କି ସୁନ୍ଦର ଆହା ଆମର ପୃଥିବୀ
ଗଢି ଅଛି ବିହି ତାହା
କିପରି ଗଢ଼ିଛି କିପରି କରିଛି
ନ ମିଳଇ ତାର ରାହା ।
କିଛି ଅବଦାନ ନାହି ମନୁଷ୍ୟର
ପୃଥିବିର ଜନ୍ମ ପାଇଁ
ତୁଚ୍ଛା ବାହାଦୁରୀ ମନରେ ମାରଇ
ସର୍ବଦା ଦେଖାଇ ହୁଅଇ ।
ଗଢ଼ିଥିଲେ ବିହି ସୁନ୍ଦର ସୃଷ୍ଟିକୁ
ମନୁଷ୍ୟକୁ ତହିଁ ଦେଇ
ଶ୍ରେଷ୍ଠ ବୋଲି ମଧ୍ୟ ପରିଚୟ ଦେଇ
ଆର୍ଶୀବାଦ ଥିଲେ ଦେଇ ।
ଜୀବ ଜଗତର ଗଠନ ମୂଳରେ
ଅଜ୍ଞାନ ଥିଲେ ଯେ ରହି
ଭାଗ୍ୟର ବିଧାତା ଆର୍ଶୀବାଦ ଦେଇ
ଜ୍ଞାନକୁ ଦେଲେଯେ ବଢ଼ାଇ ।
ଜ୍ଞାନ ଗାରିମାରୁ ବଢିଲା ମନୁଷ୍ୟ
ଆଖି ପିଛୁଳାକେ ତହିଁ
ଗର୍ବ ଅହଂକାର ସବୁକୁ ଶିଖିଲା
ଧର୍ମ ଅଧର୍ମ ଦ୍ୱାହି ଦେଇ ।
ଜୀବନ ମୂଳରେ ଶିକ୍ଷାକୁ ମୁଳଯେ
କରିଲା ମଣିଷ ଯହିଁ
କୌଳିକ ପେଶା ଜୀବନ ବେଉସା
ଭୁଲିଗଲା ସେଥିପାଇଁ ।
ବିଜ୍ଞାନ ବିଜ୍ଞାନ ଭାବି ଭାବି ସଦା
ମାନବତା ଗଲା ହଜି
ପରସ୍ପର ଯହିଁ ହେଲେଣି ପ୍ରସ୍ତୁତ
ଯୁଦ୍ଧ ଲାଗିଲାଣି ଆଜି ।
ଯୁଦ୍ଧ ନୁହେଁ ଭାଇ ପରମାଣୁ ଯୁଦ୍ଧ
ହୋଇବ ଏକଥା ଜାଣ
ନିମିଷକେ ମାତ୍ର ପୃଥିବୀ ହୋଇବ
କୋଇଲା ସଦୃଶ ଜାଣ ।
ବେଳ ଥାଉ ଥାଉ ଶାନ୍ତି ବାର୍ତ୍ତା ଦେଇ
ଜଗତ ବଞ୍ଚାଇ ଦେବା
ପରସ୍ପର ଯୁଦ୍ଧ ନକରିବା ଆଉ
ଜଗତରେ ଏକ ହୋଇବା ।
ଯୁଦ୍ଧ କରିବାଯେ ସଭିଏଁ ମିଶିକି
ଅଦୃଶ୍ୟ ବିପଦ ପାଇଁ
ଅନାହାର ଆଦି ରୋଗ ବଇରାଗ
ଶତ୍ରୁ ଅଛି କେତେ ରହି ।
ଭୁଲିଯିବା ସବୁ ଗର୍ବ ଅହଂକାର
ଗରିବଙ୍କ ପାଇଁ ଆମେ
ସବୁ ବିଜ୍ଞାନକୁ ଜ୍ଞାନ ପୁଣିସବୁ
ଲଗାଇବା ତାଙ୍କ କାମେ ।।
ଅନୁରୋଧ ସମସ୍ତଙ୍କୁ
ଶାନ୍ତିର ବାର୍ତା ଦେବା
ଶାନ୍ତିର ବିଶ୍ୱ ଗଢିବା
ଏକତା ହୋଇ ରହିବା