ପ୍ରଥମ ଥର ପାଇଁ ରାସନ କାର୍ଡ ହିତାଧିକାରୀ ପାଇଲେ ସ୍ୱାସ୍ଥ୍ୟ ବୀମା କାର୍ଡ ଜନିତ ସେବା

ନୂଆପଡା, ୮|୯: ସଦର ବ୍ଲକ ବେଲଟୁକୁରି ଗାଁର ମୋହନ ସତନାମୀଙ୍କ ଝିଅ ଗାୟତ୍ରୀ ସତନାମୀ (୧୯) ଜଣେ ଲିଭର ରୋଗୀ। ସେ ରାସନ କାର୍ଡ ଯୋଗେ ସ୍ୱାସ୍ଥ୍ୟ ବୀମା କାର୍ଡର ସେବା ପାଇ ପାରିଛନ୍ତି। କିଛି ଦିନ ପୂର୍ବେ ଓଡିଶା ସରକାର ପକ୍ଷରୁ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ନାମକ ଏକ ଯୋଜନା ଗରିବ ଶ୍ରେଣୀ ଲୋକଙ୍କ ଉଚ୍ଚତର ଚିକିତ୍ସା ପାଇଁ ଲାଗୁ କରିଥିଲେ। ଏହି ବୀମା କାର୍ଡରେ ମହିଳାଙ୍କ ପାଇଁ ୧୦ଲକ୍ଷ ଟଙ୍କା ଓ ପୁରୁଷଙ୍କ ପାଇଁ ୫ଲକ୍ଷ ଟଙ୍କା ଉଚ୍ଚତର ସ୍ୱାସ୍ଥ୍ୟ ସେବା ପାଇଁ ରୋଗୀଙ୍କୁ ପ୍ରଦାନ କରା ଯିବାର ବ୍ୟବସ୍ଥା କରିଛନ୍ତି ସରକାର। ତେବେ ଏ ଯାଏଁ ପ୍ରକୃତ ହିତାଧିକାରୀଙ୍କ ନିକଟକୁ ଏହି ସ୍ୱାସ୍ଥ୍ୟ ବୀମା କାର୍ଡ ପହଂଚି ନାହିଁ। କିନ୍ତୁ ଏହି ସ୍ୱାସ୍ଥ୍ୟ କାର୍ଡ ନ ପହଂଚିବା ପର୍ଯ୍ୟନ୍ତ ରାସନକାର୍ଡ ହିତାଧିକାରୀ ଏହି ସ୍ୱାସ୍ଥ୍ୟ ବୀମା କାର୍ଡର ସମସ୍ତ ସେବା ପାଇ ପରିବେ ବୋଲି ସରକାର ଘୋଷଣା କରିଥିଲେ। ସେହି କ୍ରମରେ ନୂଆପଡା ଜିଲ୍ଲା ସଦର ବ୍ଲକ ବେଲଟୁକୁରି ଗାଁର ଗାୟତ୍ରୀ ଏହି ସେବା ପ୍ରଥମ କରି ପାଇ ପାରିଛନ୍ତି। ଗତ କିଛି ମାସ ହେବ ଗାୟତ୍ରୀ ଲିଭର ଜନିତ ସମସ୍ୟାରେ ପିଡିତ ହୋଇ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଚିକିତ୍ସିତ ହେଉଥିଲେ କିନ୍ତୁ ଅସ୍ତ୍ରୋପଚାର ପାଇଁ ତାଙ୍କୁ ଅର୍ଥ ଆବଶ୍ୟକ ପଡୁଥିଲା। ତେବେ ସ୍ୱାସ୍ଥ୍ୟ ବୀମା କାର୍ଡ ନ ଥିବାରୁ ସେ ଅସ୍ତ୍ରୋପ୍ରଚାର କରି ପାରୁ ନଥିଲେ। ଏ ନେଇ ନୂଆପଡା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଜଣାଇ ଥିଲେ। ବିଧାୟକଙ୍କ ପରାମର୍ଶ କ୍ରମେ ଗାୟତ୍ରୀ ରାସନ କାର୍ଡ ଯୋଗେ ମଙ୍ଗଳବାର ରାୟପୁର ସ୍ଥିତ ରାମ କୃଷ୍ଣ କେୟାର ହସ୍ପିଟାଲକୁ ଅସ୍ତ୍ରୋପ୍ରଚାର ପାଇଁ ସ୍ଥାନାନ୍ତରିତ ହୋଇଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କିଛିଟା ସୁଧାର ଆସିଥିବା ସୂଚନା ମିଳିଥିଲା। ଗାୟତ୍ରୀଙ୍କ ଭଳି ସଦର ବ୍ଲକ ସିଲଦା ଗାଁର ଜଣେ ବ୍ୟକ୍ତି ମଧ୍ୟ ରାସନ କାର୍ଡ ଯୋଗେ ସ୍ୱାସ୍ଥ୍ୟ ବୀମା କାର୍ଡର ସେବା ପାଇ ପାରିଛନ୍ତି। ତାଙ୍କର ମୁଣ୍ଡ ରେ ଛଡ଼ ବାଜି ଯାଇଥିଲା। ସେ ତାଙ୍କ ଘର ଛାତ ଉପରୁ ତଳକୁ ପଡି ଯାଇଥିଲେ ଓ ସେ ବର୍ତମାନ ରାମ କୃଷ୍ଣ ହସ୍ପିଟାଲରେ କୋମା ଅବସ୍ଥାରେ ଅବସ୍ଥାରେ ରହି ଚିକିତ୍ସିତ ହେଉଛନ୍ତି। ତେବେ ଓଡିଶା ସରକାରଙ୍କ ଏଭଳି ଅନେକ ଯୋଜନା ସବୁକୁ ଉଚିତ ହିତାଧିକାରୀଙ୍କ ନିକଟକୁ ପହଞ୍ଚାଇବେ ବୋଲି ବିଧାୟକ ଶ୍ରୀ ଢୋଲକିଆ ସୂଚନା ଦେଇଛନ୍ତି। ଗାୟତ୍ରୀ ଭଳି ଅନେକ ରୋଗୀ ଉଚ୍ଚତର ଚିକିତ୍ସା ପାଇଁ ଆଗାମୀ ଦିନରେ ମଧ୍ୟ ସ୍ୱାସ୍ଥ୍ୟ ବୀମା କାର୍ଡ ନ ଥିଲେ ମଧ୍ୟ ରାସନ କାର୍ଡ ଯୋଗେ ସ୍ୱାସ୍ଥ୍ୟ ବୀମା କାର୍ଡର ସମସ୍ତ ସୁବିଧା ଲାଭ କରି ପାରିବେ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.