ରାୟଗଡା ବ୍ଳକରେ ପ୍ରାର୍ଥୀପତ୍ର ଗ୍ରହଣ ଓ ଯାଞ୍ଚ ନିମନ୍ତେ ନିର୍ବାଚନ ଅଧିକାରୀଙ୍କୁ ତାଲିମ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ବ୍ଲକରେ ପ୍ରାର୍ଥୀ ପତ୍ର ଗ୍ରହଣ ଓ ଯାଞ୍ଚ ପାଇଁ ୨୮ ଗୋଟି ଗ୍ରାମ ପଞ୍ଚାୟତ ନିମନ୍ତେ ନିଯୁକ୍ତ ୨୮ ଜଣ ଅଧିକାରୀଙ୍କୁ ବ୍ଲକ୍ ସଦଭାବନା ଗୃହ ଠାରେ ଶନିବାର ଏକ ତାଲିମ ଶିବିର ହୋଇଥିଲା । ଏଥିରେ ରାୟଗଡ଼ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ମନୋନୟନ ପ୍ରକ୍ରିୟା ବିଷୟରେ ତାଲିମ ପ୍ରଦାନ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ନାରାୟଣ ସାବତ, ଏବିଡିଓ କାଳୁ ଚରଣ ନାୟକ, ସମ୍ବଳ ଶିକ୍ଷକ ନିଳାଞ୍ଚଳ ମିଶ୍ର ଓ ଜିପିଇଓ ଗୋପାଳ ପଣ୍ଡା ଯୋଗଦେଇ ରାଜ୍ୟ ନିର୍ବାଚନ କମିଶନଙ୍କ ତାଲିମ ପରେ ଅଧିକାରୀଙ୍କ ସନ୍ଦେହ ଦୂରୀକରଣ ସହ ଫର୍ମ ପୂରଣ, ଏଥି ସମ୍ପର୍କିତ ବିଭିନ୍ନ ଧାରା ଓ ଉପଧାରା ଗୁଡ଼ିକୁ ଆଲୋଚନା କରିଥିଲେ ।


ପ୍ରକାଶ ଥାଉକି ରାଜ୍ୟ ନିର୍ବାଚନ କମିଶନ ତରଫରୁ ତ୍ରୀ ସ୍ତରୀୟ ନିର୍ବାଚନ ନିମନ୍ତେ ତାରିଖ ଘୋଷଣା ପରେ ବିଭିନ୍ନ ସରକାରୀ ବିଭାଗ ତରଫରୁ ତତ୍ପରତା ଆରମ୍ଭ ହୋଇଯାଇଛି । ଜିଲ୍ଲା ପରିଷଦ ସଭ୍ୟ, ସମିତି ସଭ୍ୟ, ସରପଞ୍ଚ ଓ ୱାର୍ଡ ସଭ୍ୟ ନିମନ୍ତେ ଆସନ୍ତା ୧୭ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ମନୋନୟନ ପତ୍ର ଗ୍ରହଣ ହେବ । ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ, ସମିତି ସଭ୍ୟଙ୍କ ନିମନ୍ତେ ସଂପୃକ୍ତ ପଞ୍ଚାୟତ ସମିତି ତଥା ସରପଞ୍ଚ ଓ ୱାର୍ଡ ସଭ୍ୟ ନିମନ୍ତେ ସଂପୃକ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପ୍ରାର୍ଥୀ ମନୋନୟନ ପତ୍ର ଗ୍ରହଣ କରାଯିବ ।

ଏଥି ନିମନ୍ତେ ଗତ ୧୩ ଜାନୁଆରୀ ୨୦୨୨ ତାରିଖ ଦିନ ବିଧିବଦ୍ଧ ବିଜ୍ଞାପନ ପ୍ରକାଶିତ ହୋଇସାରିଛି । ଜାନୁଆରୀ ୧୧ ତାରିଖ ଦିନ ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବାପରେ ରାୟଗଡା ବ୍ଲକ୍ ଅଞ୍ଚଳରୁ ବିଭିନ୍ନ ସରକାରୀ ଯୋଜନା ଓ ରାଜନୈତିକ ବ୍ୟାନର ଓ ପୋଷ୍ଟର ବାହାର କରିନେବା ଦୃଷ୍ଟି ଗୋଚର ହୋଇଛି । ଆସନ୍ତା ୨୨ ଜାନୁଆରୀ ୨୦୨୨ ରିଖ ଦିନ ପ୍ରାପ୍ତ ପ୍ରାର୍ଥୀ ପତ୍ର ଗୁଡ଼ିକର ଯାଞ୍ଚ ପରେ ୨୩ ତାରିଖ ଦିନ ବିଧିବଦ୍ଧ ପ୍ରାର୍ଥୀ ତାଲିକା ପ୍ରକାଶନ ଏବଂ ୨୫ ଜାନୁଆରୀ ଦିନ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ବିଡିଓ ଲକ୍ଷ୍ମୀନାରାୟଣ ସାବତ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.