ଗଜାମରୁଡି ଓ ଚାଷୀ ସମସ୍ୟାକୁ ନେଇ ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦର ପଦଯାତ୍ରା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ

● କୁରୁମପୁରୀ ଠାରୁ ନୂଆପଡାକୁ ଚାଲି ଚାଲି ଆସିଲେ ଚାଷୀ

ନୂଆପଡା, ୧|୯: ଜୟ କିଷାନ ମଜଦୁର ପରିଷଦ ତରଫରୁ ଆଜି କୋମନା ବ୍ଲକ କୁରୁମପୁରୀ ଠାରୁ ହଜାର ହଜାର ସଂଖ୍ୟାରେ ଚାଷୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଚାଲି ଚାଲି ଆସି ଘେରାଓ କରିଥିଲେ। ଦୀର୍ଘ ୧୨ କି.ମି. ଦୂରରୁ ଚାଷୀ ଚାଲିକି ଆସି ନିଜର ସମସ୍ୟାକୁ ନେଇ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।


ଠିକ ସମୟରେ ବର୍ଷା ନ ହେବାରୁ ବର୍ତମାନ ଜିଲ୍ଲାରେ ମରୁଡି ସମସ୍ୟା ବଢ଼ିବାରେ ଲାଗୁଛି। ସରକାର ଚାଷୀଙ୍କୁ ଆବଶ୍ୟକତା ଅନୁସାରେ ବିଭିନ୍ନ ପ୍ରକାରର ସାର, ୟୁରିଆ ଆଦି ଉପଲବ୍ଧ କରାଇବାରେ ବିଫଳ ହୋଇଛନ୍ତି ବୋଲି ଚାଷୀ ନେତା ତଥା ଜୟ କିଷାନ ମଜଦୁର ସଂଘର ଆବାହକ ଯଦୁମଣି ପାଣିଗ୍ରାହୀ ନିଜର ଅଭିଭାଷଣରେ କ୍ଷୋଭ ପ୍ରକାଶ କରିଛନ୍ତି।


ଯାହା ଫଳରେ ଆଜିର ସମୟରେ ଧାର କରଜ କରି ଚାଷ କରିଥିବା ଚାଷୀକୁଳ ବିଭିନ୍ନ ସମସ୍ୟାର ସମୁଖୀନ ହେଉଛନ୍ତି। ଅନେକ ଦିନରୁ ନିଜର ସମସ୍ୟାକୁ ଜିଲ୍ଲାପ୍ରଶାସନ ନିକଟରେ ଜଣାଉଥିଲେ ମଧ୍ୟ ଆଜି ଯାଏ କିଛି ସୁଫଳ ମିଳି ନାହିଁ। ତେଣୁ କରି ଚାଷୀକୁଳ ବାଧ୍ୟ ହୋଇ ଆଜି ରାଜ ରାସ୍ତାରେ ଓଲ୍ହାଇ ୧୨ କି.ମି. ପଦଯାତ୍ରା କରି ଜିଲ୍ଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି। ନୂଆପଡା ଜିଲ୍ଲାକୁ ସମ୍ପୂର୍ଣ ମରୁଡି ଘୋଷଣା କରିବା, ବିଭିନ୍ନ କୃଷି ବିଭାଗରେ ଖାଲି ପଡି ଥିବା ପଦବୀ ପୂରଣ କରିବା, କୃଷି ଋଣ ଛାଡ଼ କରିବା, ଖରିଫ ଚାଷ ପାଇଁ ବିକଳ୍ପ ବ୍ୟବସ୍ଥା କରିବା, ଫସଲ ବୀମା ପାଇଁ ବିଭାଗୀୟ ପ୍ରଚାର ପ୍ରସାର ଭଳି ୧୧ ଦଫା ଦାବୀ ନେଇ ଜୟ କିଷାନ ମଜଦୁର ସଂଘ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲା।


ଏହି କାର୍ଯ୍ୟକ୍ରମରେ ବସନ୍ତ ସିଂ ଠାକୁର, ଭକ୍ତ ବନ୍ଧୁ ଧାରୁଆ, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ଅଭିନ୍ନ ପୁରୋହିତ, ଭଗତ ରାମ ଶବର, ପରେଶ୍ୱର ମାଝୀ, ହେମ ଦେଓ ମାଝୀ, କଲ୍ୟାଣ ଅହୀର, ଗଣେଶ ରାମ ସାହୁ, ବିଦ୍ୟା ଶବର, ଡାକ୍ତର ମାଝୀ, ନୀଳ ନାଗ, ତରୁଣ ଦାଶ, ମିନି କେତନ ମାଝୀ, ଭୀମସେନ ମାଝୀ, ହରେକୃଷ୍ଣ ଭୋଇ, ଲେଖରାମ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ଜିଲ୍ଲାର ହଜାର ହଜାର ଚାଷୀ ଏହି ପଦଯାତ୍ରା ରେ ସାମିଲ ହୋଇଥିଲେ।

ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.