କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା, ନର୍ଲାରୋଡ, ବେହେରାପାଟି, ଡିଗିରାପଡାକୁ ପାନୀୟ ଜଳ ଯୋଗାଣ ନିମନ୍ତେ ଓଭରହେଡ ପାଣି ଟାଙ୍କି ଓ ଇନଟେକ ୱେଲ ନିର୍ମାଣ ନିମନ୍ତେ ଆଜି କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ସକାଳ ୮ ଘଣ୍ଟା ସମୟରେ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ଉଦୀୟମାନ ଯୁବ ସରପଞ୍ଚ ନରସିଂହ କୁମାର ଭୂମି ପୂଜନ କରିଥିଲେ। ଇତ୍ୟବସରରେ ସର୍ଗିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରବିନ୍ଦ ବିଶ୍ୱାଳ, ଯୋଗାଣ ସହାୟକ ଟଙ୍କଧର ସା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଭବାନୀପାଟନାର ଜନୈକ ଠିକାଦାର ଏହି ଓଭରହେଡ ପାଣିଟାଙ୍କି ନିର୍ମାଣ କାର୍ଯ୍ୟର ଦାଇତ୍ୱ ନେଇଥିବା ବେଳେ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ନବ ନିର୍ମିତ ବଜାର ଗୃହର ଶେଷ ମୁଣ୍ଡ ନଦୀଶଯ୍ୟା ପାଶ୍ୱର୍ରେ ପ୍ରଥମେ ଇନଟେକ ୱେଲ ଆଜି ସରପଞ୍ଚଙ୍କ ଦ୍ୱାରା ଭୂମି ପୂଜନ ପରେ ନିର୍ମାଣ କାର୍ଯ୍ୟ ଆଜି ଆରମ୍ଭ ହୋଇଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ନର୍ଲା ବ୍ଲକର ସର୍ବ ପ୍ରଥମ ଭାବରେ ନର୍ଲା, ନର୍ଲାରୋଡ, ସର୍ଗିଗୁଡା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ନର୍ଲା ତରଫରୁ ୧୯୯୮ ମସିହାରେ ମାଟିତଳେ ପାଇପ ପୋତା ଯାଇଥିଲା। ହେଲେ ୨୦୦୩ ମସିହାରେ ନର୍ଲାରେ ବିଧିବଦ୍ଧ ଭାବରେ ବିଭାଗ ତରଫରୁ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେତେବେଳେ ସାନ୍ଦୁଲ ନଦୀ ଶଯ୍ୟାରେ ଗୋଟିଏ ଇନଟେକ ୱେଲ ନିର୍ମାଣ କରାଯାଇ ଜଳ ଯୋଗାଣ ଚାଲିଥିଲା। ବେହେରାପାଟି ଗ୍ରାମକୁ ସଂଯୁକ୍ତ କରାଯିବା ପରେ ଦୁଇଗୋଟି ଇନଟେକୱାଲ ନିର୍ମାଣ କରାଯାଇ ଏବେ ଜଳ ଯୋଗାଣ ଚାଲିଛି। ଗତ ୭ ବର୍ଷ ତଳେ ସ୍ୱତନ୍ତ୍ର ଭାବରେ ନର୍ଲାକୁ ଜଳ ଯୋଗାଣ ପାଇଁ ଶିଶୁ ମନ୍ଦିର ଛକରେ ଦୁଇଲକ୍ଷ ଲିଟର ଜଳ ଧାରଣ କ୍ଷମତା ବିଶିଷ୍ଟ ଓଭରହେଡ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା ହେଲେ ନର୍ଲାରୋଡ ଓ ସର୍ଗିଗୁଡା ପାଇଁ ଓଭରହେଡ ଟ୍ୟାଙ୍କ ନଥିଲା। ଏବେ ସର୍ଗିଗୁଡା, ନର୍ଲାରୋଡ ଓ ଡିଗିରାପଡା ପାଇଁ ସ୍ୱତନ୍ତ୍ର ଭାବରେ ନଦୀଶଯ୍ୟାରେ ଇନଟେକ ୱେଲ ନିର୍ମାଣ କରାଯାଉଥିବା ବେଳେ ଡିଗିରାପଡାରେ ୨ ଲକ୍ଷ ଲିଟର କ୍ଷମତା ସମ୍ପନ୍ନ ଓଭରହେଡ ପାଣି ଟାଙ୍କି ନିର୍ମାଣ କରାଯିବ ବୋଲି ବିଭାଗ ତରଫରୁ ସୂଚନା ମିଳିଛି। ଏବେ ଓଭରହେଡ ଟ୍ୟାଙ୍କ ନଥିବାରୁ ସର୍ଗିଗୁଡା ରେଳବାଇ ଲେବୁଲ କ୍ରସିଂ ଫାଟକ ଆରପଟେ ରହିଥିବା ପାନୀୟ ଜଳ ଯୋଗାଣ କେନ୍ଦ୍ରରେ ସବୁ ବେଳେ ବିଦୁ୍ୟତ ବିଭ୍ରାଟ ସମସ୍ୟା ରହୁଛି। ଏଣୁ ସର୍ଗିଗୁଡା, ଡିଗିରାପଡା ଓ ନର୍ଲାରୋଡ ପାଇଁ ଓଭରହେଡ ଟ୍ୟାଙ୍କ ନିର୍ମିତ ହୋଇ ଜଳ ଯୋଗାଣ ଚାଲିଲେ ଜଳ ଯୋଗାଣ ନୀରବଛିନ୍ନ ଭାବରେ ହୋଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏହାକୁ ନେଇ ସର୍ଗିଗୁଡା ଓ ନର୍ଲାରୋଡବାସୀ ଖୁସି ବ୍ୟକ୍ତ କରୁଥିବା ଦେଖିବାକୁ ମିଳୁଛି।