ୍ରମିତ ହେଇପାରିବ ଓ ଟୀାକ ନେଇଥିବା ଲୋକଙ୍କ ଜୀବନ ପ୍ରତି ବି ବିପଦ ସୃଷ୍ଟି କରିବ ।
ଏଇ ତ କରେନାରେ ଜୀବନ ସଂପର୍କରେ ଏକ ସାମାନ୍ୟ ଝଲକ । ଏବେ କରୋନାରେ ଜୀବିକା କଥାକୁ ଯଦି ଆଖି ଦେବା ତାହା ତ ଆହୁରି ହୃଦୟ ବିଦାରକ । କାରଣ ଆପଣମାନେ ଗତବର୍ଷ ପ୍ରଥମ କରୋନାବେଳେ ଦାଦନ ଶ୍ରମିକମାନଙ୍କ ଘର ବାହୁଡ଼ା ଦୃଶ୍ୟକୁ ଭଲ ଭାବରେ ଦେଖିସାରିଛନ୍ତି । ମୁଣ୍ଡିରେ ବ୍ୟାଗ, କାଖରେ ଛୋଟ ଛୋଟ ଛୁଆ, ଖାଲି ପାଦ, ଶହ ଶହ କିଲୋମିଟର ଚାଲି ଚାଲି ଘର ବାହୁଡ଼ା । କରୋନାର କାରୁଣ୍ୟ ମନେପଡ଼ିଗଲେ ଜୀବନ ଯେତିକି ବିପନ୍ନ ଲାଗୁଛି ଜୀବିିକା ସେତିକି ଆଖିରେ ଲୁହ ଦଉଛି ।
ଜୀବନକୁ ସୁରକ୍ଷିତ ରଖିବାକୁ ଅନେକ ସ୍ଥାନରେ ସଟଡ଼ାଉନ, ଲକଡ଼ାଉନ କରାଯାଉଛି । ଅବଶ୍ୟ ଏଇ କଥା ସତଯେ, ଜୀବନ ରହିଲେ ତ ଜୀବିକା କଥା ଚିନ୍ତା କରାଯାଇପାରିବ । ମୁଦ୍ରା ଆରପଟା ଦେଖିଲା ଭଳି, ଏଇମିତି ଅନେକ ଛୋଟ ଛୋଟ ଦୋକାନୀ, ଚା ଦୋକାନୀ, ଠେଲା ଦୋକାନୀ, ଉଠା ଦୋକାନୀ ଅଛନ୍ତି ଯୋଉମାନେ ପ୍ରତିିଦିନ ଯାହା ରୋଜଗାର କରନ୍ତି, ତାକୁ ପରିବାର ଅପେକ୍ଷା କରିଥାଏ । ସେତିକିରେ କାହାର ଚାରିପ୍ରାଣୀ ତ ଆଉ କାହାର ପାଂଚପ୍ରାଣୀ ଜୀବନ ନିର୍ବାହ କରନ୍ତି । ଯଦି ସେଇ ରୋଜଗାର ସଂପୂର୍ଣ୍ଣ ରୂପେ ଠପ୍ ହେଇଯାଏ ତେବେ ସେଇ ପରିବାର ମୁରବୀଙ୍କୁ ପରିବାର ପ୍ରତିପୋଷଣ କରିବା ଯେ କେତେ ଦୁର୍ବିସହ ହେଇପଡ଼ୁଥିବ କେବଳ ସେ ହିଁ ଜାଣିବ । ଜଣେ ଛୋଟ ଦୋକାନୀ ନିଜ ଛାତି ଭିତରର କୋହକୁ ହାଲକା କରିବାକୁ କହୁଥିଲା, ଯୋଉମାନେ ବଡ଼ ବଡ଼ ବ୍ୟବସାୟୀ, ସେମାନଙ୍କ ପାଇଁ ବର୍ଷେକାଳ ବନ୍ଦ ରହିଲେ ବି କିଛି ଅସୁବିଧା ନାହିଁ କିନ୍ତୁ ଆମଭଳି ଛୋଟ ଛୋଟ ଦୋକାନୀ ଯୋଉମାନେ ପ୍ରତିଦିନର ରୋଜଗାରକୁ ନେଇ ପରିବାର ପ୍ରତିପୋଷଣ କରୁଛୁ, ଆମ ପାଇଁ ତ ଏବେ ଜୀବନଠାରୁ ଜୀବିକା ବଡ଼ ହେଇଯାଉଛି ।

