ଅଜ୍ଞାତବାସରେ ରହିଛନ୍ତି ବିଜୟୀ ସମିତି ସଭ୍ୟ: ଚାଲିଛି ଘୋଡା ବେପାର!

କେସିଙ୍ଗା ବ୍ଲକ ଅଧ୍ୟକ୍ଷ ପାଇଁ ଛକାପଞ୍ଝା, ହାତେଇବ କିଏ ?

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ଯେଉଁଭଳି ଭାବରେ ଏଥର ଜିଲ୍ଲାପରିଷଦ ଆସନରେ ବିଜେଡ଼ି ବାକି ସବୁ ଜାତୀୟ ଦଳମାନଙ୍କୁ ବହୁ ପଛରେ ପକାଇ ପ୍ରାୟ ସମସ୍ତ ଜିଲ୍ଲା ପରିଷଦ ଆସନରେ ନିଜର ଆଧିପତ୍ୟ ଜାହିର କରିଛି ତାହା ଓଡ଼ିଶାର ରାଜନୈତିକ ଇତିହାସରେ ଏକ କୀର୍ତ୍ତିମାନ ଅଟେ । ଠିକ୍ ଅବିକଳ ଘଟିଛି ପଞ୍ଚାୟତ ନିର୍ବାଚନରେ ମଧ୍ୟ । କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ହେଉଥିବା ୨୬ ଗୋଟି ସମିତି ସଭ୍ୟ ମଧ୍ୟରୁ ମାତ୍ର ୪ ଜଣ ବିଜେପି ସମର୍ଥିତ ପ୍ରାର୍ଥୀକୁ ବାଦ ଦେଲେ ବଳକା ୨୨ ଜଣ ବିଜେଡ଼ି ସମର୍ଥିତ ପ୍ରାର୍ଥୀମାନେ ବିଜୟ ଲାଭ କରିଛନ୍ତି । ଯଦିଓ କଂଗ୍ରେସ ଦଳ ଅନେକ ଛାଟିପିଟି ହୋଇ ବିଜେଡ଼ି ଶାସନକୁ ବିଭିନ୍ନ ପ୍ରକାର ଦୋଷାରୋପ କରିଥିଲେ ସୁଦ୍ଧା ତାହାର ତିଳେମାତ୍ର ପ୍ରଭାବ ମତଦାତାମାନଙ୍କ ଉପରେ ପଡ଼ିନାହିଁ । କହିବାକୁ ଗଲେ ବିରୋଧୀଙ୍କ ଅପପ୍ରଚାର ବିଜେଡ଼ି ଦଳ ପାଇଁ ଗୋଟେ ପ୍ରଚାରର କାମ କରିଛି । ଯଦିଓ କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ବିଜେଡ଼ି ସମର୍ଥିତ ପ୍ରାର୍ଥୀଙ୍କ ସଂଖ୍ୟା ଯଥେଷ୍ଟ ଥିଲେ ସୁଦ୍ଧା ଗୋଷ୍ଠି କନ୍ଦଳରୁ ବିଜେଡ଼ି ମଧ୍ୟ ନିସ୍ତାର ପାଇ ନାହିଁ । ଯାହା ଶୁଣିବାକୁ ମିଳୁଛି ଏଇଥର କେସିଙ୍ଗା ବ୍ଲକ ଅଧ୍ୟକ୍ଷ ପଦ ଦୌଡ଼ରେ ଅଛନ୍ତି ବୋରିଆ ପଞ୍ଚାୟତରୁ ନିର୍ବାଚିତ ହୋଇଥିବା ସମିତି ସଭ୍ୟ ତଥା ପୂର୍ବ ଅଧ୍ୟକ୍ଷା ସୁକାନ୍ତି ବେହେରା, କୁଣ୍ଡାବନ୍ଧ ପଞ୍ଚାୟତର ନିର୍ବାଚିତ ସମିତି ସଭ୍ୟ ମନୋଜ ପଟ୍ଟନାୟକ, କଶୃପଡା ପଞ୍ଚାୟତର ନିର୍ବାଚିତ ସମିତି ସଭ୍ୟ ଚନ୍ଦନ ସେନାପତି ଏବଂ ସିରୋଲ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିବା ବିଜେପି ସମର୍ଥିତ ପ୍ରତାପ ବାଗ । ସମସ୍ତେ ସମସ୍ତଙ୍କ ରାଜନୈତିକ ଗୋଟି ଖେଳିବାରେ ଲାଗିପଡ଼ିଛନ୍ତି । ସମସ୍ତେ ନିଜର ଘୋଡ଼ା ବେପାରକୁ ନେଇ ଭାରି ଆଶ୍ୱସ୍ତ ଅଛନ୍ତି । ଯାହା ଶୁଣିବାକୁ ମିଳୁଛି ଯେ’ ଗୋଟେଗୋଟେ ଘୋଡ଼ାର ମୂଲ୍ୟ ପାଞ୍ଚ ଲକ୍ଷରୁ ଆରମ୍ଭ ହୋଇ ପାଖାପାଖି ଦଶ ଲକ୍ଷ ଯାଏଁ ପହଞ୍ଚି ସାରିଲାଣି । ଯାହାକି ସମ୍ପ୍ରତି ସ୍ବଚ୍ଛ ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ଏକ ଚିନ୍ତାର ବିଷୟ ଅଟେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି । ପ୍ରକାଶ ଯେ, ଭୋଟ ଗଣନା ପରଠୁ ପ୍ରାୟ ସମିତି ସଭ୍ୟ ଅଜ୍ଞାତବାସ ରେ ଅଛନ୍ତି । ତେବେ କାହା ଶିବିରରେ କେତେ ଜଣ ସମିତି ସଭ୍ୟ ରହିଛନ୍ତି ତାହା ସ୍ପଷ୍ଟ ହୋଇନଥିଲେ ହେଁ ଜନୈକ ଆଶାୟୀ ପ୍ରାର୍ଥୀଙ୍କ ଶିବିରରେ ସଂଖ୍ୟା ଗରିଷ୍ଠତା ହୋଇଥିବା ନେଇ ସେ ଦାବି କରୁଥିବା ବେଳେ ତାଙ୍କ ଦାବି କେତେ ସତ୍ୟତା ରହିଛି ତାହା ଜଣାପଡ଼ି ନାହିଁ । ଯଦି ତାଙ୍କ ଦାବି ସତ ହୁଏ, ତେବେ ଅନ୍ୟ ଆଶାୟୀ ପ୍ରାର୍ଥୀ ମାନଙ୍କ ଠାରେ ଆଉ ୧୨ ଜଣ କେମିତି ରହିବେ ? ଅପରପକ୍ଷରେ ତିନି ଜଣ ଆଶାୟୀଙ୍କ ଠାରେ ୭ ଜଣ ଲେଖାଏଁ ସମିତି ସଭ୍ୟ ଥିବା ବେଳେ ଅନ୍ୟ ଜଣକ ଶିବିରରେ ୫ ଜଣ ସମିତି ସଭ୍ୟ ରହିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି । ତେବେ ଏହି ଚର୍ଚ୍ଚା ଆଲୋଚନା ୪ ଜଣ ଅଧ୍ୟକ୍ଷ ପଦ ଆଶାୟୀଙ୍କ ସମିତି ସଭ୍ୟ ଅଙ୍କ ସବୁ ଗଣିତକୁ ଗୋଲମାଲ କରୁଛି । ଶୁଣିବାକୁ ମିଳୁଛି ଯେ ଏଇଥି ପାଇଁ ଘୋଡ଼ା ବେପାର ଆରମ୍ଭ ହୋଇଛି ଓ ଜଣେ ସମିତି ସଭ୍ୟ ପ୍ରତି ପାଞ୍ଚ ଲକ୍ଷରୁ ଆରମ୍ଭ ହୋଇ ପାଖାପାଖି ଦଶଲକ୍ଷ ଯାଏଁ ପହଞ୍ଚି ସାରିଥିବା ଚର୍ଚ୍ଚା ହେଉଛି । ତେବେ ଅଧ୍ୟକ୍ଷ ପଦ ପାଇଁ କାହା ମୁଣ୍ଡରେ ସୁନା କଳସ ରହିଛି ତାହା ଦେଖିବାକୁ ବାକି ରହିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.