ସତରେ ଇଏ ଏକ ଜଟିଳ ପ୍ରସଙ୍ଗ ।
ପେଟରେ ଓଦା କନା ଦେଇ ଜୀବନ ବଂଚେଇବାର ପ୍ରୟାସ କରିବାର ସମୟ ଭଳି ଲାଗୁଥିଲେ ବି ଘରର ମୁରବୀଟିଏ ନିଜ ପେଟକୁ ସିନା ଭୋକିଲା ରଖିପାରିବ, ପରିବାରରେ ତାର ପତ୍ନୀ, ପୁଅ-ଝିଅଙ୍କ ଭୋକିଲା ପେଟକୁ ଦେଖିବ କେମିତି? ସହିବ କେମିତି? ଏବେ ଆପଣମାନେ କହିପାରନ୍ତି, ଆଜିକାଲି ଆଉକେହି ଭୋକଉପାସରେ କାଳାତିପାତ କରୁନାହାନ୍ତି, ସରକାର ଖାଦ୍ୟସୁରକ୍ଷା ଆଇନ ବଳରେ ପ୍ରାୟ ସମସ୍ତଙ୍କ ପାଖରେ ଚାଉଳ ପହଂଚେଇ ଦଉଛନ୍ତି । ଠିକ୍ ଅଛି, ତେବେ କହିବେ କି ସରକାର ଦେଉଥିବା ଚାଉଳ କେବଳ କଣ ଭୋକ ମେଂଟାଇପାରିବ? ଖାଇବା ଛଡ଼ା ଆଉ କଣ ପରିବାରରେ ଅନ୍ୟକିଛି ଖର୍ଚ୍ଚ ନାହିଁ । ଦୈନିକ ରୋଜଗାର ଉପରେ ନିର୍ଭର କରୁଥିବାଲୋକଟି ସେଇ ଖର୍ଚ୍ଚକୁ କେମିତି ସାମ୍ନା କରିବ ? ତେବେ ସେ ସବୁକୁ ନେଇ ଏବେ ଜୀବିକା ପଡ଼ିଛି ମହାଜାଲରେ । ଆଉ ଜୀବିକା ନିର୍ବାହ କରୁଥିବା ମଣିଷଟିର ମୁଣ୍ଡରେ ଦାନା ବାନ୍ଧୁଛି ଦୁଶ୍ଚିନ୍ତା । ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏଥିରୁ ମୁକ୍ତି ମିଳିବ କେବେ?

ସଂପ୍ରତି ଯଦି କରୋନାର ସ୍ଥିତି କଥା ଚିନ୍ତା କରିବା ତେବେ ନିଶ୍ଚିତ ଭାବରେ ଉଦବେଗ ଜନକ । କେବଳ ଦେଶରେ ନୁହେଁ, ଆମ ରାଜ୍ୟରେ ବି ଏହି ପରିସଂଖ୍ୟାନ ନିଶ୍ଚିତ ଭାବରେ ଗମ୍ଭୀର । କରୋନାର ମାଡ଼ ଏବେ ଭାଙ୍ଗିଦେଉଛି ପଂଜରା ହାଡ଼ । ଏଇଠି ଭଗବାନ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ ଏକ କଥା ଉଲ୍ଲେଖନୀୟ । ଅର୍ଜୁନ ଏକଦା ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେ ସଖା ଏପରି ଏକ ବାକ୍ୟ ଲେଖନ୍ତୁ ଯାହା । ସୁଖ ସମୟରେ ପଢିଲେ ଦୁଃଖ ଲାଗିବ ଓ ଦୁଃଖ ସମୟରେ ପଢିଲେ ଖୁସି ଲାଗିବ । ପ୍ରଭୂ ସ୍ମିତହାସ୍ୟ ଦେଇ ଲେଖିଲେ;
ଏ ସମୟ ଚାଲିଯିବ । ତେଣୁ ଆମେ ମାନେ ଏପରି ମହାକଳା ସମୟରେ ଏହା ଭାବି ସଚେତନ ହୋଇ କରୋନା ଯୁଦ୍ଧରେ ଆଗେଇ ଚାଲିବା । କେବଳ ଏତିକି କୁହାଯାଇପାରେ, ସବୁକିଛି ଶେଷ ହେବା ଆଗରୁ କୋଉ ଗୋଟିଏ ନୂତନ ଆରମ୍ଭର ଆଶା ଯାହା ମଣିଷକୁ ନୂତନ ସକାଳଟିଏ ଦେଖାଇଥାଏ, ପୁଣି ଥରେ ସୂର୍ଯ୍ୟୋଦୟ ହୁଏ, ନୂଆ ପ୍ରାଣ, ମନ ନେଇ ମଣିଷ ବଂଚିବାର ଆରମ୍ଭ କରେ । ଏଇଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ କେବଳ ନିଜେ ନିଜର ସୁରକ୍ଷା କବଚ । ନିଜେ ନିଜକୁ ସଂପୂର୍ଣ୍ଣ ଭାବରେ ରକ୍ଷା ମିଳିବା ଭଳି ସାମାଜିକ ଦୂରତା ହିଁ ଆମକୁ ଏହି ମହାମାରୀରୁ ରକ୍ଷା ଦେଇପାରିବ । ଆସନ୍ତୁ, ଆମ ମନୋବଳକୁ ଦୃଢ କରିବା, କଷ୍ଟ ହେଉପଛେ, ଜୀବନକୁ ସୁରକ୍ଷିତ ରଖିବା ଆଉ ତାପରେ ଜୀବିକା କଥା ଚିନ୍ତା କରିବା ।
(ଲେଖକ ଜଣେ ସାମ୍ବାଦିକ)

ମ.ରାମପୁର, କଳାହାଣ୍ଡି
ମୋ:୭୭୩୫୫୯୦୪୮୬

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.